ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଖେଳାଳି ନିଲାମ ପ୍ରକ୍ରିୟାରେ ମୋଟ ୬୦ ବିକ୍ରି ହେଲେ। ସେମଧ୍ୟରୁ ୪୦ ଭାରତୀୟ ଏବଂ ୨୦ ବିଦେଶୀ ଖେଳାଳି ରହିଲେ। ଏହି ନିଲାମରେ କିଙ୍ଗ୍ସ ଏକାଦଶ ପଞ୍ଜାବ ସର୍ବାଧିକ ୧୩ ଖେଳାଳିଙ୍କୁ କିଣିଥିଲା ବେଳେ ସେ ବାବଦରେ ମଧ୍ୟ ସର୍ବାଧିକ ୩୨.୫୫ କୋଟି ଟଙ୍କା ବ୍ୟୟ କରିଛି। ଅନ୍ୟପକ୍ଷରେ ସବୁଠୁ କମ୍ ୨ ଖେଳାଳିଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ କିଣିଥିଲା ବେଳେ ଖର୍ଚ କରିଛି ୫.୨ କୋଟି ଟଙ୍କା। କିନ୍ତୁ ସବୁଠୁ କମ୍ ଖର୍ଚ କରିଛି ସନ୍ ରାଇଜର୍ସ ହାଇଦ୍ରାବାଦ ଏବଂ କିଣିଛି ୩ ଖେଳାଳି। ଏଥିପାଇଁ ହାଇଦ୍ରାବାଦକୁ ବ୍ୟୟ କରିବାକୁ ପଡ଼ିଛି ୪.୩ କୋଟି ଟଙ୍କା। ଅନ୍ୟମାନଙ୍କ ମଧ୍ୟରେ ଦ୍ବିତୀୟ ସର୍ବାଧିକ ଭାବେ ୧୭.୮୦ କୋଟି ଟଙ୍କା ଖର୍ଚ କରି ଦିଲ୍ଲୀ କ୍ୟାପିଟାଲ୍ସ (ପୂର୍ବନାମ ଦିଲ୍ଲୀ ଡେୟାର ଡେଭିଲ୍ସ) କିଣିଛି ୧୦ ଖେଳାଳି। ଏହା ପଛକୁ ୧୫.୮୫ କୋଟି ଖର୍ଚ କରି ୯ ଖେଳାଳିଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କିଣିଥିଲା ବେଳେ ୧୩.୮୦ କୋଟି ଟଙ୍କା ବ୍ୟୟରେ ୮ ଖେଳାଳିଙ୍କୁ କିଣିଛି ରାଜସ୍ଥାନ ରୟାଲ୍ସ। କୋଲ୍କାତା ନାଇଟ୍ ରାଇଡର୍ସ ୮ ଖେଳାଳିଙ୍କୁ କିଣିବା ପାଇଁ ବ୍ୟୟ କରିଛି ୯.୧୫ କୋଟି ଟଙ୍କା। ସେହିଭଳି ମୁମ୍ବାଇ ଇଣ୍ଡିଆନ୍ସ ୭.୬ କୋଟି ଟଙ୍କା ବ୍ୟୟ କରି କିଣିଛି ୬ ଖେଳାଳି।
ଆଇପିଏଲ୍ ନିୟମ ଅନୁଯାୟୀ ୨୦୧୯ ସଂସ୍କରଣ ପାଇଁ ପ୍ରତ୍ୟେକ ଫ୍ରାଞ୍ଚାଇଜ୍କୁ ଖେଳାଳି କିଣିବା ବାବଦରେ ସର୍ବାଧିକ ୮୨ କୋଟି ସୀମା ଧାର୍ଯ୍ୟ କରାଯାଇଥିଲା ବେଳେ ମଙ୍ଗଳବାରର ନିଲାମ ପ୍ରକ୍ରିୟା ଶେଷରେ ସବୁଠୁ କମ୍ ଅର୍ଥ (୧.୮ କୋଟି) ବଳିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ପାଖରେ। ଏହି ଫ୍ରାଞ୍ଚାଇଜ୍ ୨୪ ଖେଳାଳିଙ୍କୁ ରଖି ସାରିଥିଲା ବେଳେ ମୋଟ ୮୦.୨ କୋଟି ଖର୍ଚ କରିସାରିଛି। ଅନ୍ୟ ଫ୍ରାଞ୍ଚାଇଜ୍ଙ୍କ ମଧ୍ୟରୁ କୋଲ୍କାତା ନାଇଟ୍ ରାଇଡର୍ସ (୨୧ ଖେଳାଳି) ୭୫.୯୫ କୋଟି, କିଙ୍ଗ୍ସ ଏକାଦଶ ପଞ୍ଜାବ (୨୩ ଖେଳାଳି) ୭୮.୩ କୋଟି, ଚେନ୍ନାଇ ସୁପର କିଙ୍ଗ୍ସ (୨୫ ଖେଳାଳି) ୭୮.୮ କୋଟି, ଦିଲ୍ଲୀ କ୍ୟାପିଟାଲ୍ସ (୨୫ ଖେଳାଳି) ୭୪.୩ କୋଟି, ରାଜସ୍ଥାନ ରୟାଲ୍ସ (୨୫ ଖେଳାଳି) ୭୪.୮୫ କୋଟି, ମୁମ୍ବାଇ ଇଣ୍ଡିଆନ୍ସ (୨୪ ଖେଳାଳି) ୭୮.୪୫ କୋଟି ଏବଂ ସନ୍ ରାଇଜର୍ସ ହାଇଦ୍ରାବାଦ (୨୩ ଖେଳାଳି) ୭୬.୭ କୋଟି ଟଙ୍କା ମୋଟ ବ୍ୟୟ କରିସାରିଛି। ଫଳରେ କୋଲ୍କାତାର ୬.୦୫, ପଞ୍ଜାବର ୩.୭, ଚେନ୍ନାଇର ୩.୨, ଦିଲ୍ଲୀର ୭.୭, ରାଜସ୍ଥାନର ୭.୧୫, ମୁମ୍ବାଇର ୩.୫୫ ଏବଂ ହାଇଦ୍ରାବାଦର ୫.୩ କୋଟି ବଳକା ରହିଯାଇଛି।