ଆଜିଠୁ ଆଇପିଏଲ୍‌ ଖେଳାଳି ନିଲାମ: ଶ୍ରେୟସ, ଶାର୍ଦୁଳ ଓ ଈଶାନଙ୍କ ଚାହିଦା ଅଧିକ

ବେଙ୍ଗାଲୁରୁ : ଆଇପିଏଲ୍‌ର ପଞ୍ଚଦଶ ସଂସ୍କରଣ ପାଇଁ ଖେଳାଳି ନିଲାମ ଶନିବାର ପୂର୍ବାହ୍‌ଣ ୧୧ଟାଠାରୁ ଆରମ୍ଭ ହେବ। ବେଙ୍ଗାଲୁରୁରେ ଏହି ଦୁଇ ଦିନିଆ ନିଲାମ ପ୍ରକ୍ରିୟା ଚାଲିବାକୁ ଥିଲା ବେଳେ ଅଂଶଗ୍ରହଣକାରୀ ୧୦ ଦଳ ସେମାନଙ୍କ ବଳକା ରାଶି ବିନିଯୋଗ କରି ଶ୍ରେଷ୍ଠ ଖେଳାଳିଙ୍କୁ କିଣିବା ପାଇଁ ପ୍ରତିଦ୍ବନ୍ଦ୍ବିତା କରିବେ। ଆଇପିଏଲ୍‌ କର୍ତ୍ତୃପକ୍ଷ ମୋଟ ୫୯୦ ଖେଳାଳିଙ୍କୁ ନିଲାମ ପାଇଁ ତାଲିକାଭୁ୍କ୍ତ କରିଥିଲା ବେଳେ ସେମାନଙ୍କ ମଧ୍ୟରେ ୨୨୭ ବିଦେଶୀ ଖେଳାଳି ସାମିଲ ଅଛନ୍ତି। ତେବେ ଭାରତୀୟଙ୍କ ମଧ୍ୟରେ ବିସ୍ଫୋରକ ବ୍ୟାଟର୍‌ ଶ୍ରେୟସ ଆୟର, ଅଲ୍‌ରାଉଣ୍ଡର ଶାର୍ଦୁଳ ଠାକୁର ଏବଂ ୱିକେଟ୍‌ରକ୍ଷକ ଈଶାନ କିଶନଙ୍କ ଚାହିଦା ଅଧିକ ରହିଛି। ବିଶେଷକରି ଶ୍ରେୟସ ଏବଂ ଶାର୍ଦୁଳ ପୂର୍ବ ତୁଳନାରେ ଯଥେଷ୍ଟ ଆର୍ଥିକ ଫାଇଦା ପାଇବେ ବୋଲି ଅନୁମାନ କରାଯାଇଛି। ଏପରିକି ୧୦ରୁ ଅଧିକ ଭାରତୀୟ ଖେଳାଳି ୧୦ କୋଟିରୁ ଅଧିକ ଦରରେ ବିକ୍ରି ହେବାର ସମ୍ଭାବନା ରହିଛି। କେତେକ ମଧ୍ୟ ୨୦ କୋଟି ପାଖାପାଖି ପହଞ୍ଚିପାରନ୍ତି ବୋଲି କୁହାଯାଉଛି।

ଶ୍ରେୟସ, ଶାର୍ଦୁଳ ଏବଂ ଈଶାନ ଏହି ‌୨୦ କୋଟି ସୀମା ଛୁଇଁବାର ସମ୍ଭାବନାକୁ ଏଡାଇ ଦେଇହେବ ନାହିଁ। ଏମାନଙ୍କୁ କିଣିବା ପାଇଁ ଫ୍ରାଞ୍ଚାଇଜ୍‌ଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହେବା ନିଶ୍ଚିତ। ସେହିପରି ଆନ୍ତର୍ଜାତିକ ଅଭିଜ୍ଞତା ବଳରେ ଦୀପକ ଚହର ଏବଂ ୟୁଝ୍‌ବେନ୍ଦ୍ର ଚହଲ ମଧ୍ୟ ୧୫ କୋଟି ସୀମାରେ ପହଞ୍ଚିବାର ସାମର୍ଥ୍ୟ ରଖିଛନ୍ତି। ବିରାଟ କୋହଲି (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର), ମହେନ୍ଦ୍ର ସିଂହ ଧୋନି (ଚେନ୍ନାଇ ସୁପର କିଙ୍ଗ୍‌ସ), ରୋହିତ ଶର୍ମା (ମୁମ୍ବାଇ ଇଣ୍ଡିଆନ୍‌ସ) ଭଳି ବଡ଼ ତାରକାଙ୍କୁ ସେମାନଙ୍କ ପୂର୍ବ ଫ୍ରାଞ୍ଚାଇଜ୍‌ ନିଜ ପାଖରେ ରଖିଥିଲା ବେଳେ ନୂଆ ଫ୍ରାଞ୍ଚାଇଜ୍‌ ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସ କେଏଲ୍‌ ରାହୁଲଙ୍କୁ ୧୭ କୋଟିରେ କିଣିସାରିଛି। ତେଣୁ ମଧ୍ୟକ୍ରମ ବ୍ୟାଟିଂ ସାଙ୍ଗକୁ ସ୍ପିନରଙ୍କ ଉପରେ ଦଳଗୁଡ଼ିକର ନଜର ରହିବ। ଫଳରେ ପଞ୍ଜାବ କିଙ୍ଗ୍‌ସ, ସନ୍‌ରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍‌ ବିଶେଷକରି ଶ୍ରେୟସ ଓ ଶାର୍ଦୁଳଙ୍କୁ କିଣିବା ପାଇଁ ଟଣାଓଟରା ହେବେ। ପୁଣି ଗତ ସଂସ୍କରଣରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଦ୍ରୁତ ବୋଲର ହର୍ଷଲ ପଟେଲ ଏଥର ୫ ଗୁଣା ଅଧିକ ରାଶିରେ ବିକ୍ରି ହେବାର ସମ୍ଭାବନା ରହିଛି। ଅମ୍ବାତି ରାୟୁଡୁ ମଧ୍ୟ ୫ କୋଟି ଟପିବାର ସମ୍ଭାବନା ଥିଲା ବେଳେ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଏବଂ ଆଜିଙ୍କ୍ୟ ରହାଣେ ମୂଳଦରଠୁ ସାମାନ୍ୟ ଅଧିକରେ ବିକ୍ରି ହୋଇପାରନ୍ତି।

