ଆଇପିଏଲ୍‌ ଅନିର୍ଦ୍ଦିଷ୍ଟ କାଳ ସ୍ଥଗିତ

ଆଇପିଏଲ୍‌ରେ ମୁହାଁମୁହିଁ ହେବାକୁ କରନ ଭ୍ରାତା ବ୍ୟାକୁଳ, ଆଇପିଏଲ୍‌ ପାଇଁ ଏସିଆ କପ୍‌ ବାତିଲ ପ୍ରସ୍ତାବକୁ ପିସିବିର ବିରୋଧ

ନୂଆଦିଲ୍ଲୀ : କୋଭିଡ୍‌-୧୯ ମହାମାରୀ ପାଇଁ ତାଲାବନ୍ଦ ଅବଧି ମେ’ ୩ ତାରିଖକୁ ବୃଦ୍ଧି କରାଯିବା ପରେ ଆଇପିଲ୍‌ର ୧୩ତମ ସଂସ୍କରଣକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରାଯାଇଛି। ଯଦିଓ ବିସିସିଆଇ ପକ୍ଷରୁ ଔପଚାରିକ ଭାବେ ‌ଏନେଇ କୌଣସି ଘୋଷଣା କରାଯାଇନାହିଁ, ତଥାପି ସମସ୍ତ ହିତାଧିକାରୀ,୮ ପ୍ରାଞ୍ଚାଇଜ ଓ ପ୍ରସାରଣକାରୀ ସଂସ୍ଥାଙ୍କ ସହିତ ଏସଂକ୍ରାନ୍ତରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ତେବେ ପ୍ରତିଯୋଗିତା କେବଳ ସ୍ଥଗିତ ହୋଇଛି, ରଦ୍ଦ ହୋଇନାହିଁ। ତେଣୁ ସ୍ଥିତି ସ୍ବଭାବିକ ହେବାପରେ ଚଳିତ ବର୍ଷ ଅନ୍ୟ କୌଣସି ସମୟରେ ପ୍ରତିଯୋଗିତା ଆୟୋଜନ ହୋଇପାରିବ ବୋଲି ଏକ ପ୍ରାଞ୍ଚାଇଜର ଜଣେ ଅଧିକାରୀ ଆଶାବ୍ୟକ୍ତ କରିଛନ୍ତି।

ଏହି ସଙ୍କଟ ଆଗରେ ଖେଳକୁ ଆଦୌ ପ୍ରାଧାନ୍ୟ ଦିଆଯିବ ନାହିଁ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ବାରମ୍ବାର କହିଆସିଛନ୍ତି। ଏପରିକି ବିଦେଶୀ ଖେଳାଳିଙ୍କ ଗସ୍ତ ଉପରେ ପ୍ରତିବନ୍ଧକ ଲାଗିଥିବାରୁ ଏବେ ଆଇପିଏଲ୍‌କୁ ସ୍ଥଗିତ ରଖାଯାଇଥିବା କୁହାଯାଇଛି। ଯଦି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସୂଚୀରେ ପରିବର୍ତ୍ତନ କରିବାକୁ ଅଷ୍ଟ୍ରେଲିଆ ବୋର୍ଡ ଓ ଆଇସିସି ରାଜି ହୁଅନ୍ତି, ତାହେଲେ ଆଇପିଏଲ୍‌ ଆୟୋଜନ ପାଇଁ ଚଳିତ ବର୍ଷ କେବଳ ସେପ୍ଟେମ୍ବର ଓ ନଭେମ୍ବର ମାସ ମଧ୍ୟରେ ହୋଇପାରିବା ପରବର୍ତ୍ତି ବିକଳ୍ପ ରହିଛି। ଅଷ୍ଟ୍ରେଲିଆକୁ ଯାତ୍ରା ଉପରେ ୬ମାସିଆ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ଅକ୍ଟୋବର-ନଭେମ୍ବର ମାସରେ ବିଶ୍ବକପ୍‌ ଖେଳାଯିବ। ତେଣୁ ସେପ୍ଟେମ୍ବର ୩୦ ତାରିଖରେ ଯଦି ଏହି ପ୍ରତିବନ୍ଧକ ହଟୁଛି ଓ ସ୍ଥିତି ସ୍ବଭାବିକ ହେଲେ ଆଇପିଏଲ୍‌କୁ ସେପ୍ଟେମ୍ବର ଓ ଅକ୍ଟୋବର ମଧ୍ୟରେ ଆୟୋଜନ କରାଯାଇପାରେ। କିନ୍ତୁ ଏହି ସମୟରେ ଏସିଆ କପ୍‌ ଆୟୋଜନ ହେବାକୁ ଥିବାରୁ ଏହି ଅବଧି ମଧ୍ୟ ଅସମ୍ଭବ ମନେ ହେଉଛି। ଏପରିକି ଟେଷ୍ଟ୍‌ ଶୃଙ୍ଖଳା ପାଇଁ ଇଂଲଣ୍ଡର ଭାରତ ଗସ୍ତ ମଧ୍ୟ ବାତିଲ ହେବା ସମ୍ଭାବନା ରହିଥିବା କୁହାଯାଇଛି।

ଆଇପିଏଲ୍‌ରେ ମୁହାଁମୁହିଁ ହେବାକୁ କରନ ଭ୍ରାତା ବ୍ୟାକୁଳ
ଲଣ୍ଡନ : ଇଂଲଣ୍ଡ କ୍ରିକେଟ୍‌ ଦଳର ଦୁଇ ଭାଇ ଟମ୍‌ କରନ ଓ ସାମ୍‌ କରନ ଏକାଠି ଦେଶ ପାଇଁ ୩ ଦିନିକିଆ ଆନ୍ତର୍ଜାତିକ ଏବଂ ୪ ଟ୍ବେଣ୍ଟି-୨୦ ଖେଳିଛନ୍ତି। ହେଲେ ଉଭୟେ ଏକାଠି ଇଂଲଣ୍ଡ ପାଇଁ ଟେଷ୍ଟ୍‌ ଖେଳିବାର ସ୍ବପ୍ନ ଦେଖିଛନ୍ତି। ଇଂଲଣ୍ଡ ପକ୍ଷରୁ ଟମ୍‌ ଦୁଇଟି ଟେଷ୍ଟ୍‌ ଖେଳିଥିଲା ବେଳେ ସାମ୍‌ ୧୭ ଟେଷ୍ଟ୍‌ ଖେଳିଛନ୍ତି। ହେଲେ ଏକାଠି ଗୋଟିଏ ଟେଷ୍ଟ୍‌ରେ ଖେଳିବାର ସୁଯୋଗ ପାଇନାହାନ୍ତି। ଏହା ପୂର୍ବରୁ ଶେଷ ଦୁଇ ଭାଇ ଭାବେ ଆଦାମ ଓ ବେନ୍‌ ହୋଲିଓକେ ଇଂଲଣ୍ଡ ପାଇଁ ଏକତ୍ରିତ ଟେଷ୍ଟ ଖେଳିଥିଲେ। ଟମ୍‌ ଜଣେ ଦ୍ରୁତ ବୋଲର ହୋଇଥିଲା ‌ବେଳେ ସାମ୍‌ ଜଣେ ବୋଲିଂ ଅଲ୍‌ରାଉଣ୍ଡର। ଏହି କରନ ଭ୍ରାତା ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌)ରେ ଖେଳିବାକୁ ପୂରା ବ୍ୟଗ୍ର। ହେଲେ କରୋନା ଲକ୍‌ଡାଉନ୍‌ ପାଇଁ ଚଳିତ ବର୍ଷର ଆଇପିଏଲ୍‌ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। କେବେ ହେବ ସେନେଇ କେହି ବି କହିପାରିବେନି। ବିଶେଷକରି ମେ’ ୩ ତାରିଖ ପରେ ହିଁ ଆଇପିଏଲ୍‌ ଆୟୋଜନ କଥା ବିଚାର କରାଯିବ। ହେଲେ କରନ ଭ୍ରାତା ଆଇପିଏଲ୍‌ରେ ମୁହାଁମୁହିଁ ହେବାକୁ ବ୍ୟାକୁଳ ଥିବା କହିଛନ୍ତି। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ସାମ୍‌ ଚେନ୍ନାଇ ସୁପର କିଙ୍ଗ୍‌ସ ପକ୍ଷରୁ ଖେଳିବାକୁ ଥିଲା ବେଳେ ଟମ୍‌ ଇଂଲଣ୍ଡ ଦଳ ସାଥୀ ବେନ୍‌ ଷ୍ଟୋକ୍ସ ଓ ଜୋସ୍‌ ବଟ୍ଟଲର୍‌ଙ୍କ ସହିତ ରାଜସ୍ଥାନ ରୟାଲ୍‌ସ ପାଇଁ ଖେଳିବେ। ଏଥିପାଇଁ ଉଭୟେ ବ୍ୟାକୁଳ। ମୁଁ ଟମ୍‌ ବିପକ୍ଷରେ ଖେଳିବାକୁ ଆଶା ରଖିଛି। ମ୍ୟାଚ୍‌ରେ ତା’ ବଲ୍‌କୁ ଚତୁଃଦିଗକୁ ମାରିବି ଏବଂ ବୋଲିଂରେ ତା’ର ଷ୍ଟମ୍ପ୍‌ ଉଖାଡ଼ିଦେବାର ଲକ୍ଷ୍ୟ ରଖିଛି ବୋଲି କହିଛନ୍ତି ସାମ୍‌ କରନ। ସାଂପ୍ରତିକ କରୋନା ସ୍ଥିତି ଯୋଗୁଁ ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ ଖେଳାଳିମାନଙ୍କ ଭତ୍ତା ବା ପାଉଣା ୧୦ରୁ ୨୫ ପ୍ରତିଶତ ପର୍ଯ୍ୟନ୍ତ କାଟ କରିବାର ନିଷ୍ପତ୍ତି ନେଇଥିବାରୁ ଆଇପିଏଲ୍‌ ଆମ ଆର୍ଥିକ ଅବସ୍ଥା ସୁଧାରି ନେଇଥାନ୍ତା ବୋଲି ଟମ୍‌ କହିଛନ୍ତି।

