ହାଇଦ୍ରାବାଦ: ବିଶ୍ବକପ୍ ଲାଗି ଦଳ ଚୟନ ବେଳେ ଆଇପିଏଲ୍ ପ୍ରଦର୍ଶନକୁ ବିଚାରକୁ ନିଆଯିବ ନାହିଁ। ଏହାର କୌଣସି ପ୍ରଭାବ ଦଳ ବାଛିବା ଉପରେ ପଡ଼ିବ ନାହିଁ। ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଶୁକ୍ରବାର ଏହା ସ୍ପଷ୍ଟ କରି ଦେଇଛନ୍ତି। ସେହିଭଳି ୧୫ ଜଣିଆ ଦଳ ଭିତରୁ ଦ୍ବାଦଶ ଓ ତ୍ରୟୋଦଶ ସ୍ଥାନ ପାଇଁ ଖେଳାଳି ଆପାତତଃ ବଛା ଯାଇ ସାରିଥିବା ସେ ସଙ୍କେତ ଦେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ ପୂର୍ବରୁ ଶୂକ୍ରବାର ଆୟୋଜିତ ସାମ୍ବଦିକ ସମ୍ମିଳନୀରେ କୋହଲି କହିଛନ୍ତି ଯେ ଆଇପିଏଲର କୌଣସି ପ୍ରଭାବ ବିଶ୍ବକପ୍ ଦଳ ଚୟନ ଉପରେ ପଡ଼ିବ ବୋଲି ମୁଁ ଭାବୁନାହିଁ। ମୁଁ ଭାବୁଛି ତାହା ଅତ୍ୟନ୍ତ ଉଗ୍ର ବିଶ୍ଲେଷଣ ହେବ। ମୋ ମତରେ ଗୋଟିଏ ଭଲ ଆଇପିଏଲ୍ ଆମ ଭାବନାରେ ବିଶେଷ ଫରକ ପକାଇବ ନାହିଁ। ଆମକୁ ଶ୍ରେଷ୍ଠ ଦଳ ବାଛିବାକୁ ହେବ। ଆଇପିଏଲକୁ ଯିବା ପୂର୍ବରୁ ହିଁ ବିଶ୍ବକପ୍ ବେଳେ ଆମକୁ କେଉଁ ପ୍ରକାର ଦଳ ଦରକାର ସେ ନିଷ୍ପତ୍ତି ନେବାକୁ ହେବ। ଜଣେ ଦୁଇ ଜଣ ଖେଳାଳି ଯଦି ଆଇପିଏଲରେ ଭଲ ଖେଳି ନପାରିନ୍ତି, ତା ମାନେ ନୁହେଁ ଯେ ସେମାନେ ବିଶ୍ବକପ୍ ଦଳରେ ସ୍ଥାନ ପାଇବେ ନାହିଁ। ଲୋକେଶ ରାହୁଲ ଅଷ୍ଟ୍ରେଲିଆରେ ପୂରା ବିଫଳ ହୋଇଥିଲେ ମଧ୍ୟ କୋହଲି ଏହି ଅବସରରେ ତାଙ୍କୁ ସମର୍ଥନ କରିଥିଲେ। ରାହୁଲଙ୍କୁ ନେଇ କୋହଲି କହିଥିଲେ, ସେ ଜଣେ ବିଶ୍ବ ସ୍ତରୀୟ ଖେଳାଳି। ସେ ଯେତେବେଳେ ଫର୍ମରେ ଥାଆନ୍ତି ଅଲଗା ସ୍ତରର କ୍ରିକେଟ୍ ଖେଳନ୍ତି।