ମୁମ୍ବାଇ: ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲ୍ରେ ଲଗାତାର ଦ୍ବିତୀୟ ବିଜୟ ପାଇଛି। କ୍ରମାଗତ ୨ ପରାଜୟରୁ ଆରମ୍ଭ କରିଥିବା ଏହି ଦଳ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ବିଜୟ ଧାରାକୁ ଫେରିଥିଲା। ଏବେ ରବିବାର ନିଜ ଘରୋଇ ଷ୍ଟାଡିୟମ ୱାଙ୍ଖ୍ଡେରେ କୋଲ୍କାତା ନାଇଟ୍ ରାଇଡର୍ସକୁ ୫ ୱିକେଟ୍ରେ ମାତ୍ ଦେଇଛି। ପରାଜୟ ସତ୍ତ୍ବେ କେକେଆର୍ ପଞ୍ଚମ ସ୍ଥାନରେ ଅପରିବର୍ତିତ ରହିଥିଲା ବେଳେ ବିଜୟ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ନବମରୁ ଅଷ୍ଟମକୁ ଉଠିଛି ।
ରବିବାର ୧୮୬ ରନ୍ର ପିଛା କରିଥିବା ମୁମ୍ବାଇ ୧୪ ବଲ୍ ପୂର୍ବରୁ ବିଜୟ ହାସଲ କରିନେଇଥିଲା। ଦୁଇ ଓପନର୍ ରୋହିତ ଶର୍ମା ଓ ଈଶାନ କିଶନ ୪.୫ ଓଭରରେ ୬୫ ରନ୍ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ଇମ୍ପାକ୍ଟ ଖେଳାଳି ରୋହିତ ୨୦ ରନ୍ରେ ଆଉଟ ହେବା ପରେ କାମଚଳା ଅଧିନାୟକ ସୂର୍ଯ୍ୟକୁମାର ଯାଦବ କ୍ରିଜ୍କୁ ଆସିଥିଲେ। ସୂର୍ଯ୍ୟକୁମାର ଓ ଈଶାନ ଦ୍ବିତୀୟ ୱିକେଟ୍ରେ ୨୨ ରନ୍ ଯୋଡ଼ିଥିଲେ। ଦଳୀୟ ସ୍କୋର୍ ୮୭ ରନ୍ ଥିଲା ବେଳେ ଈଶାନ (୫୮)ଙ୍କୁ ବରୁଣ ଚକ୍ରବର୍ତ୍ତୀ ବୋଲ୍ଡ କରି ଦେଇଥିଲେ। ସୂର୍ଯ୍ୟକୁମାର (୪୩) ଓ ତିଲକ ବର୍ମା (୩୦) ଦଳକୁ ବିଜୟର ନିକଟତର କରିଥିଲେ। ଉଭୟ ୮ ରନ୍ ମଧ୍ୟରେ ପ୍ୟାଭିଲିୟନ ଫେରିବା ପରେ ଟିମ୍ ଡେଭିଡ (୨୪*) ଅପରାଜିତ ରହି ଦଳକୁ ବିଜୟ ଭେଟି ଦେଇଥିଲେ।
ପୂର୍ବରୁ ପେଟ ଯନ୍ତ୍ରଣା ଯୋଗୁଁ ଚୂଡ଼ାନ୍ତ ଏକାଦଶରେ ନିୟମିତ ଅଧିନାୟକ ରୋହିତ ସ୍ଥାନ ପାଇନଥିଲେ। ଫଳରେ ସୂର୍ଯ୍ୟକୁମାର ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ବ ନେଇଥିଲେ। ଟସ୍ ଜିତି ସୂର୍ଯ୍ୟକୁମାର କେକେଆର୍କୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ। ଗୋଟିଏ ପଟେ ନିୟମିତ ବ୍ୟବଧାନରେ କେକେଆର୍ ୱିକେଟ୍ ହରାଉଥିଲା ବେଳେ ତୃତୀୟ ସ୍ଥାନରେ ଖେଳିଥିବା ଭେଙ୍କଟେଶ ଆୟର (୧୦୪, ୫୧ ବଲ୍, ୬ ଚୌକା, ୯ ଛକା) ଶତକ ଅର୍ଜନ କରି ଦଳକୁ ବଡ଼ ସ୍କୋର୍ କରିବାରେ ସାହାଯ୍ୟ କରିଥିଲେ। ତାଙ୍କର ବିସ୍ଫୋରକ ପାଳି ସହ ଆନ୍ଦ୍ରେ ରସେଲ (୨୧*) ଓ ରିଙ୍କୁ ସିଂହ (୧୮)ଙ୍କ ଉପଯୋଗୀ ପାଳି ବଳରେ ଦଳ ୧୮୫/୬ କରିପାରିଥିଲା। ପୀୟୂଷ ଚାୱଲା (୪-୦-୧୯-୧)ଙ୍କ ଇକୋନୋମୀ ବୋଲିଂ ପାଇଁ କେକେଆର୍ ୨୦୦ ରନ୍ ଛୁଇଁ ପାରିନଥିଲା। ପରାଜୟ ସତ୍ତ୍ବେ କେକେଆର୍ ବ୍ୟାଟର୍ ଭେଙ୍କଟେଶଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
୧୫ ବର୍ଷ ଶତକ ମରୁଡ଼ିର ଅନ୍ତ
କୋଲ୍କାତା ନାଇଟ୍ ରାଇଡର୍ସ ବ୍ୟାଟର୍ ଭେଙ୍କଟେଶ ଆୟର ରବିବାର ୱାଙ୍ଖ୍ଡେ ଷ୍ଟାଡୟମ୍ରେ ଖେଳାଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ରେ ୪୯ ବଲ୍ରୁ ଶତକ ଅର୍ଜନ କରିଥିଲେ। ଏଥିସହ ସେ କେକେଆର୍ ପାଇଁ ୧୫ ବର୍ଷ ଶତକ ମରୁଡ଼ି ଅନ୍ତ ଘଟାଇଛନ୍ତି। ୨୦୦୮ ପ୍ରଥମ ସଂସ୍କରଣରେ ହିଁ ବ୍ରେଣ୍ଡନ ମ୍ୟାକ୍ଲମ କେକେଆର୍ ପକ୍ଷରୁ ଶତକ ଅର୍ଜନ କରିଥିଲେ। ମ୍ୟାକ୍କଲମ ୭୩ ବଲ୍ରେ ୧୫୮* ରନ୍ କରିଥିଲେ। ରବିବାର ଭେଙ୍କଟେଶ ୫୧ ବଲ୍ରେ ୧୦୪ ରନ୍ କରି ମ୍ୟାକ୍ଲମଙ୍କ କ୍ଲବ୍ରେ ସାମିଲ ହୋଇଛନ୍ତି। ଚଳିତ ଆଇପିଏଲ୍ରେ ଏହା ଦ୍ବିତୀୟ ଶତକ। ପୂର୍ବରୁ କେକେଆର୍ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦର ହ୍ୟାରି ବ୍ରୁକ୍ ଶତକ ଅର୍ଜନ କରିଥିଲେ।