ବଦଳିଲା ଆଇପିଏଲ୍‌ ଖେଳାଳି ରକ୍ଷଣ ନିୟମ, ପୁରୁଣା ଦଳ ୪ ଜଣଙ୍କୁ ରଖିପାରିବେ

ନୂଆ ଦଳ ଆଗୁଆ ୩ ଜଣଙ୍କୁ ବାଛିପାରିବେ, ନିଲାମ ବେଳେ ଆର୍‌ଟିଏମ୍‌ ଉପଲବ୍ଧ ହେବନି

ନୂଆଦିଲ୍ଲୀ: ଆଗାମୀ ୨୦୨୨ ଆଇପିଏଲ୍‌ ଖେଳାଳି ନିଲାମ ପୂର୍ବରୁ ରକ୍ଷଣ (ରିଟେନ୍‌ସନ) ନିୟମାବଳୀ ପ୍ରକାଶ ପାଇଛି। ଏହି ନିୟମ ଅନୁଯାୟୀ ନିଲାମ ପୂର୍ବରୁ ପୁରୁଣା ୮ ଫ୍ରାଞ୍ଚାଇଜ୍‌ ନିଜ ପାଖରେ ସେମାନଙ୍କ ପସନ୍ଦର ୪ ଜଣ ଲେଖାଏଁ ଖେଳାଳିଙ୍କୁ ରଖିପାରିବେ। ଏଥିପାଇଁ ୨ଟି ଭିନ୍ନ ବିକଳ୍ପ ମଧ୍ୟ ରଖାଯାଇଛି। ପ୍ରଥମେ ୩ ଜଣ ଭାରତୀୟ ଏବଂ ଜଣେ ବିଦେଶୀ ଖେଳାଳି ରହିପାରିବେ। ନଚେତ ଦ୍ବିତୀୟରେ ୨ ଜଣ ଲେଖାଏଁ ଭାରତୀୟ ଏବଂ ବିଦେଶୀ ଖେଳାଳିଙ୍କୁ ରଖିପାରିବେ। ଏହାପରେ ଅବଶିଷ୍ଟ ଖେଳାଳିମାନେ ନିଲାମକୁ ଚାଲିଯିବେ। ୩ ଜଣ ଭାରତୀୟଙ୍କ ମଧ୍ୟରେ ଅଭିଜ୍ଞ ଓ ଅନଭିଜ୍ଞ ଖେଳାଳି ରହିପାରିବେ। ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌ ପାଇଁ ମଧ୍ୟ ଖେଳାଳି ନିଲାମ ପାଇଁ ସର୍ବାଧିକ ୯୦ କୋଟି ଟଙ୍କା ବ୍ୟୟ କରିପାରିବେ ବୋଲି ଆଇପିଏଲ୍‌ ପରିଚାଳନା ପରିଷଦ ସ୍ପଷ୍ଟ କରିଛି। ୨୦୨୧ ନିଲାମ ବେଳେ ଏହି ପରିମାଣ ୮୫ କୋଟି ଥିଲା ବେଳେ ୨୦୨୨ ପାଇଁ ୫ କୋଟି ବଢ଼ାଯାଇଛି। ନିଲାମ ପାଇଁ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଚଳିତ ସପ୍ତାହରେ ଫ୍ରାଞ୍ଚାଇଜ୍‌ମାନଙ୍କ ସହ ଅଣଆନୁଷ୍ଠାନିକ ଆଲୋଚନା ପରେ ଆଇପିଏଲ୍‌ ନିୟମାବଳୀ ପ୍ରସ୍ତୁତ କରିଛି। କେଉଁ ଖେଳାଳିମାନଙ୍କୁ ନିଜ ପାଖରେ ରଖିବେ ତାହା ଫ୍ରାଞ୍ଚାଇଜ୍‌ମାନେ ନଭେମ୍ବର ଶେଷ ସୁଦ୍ଧା ଚୂଡାନ୍ତ କରିବାକୁ ପଡ଼ିବ। ତେବେ ୨୦୧୮ ଋତୁର ନିଲାମ ପୂର୍ବ ଭଳି ୨୦୨୨ ନିଲାମ ବେଳେ ଆର୍‌ଟିଏମ୍‌ (ରାଇଟ୍‌ ଟୁ ମ୍ୟାଚ୍‌) କାର୍ଡ ଉପଲବ୍‌ଧ ହେବନାହିଁ ବୋଲି ଆଇପିଏଲ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଶେଷରେ ଯେଉଁ ଖେଳାଳିମାନେ ରକ୍ଷଣ ବାହାରେ ରହିବେ ସେମାନଙ୍କୁ ନିଲାମ ପୁଲ୍‌ରେ ସ୍ଥାନ ଦିଆଯିବ। ଅନ୍ୟ ପକ୍ଷରେ ପୂର୍ବ ୮ ଫ୍ରାଞ୍ଚାଇଜ୍‌ଙ୍କ ରକ୍ଷଣ ପରେ ଯେଉଁ ଖେଳାଳିମାନେ ବଳିପଡ଼ିବେ ସେମାନଙ୍କ ମଧ୍ୟରୁ ପସନ୍ଦର ୩ ଜଣ ଲେଖାଏଁ ଖେଳାଳିଙ୍କୁ ନୂଆ ଦୁଇ ଫ୍ରାଞ୍ଚାଇଜ୍‌ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ନିଲାମ ପୂର୍ବରୁ ବାଛି ପାରିବେ ବୋଲି କୁହାଯାଇଛି।