ବିଦେଶୀଙ୍କ ମଧ୍ୟରେ ୱାର୍ଣ୍ଣର, ଡି’ କକ୍‌, ରବାଦା ଓ ହୋଲ୍‌ଡରଙ୍କ ଉପରେ ନଜର
ଆଇପିଏଲ୍‌ ନିଲାମ ବେଳେ ବିଦେଶୀ ଖେଳାଳିଙ୍କ ମଧ୍ୟରୁ ବିଶେଷକରି ଡେଭିଡ୍‌ ୱାର୍ଣ୍ଣର, କ୍ବିଣ୍ଟନ ଡି’ କକ୍‌, କାଗିସୋ ରବାଦା ଏବଂ ଜାସନ୍‌ ହୋଲ୍‌ଡର ସବୁ ଫ୍ରାଞ୍ଚାଇଜ୍‌ଙ୍କ ନଜରରେ ରହିବେ। ଫର୍ମକୁ ଫେରିଥିବା ଅଷ୍ଟ୍ରେଲୀୟ ଓପ୍‌ନର ୱାର୍ଣ୍ଣରଙ୍କୁ ପ୍ରାୟ ୨ ମିଲିୟନ୍‌ ଡଲାରରେ କିଣିବା ପାଇଁ ଅତିକମ୍‌ରେ ୩ ଫ୍ରାଞ୍ଚାଇଜ୍‌ ଟଣାଟଣି ହେବେ। ତେବେ ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସ ତାଙ୍କ ପାଇଁ ପକେଟ ଖୋଲିଦେବାର ଲକ୍ଷ୍ୟ ରଖିଛି। ପୁଣି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୱେଷ୍ଟ୍‌ଇଣ୍ଡିଜ୍‌ ଅଲ୍‌ରାଉଣ୍ଡର ଜାସନ୍‌ ହୋଲ୍‌ଡରଙ୍କୁ ୧୨ କୋଟିରେ କିଣିବାକୁ ଯୋଜନା କରିଛି। ଅନ୍ୟତମ ଇଣ୍ଡିଜ୍‌ ଖେଳାଳି ଭାବେ ପୁରୁଖା ଡ୍ବାନ୍‌ ବ୍ରାଭୋ, ଓଡେନ୍‌ ସ୍ମିଥ୍‌ ଏବଂ ରୋମାରିଓ ସିଫର୍ଡ ମଧ୍ୟ ଆଶାଠୁ ଅଧିକ ଦରରେ ବିକ୍ରି ହେବାର ସାମର୍ଥ୍ୟ ରଖିଛନ୍ତି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଓପ୍‌ନର କ୍ବିଣ୍ଟନ ଡି’ କକ୍‌ଙ୍କୁ ଏକାଧିକ ଫ୍ରାଞ୍ଚାଇଜ୍‌ ନିଜ ପଟକୁ ନେବା ପାଇଁ ପ୍ରତିଦ୍ବନ୍ଦ୍ବିତା କରିବାକୁ ଥିଲା ବେଳେ ସେହି ଦେଶର ଦ୍ରୁତ ବୋଲର ଅନ୍‌ରିକ୍‌ ନର୍ଖିୟା ଏବଂ କାଗିସୋ ରବାଦାଙ୍କୁ ଲକ୍ଷ୍ନୌ ନେବାକୁ ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର