ଆଇପିଏଲ୍‌ ଉଦ୍‌ଘାଟନୀରେ ମୁମ୍ବାଇ-ଚେନ୍ନାଇ

୫୧ ଦିନ୬୦ ମ୍ୟାଚ୍‌ ୯ ସହର

ମୁମ୍ବାଇ: ଚଳିତ ବର୍ଷର ଆଇପିଏଲ୍‌ ଆସନ୍ତା ଏପ୍ରିଲ ମାସ ୭ ତାରିଖରୁ ଆରମ୍ଭ ହେବ। ଏହି ଲୋକପ୍ରିୟ ତଥା ଚର୍ଚିତ ଟେ୍ଵଣ୍ଟି-୨୦ କ୍ରିକେଟ୍‌ ଲିଗ୍‌ର ଉଦଘାଟନୀ ଦିବସରେ ଗତବର୍ଷର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ ଦୁଇ ଥର ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ ମୁହାଁ ମୁହିଁ ହେବେ। ଫାଇନାଲ୍‌ ମ୍ୟାଚ୍‌ ମେ’ ୨୭ ତାରିଖରେ ସେହି ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ଚଳିତ ବର୍ଷର ଆଇପିଏଲ୍‌ ୫୧ ଦିନ ଧରି ଏବଂ ୯ ସ୍ଥାନରେ ଖେଳାଯିବ। ଚେନ୍ନାଇର ଏମଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ ଏବଂ ଜୟପୁରର ସବାଇ ମାନସିଂହ ଷ୍ଟାଡିୟମ୍‌ ଚେନ୍ନାଇ ସୁପରକିଙ୍ଗ୍ସ୍‌ ଏବଂ ରାଜସ୍ଥାନ ରୟାଲ୍ସର ଘରୋଇ ମ୍ୟାଚ୍‌ ଆୟୋଜନ କରିବେ। ଦୁଇ ବର୍ଷର ବାସନ୍ଦାଦେଶ ପରେ ଏହି ଦୁଇ ଦଳ ଆଇପିଏଲ୍‌କୁ ଫେରିଥିବାରୁ ସେମାନଙ୍କୁ ନେଇ ଅନେକ ଉତ୍ସାହ ପରିଲକ୍ଷିତ ହେଉଛି। ଉଭୟ ଦଳ ପ୍ରତ୍ୟାବର୍ତନ ବର୍ଷରେ ନିଜ ନିଜର ପୁରୁଣା ଚମକ ଦେଖାଇବା ଲକ୍ଷ୍ୟରେ ରହିଛନ୍ତି। ଅନ୍ୟ ପକ୍ଷରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଉଭୟ ମୋହାଲି ଏବଂ ଇନ୍ଦୋରକୁ ନିଜ ଘରୋଇ ପଡ଼ିଆ କରିବ। ଇନ୍ଦୋରରେ ୩ ଏବଂ ମୋହାଲିରେ ୪ ମ୍ୟାଚ୍‌ ଖେଳିବ। ୬୦ ମ୍ୟାଚ୍‌ ମଧ୍ୟରୁ ୧୨ଟି ଅପରାହ୍ନ ୪ଟା ଏବଂ ବଳକା ୪୮ଟି ରାତି ୮ଟାରେ ଆରମ୍ଭ ହେବ। ପ୍ରତିଯୋଗିତାର ପ୍ରଥମ ଯୁଗଳ ଲଢ଼େଇ ଏପ୍ରିଲ ୮ ତାରିଖରେ ଆୟୋଜିତ ହେବ। ସେହିଦିନ ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀ ଡେୟାର ଡେଭିଲ୍ସ ଏବଂ କିଙ୍ଗ୍ସ ଏକାଦଶ ପଞ୍ଜାବ ଏବଂ ଦ୍ୱିତୀୟରେ କୋଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚାଲେଞ୍ଜସ ବାଙ୍ଗାଲୋର ଭେଟା ଭେଟି ହେବେ। ରାଜସ୍ଥାନ ରୟାଲ୍ସ ତା’ର ପ୍ରଥମ ମ୍ୟାଚ୍‌ ଏପ୍ରିଲ ୯ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରୁ ଆରମ୍ଭ କରିବ। କିଙ୍ଗ୍ସ ଏକାଦଶ ପଞ୍ଜାବ ବ୍ୟତୀତ ଅନ୍ୟ ୭ଟି ଯାକ ଦଳ ନିଜ ନିଜ ପୁରୁଣା ପଡ଼ିଆରେ ଲିଗ୍‌ ପର୍ଯ୍ୟାୟର ସମସ୍ତ ୭ ମ୍ୟାଚ୍‌ ଖେଳିବେ। ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଉଦଘାଟନୀ ଏବଂ ଉଦଯାପନୀ ମ୍ୟାଚ୍‌ ଛଡ଼ା ମେ ୨୨ରେ ପ୍ରଥମ କ୍ୱାଲିଫାୟର ଖେଳାଯିବ। ଦ୍ୱିତୀୟ କ୍ୱାଲିଫାୟର ଏବଂ ଏଲିମିନେଟର ମ୍ୟାଚ୍‌ ସ୍ଥାନ ପରେ ଘୋଷଣା କରାଯିବ। ରାତି ମ୍ୟାଚ୍‌ ୭ଟାରୁ ଆରମ୍ଭ ହେବ ବୋଲି ପୂର୍ବରୁ ଖବର ପ୍ରକାଶ ପାଇଥିଲେ ମଧ୍ୟ ଚଳିତ ବର୍ଷ ଭଳି ଏବର୍ଷ ମଧ୍ୟ ମ୍ୟାଚ୍‌ ୮ଟାରେ ଆରମ୍ଭ ହେବ ବୋଲି ବିସିସିଆଇ ବୁଧବାର ଘୋଷଣା କରିଥିବା ସୂଚୀରୁ ସ୍ପଷ୍ଟ ହୋଇ ଯାଇଛି।

ସମ୍ବନ୍ଧିତ ଖବର