ଆଇପିଏଲ୍: ମୁମ୍ବାଇ ହାରିଲା, ହାଇଦ୍ରାବାଦ ବର୍ତ୍ତିଲା

ମୁମ୍ବାଇ: ଆଇପିଏଲ୍ ଇତିହାସର ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସର ଦୟନୀୟ ପ୍ରଦର୍ଶନ ଜାରି ରହିଛି। ଚଳିତ ଋତୁରେ ରୋହିତ ଶର୍ମାଙ୍କ ଦଳ ଦଶମ ପରାଜୟ ବରଣ କରିବାର ଲଜ୍ଜାଜନକ ଫଳ ପାଇଛି। ମଙ୍ଗଳବାର ମୁମ୍ବାଇ ପ୍ରତିପକ୍ଷ ସନ୍‌ରାଇଜର୍ସ ହାଇଦ୍ରାବାଦ ଧାର୍ଯ୍ୟ କରିଥିବା ୧୯୪ ରନ୍‌ର ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିନେବ ବୋଲି ଆଶା କରାଯାଉଥିଲା। ଦୁଇ ଓପନର ରୋ‌ହିତ ଶର୍ମା (୪୮) ଏବଂ ଈଶାନ କିଶନ (୪୩) ପ୍ରଥମ ୱିକେଟ୍‌ରେ ୯୫ ରନ୍ ଯୋଡ଼ି ଦୃଢ଼ ମୂଳଦୁଆ ବି ପକାଇଥିଲେ। ଏହା ‌ସତ୍ତ୍ବେ ପରବର୍ତ୍ତୀ ବ୍ୟାଟରଙ୍କ ବେପରୁଆ ଏବଂ ଦାୟିତ୍ବହୀନ ବ୍ୟାଟିଂ ପାଇଁ ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୭ ୱି‌କେଟ୍ ହରାଇ ୧୯୦ ରନ୍‌ରେ ଅଟକି ଯାଇଥିଲା। ରୋହିତ ଓ ଈଶାନଙ୍କ ଛଡ଼ା କେବଳ ଟିମ୍ ଡେଭିଡ୍ ୧୮ ବଲ୍‌ରୁ ୪୬ ରନ୍‌ର ବିସ୍ଫୋରକ ପାଳି ଖେଳିଥିଲେ। ସେ ରନ୍ଆଉଟ୍ ହେବା ପରେ ହିଁ ମ୍ୟାଚ୍‌ର ମୋଡ଼ ବଦଳି ଯାଇଥିଲା। ସନ୍‌ରାଇଜର୍ସ ହାଇଦ୍ରାବାଦର ଦ୍ରୁତ ବୋଲର ଉମ୍ରାନ ମଲ୍ଲିକ ପୁଣି ଥରେ ଚମତ୍କାର ବୋଲିଂ କରି ୨୩ ରନ୍‌ରେ ୩ ୱିକେଟ୍ କରାୟତ୍ତ କରିଥିଲେ। ସନ୍‌ରାଇଜର୍ସ ତ୍ରୟୋଦଶ ମ୍ୟାଚ୍‌ରୁ ଷଷ୍ଠ ବିଜୟ ହାସଲ କରି ପ୍ଲେ ଅଫ୍ ଦୌଡ଼ରୁ ବାଦ ହେବାରୁ ବର୍ତ୍ତି ଯାଇଥିଲା। ମ୍ୟାଚ୍‌ ବିଜୟୀ ତଥା ଅର୍ଦ୍ଧଶତକୀୟ ପାଳି ଖେଳିଥିବା ରାହୁଲ ତ୍ରିପାଠୀଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ମଙ୍ଗଳବାର ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ସନ୍‌ରାଇଜର୍ସ ହାଇଦ୍ରାବାଦ ତାର ରଣନୀତି ବଦଳାଇ ଅଭିଷେକ ଶର୍ମା (୯)ଙ୍କ ସହ ପ୍ରିୟମ ଗର୍ଗ (୯)ଙ୍କୁ ପାଳି ଆରମ୍ଭ କରିବାର ସୁଯୋଗ ଦେଇଥିଲା। ନିୟମିତ ଓପନର ଅଭିଷେକ ଏକଅଙ୍କ ଆଗକୁ ବଢ଼ି ପାରି ନଥିଲେ। ତେବେ ଗର୍ଗଙ୍କୁ ଓପନିଂ କରିବାର ସାହସିକ ନିଷ୍ପତ୍ତି ସନ୍‌ରାଇଜର୍ସ ହାଇଦ୍ରାବାଦ ପାଇଁ ବେଶ୍ ଫଳପ୍ରଦ ହୋଇଥିଲା। ପ୍ରାରମ୍ଭିକ ଝଟ୍‌କା ସତ୍ତ୍ବେ ମାତ୍ର ୨୬ ବଲ୍‌ରୁ ୧୬୦ରୁ ଅଧିକ ଷ୍ଟ୍ରାଇକ୍ ‌ରେଟ୍‌ରେ ୪୨ ବିସ୍ଫୋରକ ଯୋଡ଼ିଥିଲେ ସେ। ଏହା ପରେ ରାହୁଲ ତ୍ରିପାଠୀ ତାଙ୍କ ଯାଦୁ ଦେଖାଇଥିଲେ। ତିନିଟି ଦର୍ଶନୀୟ ଛକା ସହ ୯ ଚୌକା ମାରି ୭୬ ରନ୍‌ର ମହତ୍ବପୂର୍ଣ୍ଣ ପାଳି ଖେଳିଥିଲେ ରାହୁଲ। କେବଳ ୩୨ ବଲ୍‌ରୁ ହିଁ ସେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ସେହିଭଳି ନି‌କୋଲାସ ପୂରନ ମଧ୍ୟ ଦ୍ରୁତ ୩୮ ରନ୍ କରିଥିଲେ। ହେଲେ ଶେଷ ୪ ଓଭରରେ ୪ ୱିକେଟ୍ ହରାଇ ସନ୍‌ରାଇଜର୍ସ ମାତ୍ର ୨୯ ରନ୍ ଯୋଡ଼ି ପାରିଥିଲା। ଫଳରେ ୨୦୦ ରନ୍ ଟପିବାର ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲା। ବିଶେଷ କରି ଅଧିନାୟକ କେନ୍ ୱିଲିୟମସନ୍ ଏବଂ ଅଲରାଉଣ୍ଡର ୱାସିଂଟନ୍ ସୁନ୍ଦର ଶେଷ ଓଭରଗୁଡ଼ିକରେ ରନ୍ ହାର ବଢ଼ାଇବାରେ ଏକବାର ବିଫଳ ହୋଇଥିଲେ। ଉଭୟ ମିଳିତ ଭାବେ ଶେଷ ୧୪ ବଲ୍ ଖେଳି ମାତ୍ର ୧୭ ରନ୍ ଯୋଡ଼ିଥିଲେ। ଫଳରେ ସନ୍‌ରାଇଜର୍ସ ୬ ୱିକେଟ୍ ବିନିମୟରେ ୧୯୩ ରନ୍ କରିପାରିଥିଲା।

ସମ୍ବନ୍ଧିତ ଖବର