ଆଇପିଏଲ୍‌ ଉଦ୍‌ଘାଟନୀ ଉତ୍ସବରେ ସାମିଲ ହେବେନି ୬ ଅଧିନାୟକ

ନୂଆଦିଲ୍ଲୀ: ଆଗାମୀ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଉଦ୍‌ଘାଟନୀ ଉତ୍ସବରେ ୬ ଦଳର ଅଧିନାୟକଙ୍କୁ ଦେଖିବାକୁ ମିଳିବନି। ଏପ୍ରିଲ୍‌ ୭ ତାରିଖରେ ମୁମ୍ବାଇରେ ହେବାକୁଥିବା ଉଦ୍‌ଘାଟନୀ ଉତ୍ସବରେ କେବଳ ପ୍ରଥମ ମ୍ୟାଚ୍‌ ଖେଳିବାକୁ ଥିବା ଦୁଇ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ (ରୋହିତ ଶର୍ମା ଏବହ ମହେନ୍ଦ୍ର ସିଂହ ଧୋନି) ଉପସ୍ଥିତ ରହିବେ। ପୂର୍ବରୁ ଗତବର୍ଷ ପର୍ଯ୍ୟନ୍ତ ଉଦ୍‌ଘାଟନୀ ଉତ୍ସବ ପ୍ରତିଯୋଗିତା ଆରମ୍ଭର ଗୋଟିଏ ଦିନ ପୂର୍ବରୁ ହେଉଥିଲା। ଫଳରେ ପ୍ରତ୍ୟେକ ଦଳର ଅଧିନାୟକ ଏକଜୁଟ ହୋଇ ଶପଥ ନେଉଥିଲେ। କିନ୍ତୁ ଚଳିତ ବର୍ଷ ଏକା ଦିନରେ ଉଭୟ ଉଦ୍‌ଘାଟନୀ ଉତ୍ସବ ଏବଂ ମ୍ୟାଚ୍‌ ଖେଳାଯିବାକୁ ଥିବାରୁ ଅନ୍ୟ ଫ୍ରାଞ୍ଚାଇଜ୍‌ର ଅଧିନାୟକମାନେ ଉପସ୍ଥିତ ରହିବା ଜରୁରୀ ନୁହେଁ ବୋଲି ଆଇପିଏଲ୍‌ ପରିଚାଳନା ପରିଷଦରେ ନିଷ୍ପତ୍ତି ନିଆଯାଇଥିବା ବିସିସିଆଇ କହିଛି। ଉଦ୍‌ଘାଟନୀ ଉତ୍ସବର ପୂର୍ବ ଦିନ ଅର୍ଥାତ୍‌ ୬ ତାରିଖରେ ସମସ୍ତ ୮ ଦଳର ଅଧିନାୟକ ଭିଡିଓ ସୁଟିଂ ସାରି ସନ୍ଧ୍ୟା ବେଳକୁ ନିଜ ନିଜ ମ୍ୟାଚ୍‌ ଖେଳିବା ସ୍ଥାନକୁ ଫେରିଯିବେ। ୮ ତାରିଖରେ ଦୁଇଟି ମ୍ୟାଚ୍‌ (ଦିଲ୍ଲୀ ଡେୟାର ଡେଭିଲ୍‌ସ ବାନମ କିଙ୍ଗ୍‌ସ ଏକାଦଶ ପଞ୍ଜାବ ଏବଂ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ କୋଲ୍‌କାତା ନାଇଟ୍‌ ରାଇଡର୍ସ) ରହିଛି। ଫଳରେ ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ଅଧିନାୟକମାନେ ତା’ପର ଦିନ ମ୍ୟାଚ୍‌କୁ ଓହ୍ଲାଇବା ଦଳ ଉପରେ ଚାପ ରହିବ। ଏହି ସବୁ କାରଣ ଯୋଗୁଁ ବିସିସିଆଇ ଏହି ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର