ଆଇପିଏଲ୍‌ ୧୨: କାମକୁ ଆସିଲାନି ଡିଭିଲିୟର୍ସଙ୍କ ଅର୍ଦ୍ଧଶତକ, ବେଙ୍ଗାଲୁରୁକୁ ୬ ରନରେ ହରାଇଲା ମୁମ୍ବାଇ

ବେଙ୍ଗାଲୁରୁ: ଏବି ଡିଭିଲିୟର୍ସଙ୍କ ଅପରାଜିତ ଅର୍ଦ୍ଧଶତକ (୭୦ ରନ୍‌, ୪୧ ବଲ, ୪ ଚୌକା, ୬ ଛକା) ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର କାମକୁ ଆସିନାହିଁ। ମୁମ୍ବାଇ ଇଣ୍ଡିଆନସ୍‌ ଗୁରୁବାର ବେଙ୍ଗାଲୁରୁକୁ ୬ ରନ୍‌ରେ ପରାସ୍ତ କରିଛି। ଏଥି ସହିତ ମୁମ୍ବାଇକୁ ଚଳିତ ଆଇପିଏଲ୍‌ରେ ପ୍ରଥମ ବିଜୟ ମିଳିଛି। ବେଙ୍ଗାଲୁରୁ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ ହରାଇ ୧୮୧ ରନ୍‌ କରିଛି। ଶେଷ ଓଭରରେ ବେଙ୍ଗାଲୁରୁକୁ ବିଜୟ ପାଇଁ ୧୭ ରନ୍‌ ଦରକାର ଥିବା ବେଳେ ୧୦ ରନ୍‌ କରିପାରିଛି।

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୭ମ ମ୍ୟାଚରେ ବେଙ୍ଗାଲୁରୁକୁ ମୋଇନ୍‌ ଅଲୀ ଭାବେ ପ୍ରଥମ ଓ୍ଵିକେଟ ଲାଗିଥିଲା। ୩.୨ ଓଭରରେ ସ୍କୋର ୨୭ ରନ୍‌ ଥିବା ବେଳେ ମୋଇନ୍‌ ୧୩ ରନ୍‌ କରିବା ପରେ ରୋହିତଙ୍କ ଦ୍ୱାରା ରନ୍‌ ଆଉଟ୍‌ ହୋଇଥିଲେ। ସ୍କୋର ୬୭ ରନ୍‌ ଥିବା ବେଳେ ପାର୍ଥିବ ପଟେଲ, ୧୧୬ ରନ୍‌ରେ ଅଧିନାୟକ ବିରାଟ କୋହଲି, ୧୪୭ ରନ୍‌ରେ ସମିରନ୍‌ ହେଟମେୟର ଆଉଟ୍‌ ହୋଇଥିଲେ।

ପାର୍ଥିବ ୨୨ ବଲ ଖେଳି ୩୧ ରନ୍‌, ବିରାଟ ୩୨ ବଲ ଖେଳି ୪୬ ରନ୍‌, ସମିରନ୍‌ ୬ ବଲ ଖେଳି ୫ ରନ୍‌ କରିଥିଲେ। ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମରା ୩ଟି ଓ୍ଵିକେଟ୍‌ ନେଇଥିବା ବେଳେ ମୟଙ୍କ ମାର୍କଣ୍ଡେୟ ଗୋଟିଏ ଓ୍ଵିକେଟ ନେଇଛନ୍ତି।

ପ୍ରଥମ ଇନିଂସରେ ମୁମ୍ବାଇ ଇଣ୍ଡିଆନସ୍‌ ବେଙ୍ଗାଲୁରୁ ବିପକ୍ଷରେ ଗୁରୁବାର ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ ହରାଇ ୧୮୭ ରନ୍‌ କରିଥିଲା। ଫଳରେ ବେଙ୍ଗାଲୁରୁକୁ ୧୮୮ ରନ୍‌ ଟାର୍ଗେଟ ମିଳିଥିଲା। ୟୁଯବେନ୍ଦ୍ର ଚହଲଙ୍କୁ ୪ଟି ଓ୍ଵିକେଟ ମିଳିଥିବା ବେଳେ ଉମେଶ ଯାଦବ ଏବଂ ମହମ୍ମଦ ସିରାଜ ୨-୨ ଓ୍ଵିକେଟ ନେଇଥିଲେ।

Hindustan Times

ସ୍ଥାନୀୟ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଘରୋଇ ବେଙ୍ଗାଲୁରୁ ଟିମ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ମୁମ୍ବାଇ ବ୍ୟାଟିଂ କରିଥିଲା। ଦଳ ଆରମ୍ଭରୁ ଭଲ ଖେଳିଥିଲେ ବି ପରବର୍ତ୍ତୀ ସମୟରେ ଖେଳାଳି ମାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଓପନ୍‌ର କୁଇଣ୍ଟନ୍‌ ଡି କକ୍‌ ୨୩ ରନ୍‌, ଅଧିନାୟକ ରୋହିତ ଶର୍ମା ୪୮ ରନ୍‌, ସୂର୍ଯ୍ୟକୁମାର ୩୮ ରନ୍‌ ଏବଂ ଯୁବରାଜ ସିଂହ ୨୩ ରନ ଯୋଡ଼ିଥିଲେ। ମାତ୍ର ଶେଷ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରିଥିଲେ। ଅପରାଜିତ ପାଭଳିଅନ ଫେରିବା ପୂର୍ବରୁ ପାଣ୍ଡ୍ୟା ୧୪ ବଲ ଖେଳି ୩୨ ରନ୍‌ କରିଥିଲେ। ଏଥିରେ ୨ଟି ଚୌକା ଏବଂ ୩ଟି ଛକା ସାମିଲ ଥିଲା।

ମଧ୍ୟକ୍ରମର ବ୍ୟାଟସ୍‌ମ୍ୟାନ୍‌ କିରଣ ପୋଲାର୍ଡ ୧ ରନ୍‌ ଓ ମିଚେଲ ମ୍ୟାକଲିଂଘନ ୧ ରନ୍‌ କରିଥିଲେ। ମୁମ୍ବାଇ ୫୪ ରନ୍‌ରେ ପ୍ରଥମ ଓ୍ଵିକେଟ ଭାବରେ ଡି କକ୍‌, ୮୭ ରନ୍‌ରେ ରୋହିତ ଶର୍ମା, ୧୨୪ ରନ୍‌ରେ ଯୁବରାଜ ସିଂହ ଓ ୧୪୨ ରନ୍‌ରେ ସୂର୍ଯ୍ୟକୁମାର ଯାଦବଙ୍କୁ ହରାଇଥିଲା। ଏହା ପରେ ଦଳର ଅନ୍ୟ ଖେଳାଳି ମାନେ ଭଲ ବ୍ୟାଟିଂ କରି ନଥିଲେ।

ସମ୍ବନ୍ଧିତ ଖବର