ଆଇପିଏଲ୍‌ ପାଇଁ ଏସିଆ କପ୍‌ ବାତିଲ ପ୍ରସ୍ତାବକୁ ପିସିବିର ବିରୋଧ
କରାଚି : କ୍ରିକେଟ୍‌ କ୍ୟାଲେଣ୍ଡରରେ ଆଇପିଏଲ୍‌କୁ ସ୍ଥାନ ଦେବା ପାଇଁ ସେପ୍ଟେମ୍ବରରେ ୟୁଏଇରେ ଖେଳାଯିବାକୁଥିବା ଏସିଆ କପ୍‌ ବାତିଲ କରାଗଲେ, ଏଭଳି ପ୍ରସ୍ତାବରେ ପିସିବି ରାଜି ହେବ ନାହିଁ‌ ବୋଲି ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ଏହସାନ ମଣି ବୁଧବାର କହିଛନ୍ତି। କୋଭିଡ୍‌-୧୯ ପାଇଁ ମାର୍ଚ୍ଚ ୨୯ରୁ ମେ ୨୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁଥିବା ଆଇପିଏଲ୍‌କୁ ସ୍ଥଗିତ କରିଦିଆଯାଇଛି। ତେବେ ଆଇପିଏଲ୍‌ ଆୟୋଜନ କରାଇବା ପାଇଁ ଭାରତରେ ଦେଖାଯାଇଥିବା କଳ୍ପନାଜଳ୍ପନାକୁ ନଜରରେ ରଖି ସେ ଏଭଳି ମତ ରଖିଛନ୍ତି। ତାଙ୍କ ମତରେ, ଏସିଆ କପ୍‌ ହେବ କି ନାହିଁ, ତାହା ଭାରତ ଓ ପାକିସ୍ତାନ ନିଷ୍ପତ୍ତି ନେଇପାରିବେନି। ଏହି ପ୍ରତିଯୋଗିତା ପାଇଁ ଅନ୍ୟଦେଶମାନଙ୍କର ସମର୍ଥନ ଆବଶ୍ୟକ ରହିଛି। ଯଦିଓ ଏସିଆ କପ୍‌ର ଆୟୋଜନ କରିବା ଅଧିକାର ପାକିସ୍ତାନକୁ ମିଳିଛି। କିନ୍ତୁ ଭାରତ ସୁରକ୍ଷା ଜନିତ କାରଣ ଓ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ଅତ୍ୟନ୍ତ ଖରାପ ଥିବା ଯୋଗୁଁ ପାକିସ୍ତାନ ଗସ୍ତ କରିବା ନେଇ ଅନିଚ୍ଛା ପ୍ରକାଶ କରିବାରୁ, ଏସିଆ କପ୍‌କୁ ଦୁବାଇ ଓ ଆବୁଧାବିରେ ଆୟୋଜନ ପାଇଁ ସ୍ଥିର ହୋଇଛି। ଯଦି କ୍ରିକେଟ୍‌ କାର୍ଯ୍ୟକଳାପ ଆରମ୍ଭ ହୁଏ‌, ତାହେଲେ ପ୍ରଥମେ ଏସିଆ କପ୍‌ ଆୟୋଜନ ଉପରେ ଚିନ୍ତା କରାଯିବ। କାରଣ ଏହି ପ୍ରତିଯୋଗିତାର ଆୟ ଉପରେ ଏସିଆରେ କ୍ରିକେଟ୍‌ର ଉନ୍ନତି ନିର୍ଭର କରୁଛି। ତେଣୁ ଏସୀୟ କ୍ରିକେଟ୍‌ ପରିଷଦର ସମସ୍ତ ସଦସ୍ୟଙ୍କ ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ବୋଲି ମଣି କହିଛନ୍ତି। ତଥାପି ଚଳିତ ବର୍ଷ ଏସିଆ କପ୍‌ ଆୟୋଜନ କରିବା ବଡ଼ ଆହ୍ବାନ ହେବ ବୋଲି ସେ ସ୍ବୀକାର କରିଛନ୍ତି।

ସମ୍ବନ୍ଧିତ ଖବର