ଆଇପିଏଲ୍‌ ଏପ୍ରିଲ ୧୫ ଯାଏ ସ୍ଥଗିତ; ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ବାତିଲ

ମୁମ୍ବାଇ : ମହାମାରୀର ରୂପ ନେଇଥିବା କରୋନା ଭୂତାଣୁ ମଧ୍ୟ ଭାରତର ଶ୍ରେଷ୍ଠ ଘରୋଇ ଟି-୨୦ ପ୍ରତିଯୋଗିତା ଆଇପିଏଲ୍‌କୁ ଗ୍ରାସି ଯାଇଛି। ମାର୍ଚ ୨୯ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ବାର୍ଷିକ କ୍ରିକେଟ୍ ମହାସମରକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି। ଭାରତ ସରକାରଙ୍କ ପରାମର୍ଶ ପରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ସମ୍ପାଦକ ଜୟ ସାହା ଆଇପିଏଲ୍‌ ପରିଚାଳନା ପରିଷଦ ସହିତ ଆଲୋଚନା କରି ଏହି ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଦିନିକିଆ ଶୃଙ୍ଖଳାର ଅବଶିଷ୍ଟ ଦୁଇଟି ମ୍ୟାଚ୍‌ ମଧ୍ୟ ବାତିଲ ହୋଇଯାଇଛି। ଶୁକ୍ରବାର ସମସ୍ତ ୮ ଫ୍ରାଞ୍ଚାଇଜ୍‌କୁ ଏ ସମ୍ପର୍କରେ ଅବଗତ କରିଦିଆଯାଇଛି। ବିଶଦ ଆଲୋଚନା ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଧାରଣ ଲାଗି ଶନିବାର ମୁମ୍ବାଇରେ ଆଇପିଏଲ୍‌ ମାଲିକମାନଙ୍କ ଏକ ଜରୁରୀ ବୈଠକ ମଧ୍ୟ ବସୁଛି। କରୋନା ଭୂତାଣୁର ପ୍ରତିଶେଧକମୂଳକ ବ୍ୟବସ୍ଥା କାରଣରୁ ଆଇପିଏଲ୍‌କୁ ସ୍ଥଗିତ ରଖାଗଲା ବୋଲି ବିସିସିଆଇ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛି। ସାଧାରଣ ଜନତାଙ୍କ ସ୍ବାସ୍ଥ୍ୟ ଏବଂ ସମସ୍ତ ସମ୍ପୃକ୍ତ ଅଂଶୀଦାରଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କୁହାଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବଲ୍ୟୁଏଚ୍‌ଓ) କରୋନା ଭୂତାଣୁକୁ ମହାମାରୀ ଆଖ୍ୟା ଦେବା ପରେ ବିଶ୍ବବ୍ୟାପୀ ବହୁ କ୍ରୀଡ଼ା ପ୍ରତିଯୋଗିତା ବାତିଲ ଓ ସ୍ଥଗିତ ତାଲିକାରେ ସାମିଲ ହୋଇଛି। ୟୁଫା, ଏଟିପି ଟୁର୍, ଏନ୍‌ବିଏ ଭଳି ପ୍ରତିଯୋଗିତା ସହିତ ଆଇପିଏଲ୍‌ ମଧ୍ୟ ସାମିଲ ହେବାକୁ ବାଧ୍ୟ ହୋଇଛି। କରୋନା ଭୂତାଣୁ କାରଣରୁ ବିସିସିଆଇର ଚିନ୍ତା ମଧ୍ୟ ବଢ଼ିଯାଇଛି। ଖେଳାଳିଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ବୋର୍ଡ ଶୁକ୍ରବାର ମଧ୍ୟ ଭାରତ-ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ବାତିଲ କରିଛି। ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ଦିନିକିଆ ଗୁରୁବାର ଧର୍ମଶାଳାରେ ବର୍ଷା ଧୋଇ ନେଇଥିଲା। ଏହାପରେ ୧୫ରେ ଲକ୍ଷ୍ନୌ ଏବଂ ୧୮ରେ କୋଲ୍‌କାତାରେ ଦ୍ବିତୀୟ ଓ ତୃତୀୟ ମ୍ୟାଚ୍‌ ଖେଳାଯିବାର ଥିଲା। ଏହାକୁ ପରେ ଆୟୋଜନ କରାଯିବ ବୋଲି ବିସିସିଆଇ ସୂଚନା ଦେଇଛି।

ସମ୍ବନ୍ଧିତ ଖବର