ଯଦି ଗୋଟିଏ ଫ୍ରାଞ୍ଚାଇଜ୍‌ ଅତି ବେଶିରେ ୩ ଜଣ ଖେଳାଳିଙ୍କୁ ରକ୍ଷଣ କରେ ତାହାଲେ ମୋଟ ୯୦ କୋଟିରୁ ୩୩ କୋଟି ଟଙ୍କା ବିଯୁକ୍ତ କରାଯିବ। ପ୍ରଥମ ଖେଳାଳିଙ୍କ ବାବଦରେ ୧୫ କୋଟି, ଦ୍ବିତୀୟ ବାବଦରେ ୧୧ ଏବଂ ତୃତୀୟ ବାବଦରେ ୭ କୋଟି ଟଙ୍କା କାଟି ଦିଆଯିବ। ପୁଣି ଖେଳାଳିଙ୍କ ଦରମା ଏହାଠାରୁ ଅଧିକ ହୋଇଥିଲେ ଭିନ୍ନ ନିୟମ ପାଳନ କରାଯିବ। ଉଦାହରଣ ସ୍ବରୂପ ବିରାଟ କୋହଲିଙ୍କ ଭଳି ଖେଳାଳି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରଠାରୁ ୧୭ କୋଟି ଦରମା ନେଉଥିବାରୁ ନିୟମ ଅଲଗା ହେବ। ଆଉ ଯଦି କୌଣସି ଫ୍ରାଞ୍ଚାଇଜ ୨ ଜଣ ଖେଳାଳିଙ୍କୁ ରକ୍ଷଣ କରେ ତାହାଲେ ଯଥାକ୍ରମେ ୧୨.୫ ଓ ୮.୫ କୋଟି (ମୋଟ ୨୧ କୋଟି) ଟଙ୍କା ବିଯୁକ୍ତ ହୋଇଯିବ। ଶେଷରେ ଜଣେ ଖେଳାଳିଙ୍କୁ ରକ୍ଷଣ କଲେ ସଂପୃକ୍ତ ଫ୍ରାଞ୍ଚାଇଜ ୧୨.୫ କୋଟି ହରାଇବ। ଖେଳାଳି ରକ୍ଷଣ ନିୟମ ପ୍ରକାଶ ପରେ ଏବେ ଫ୍ରାଞ୍ଚାଇଜ୍‌ଗୁଡ଼ିକ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ଏହି ଦୃଷ୍ଟିରୁ ଚେନ୍ନାଇ ସୁପର କିଙ୍ଗ୍‌ସ ମହେନ୍ଦ୍ର ସିଂହ ଧୋନିଙ୍କୁ ରଖିବା ସ୍ପଷ୍ଟ ହୋଇଥିଲା ବେଳେ ଡେଭିଡ୍‌ ୱର୍ଣ୍ଣର ଏବଂ କେଏଲ୍‌ ରାହୁଲଙ୍କ ଭଳି ବଡ଼ ଖେଳାଳିଙ୍କ ଆଶା ବଢ଼ିଛି। ବିରାଟ କୋହଲି ନେତୃତ୍ବରୁ ହଟିଯିବାର ଘୋଷଣା କରିସାରିଥିଲେ ମଧ୍ୟ ସେ ଅବସର ନେବା ପର୍ଯ୍ୟନ୍ତ ଫ୍ରାଞ୍ଚାଇଜ୍‌ରେ ରହିବେ ବୋଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କହିଛି। ଅନ୍ୟପକ୍ଷରେ ହାର୍ଦିକ୍‌ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍‌ସରେ ରହିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର