ନୂଆଦିଲ୍ଲୀ: ‘ଅପରେସନ୍ ସିନ୍ଦୂର ୨.୦’ ଦ୍ବାରା ପ୍ରଭାବିତ ହୋଇଛି ଆଇପିଏଲ୍। ଗୋଟିଏ ସପ୍ତାହ ଲାଗି ଏହାକୁ ସ୍ଥଗିତ ରଖିବାକୁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଶୁକ୍ରବାର ନିଷ୍ପତ୍ତି ନେଇଛି। ଏହାକୁ ମଧ୍ୟ ତୁରନ୍ତ ଲାଗୁ କରିଛି। ଫଳରେ ଶୁକ୍ରବାର ଲକ୍ଷ୍ନୌରେ ଖେଳାଯିବାକୁ ଥିବା ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମ୍ୟାଚ୍କୁ ବନ୍ଦ କରି ଦିଆଯାଇଛି। ଗତକାଲି ଧର୍ମଶାଳାରେ ଖେଳାଯାଇଥିବା ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍କୁ ଅଧାରୁ ବନ୍ଦ ରଖାଯାଇଥିଲା। ଶେଷ ୧୬ ମ୍ୟାଚ୍ ପୂର୍ବରୁ ଆଇପିଏଲ୍ ଏବେ ଆଶଙ୍କା ଭିତରେ ପଡ଼ିଛି। ବିସିସିଆଇ ବିକଳ୍ପ ଯୋଜନା କରୁଥିବାବେଳେ ସରକାରଙ୍କ ସବୁଜ ସଙ୍କେତକୁ ବି ଅପେକ୍ଷା କରିବ।
ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ‘‘ବିସିସିଆଇ ସଂପ୍ରତି ଚାଲିଥିବା ଟାଟା ଆଇପିଏଲ୍ ୨୦୨୫ର ଅବଶିଷ୍ଟ ମ୍ୟାଚ୍କୁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହାକୁ ତୁରନ୍ତ ଲାଗୁ କରାଯାଇଛି। ସଂପୃକ୍ତ କର୍ତ୍ତୃପକ୍ଷ ଏବଂ ଅଂଶୀଦାରମାନଙ୍କ ସହ ପରାମର୍ଶ ପରେ ପରିସ୍ଥିତିକୁ ଦେଖି ପ୍ରତିଯୋଗିତାର ଅବଶିଷ୍ଟ ଖେଳସୂଚୀ ଓ ସ୍ଥାନ ନିର୍ଦ୍ଧାରଣ କରାଯିବ। ଫ୍ରାଞ୍ଚାଇଜ୍ ଓ ଅଂଶୀଦାରଙ୍କ ସହ ପରାମର୍ଶ ପରେ ଆଇପିଏଲ୍ ପରିଚାଳନା ପରିଷଦ ଏହି ନିଷ୍ପତ୍ତି ନେଇଛି। ଫ୍ରାଞ୍ଚାଇଜ୍ ଓ ଅଂଶୀଦାରମାନେ ସେମାନଙ୍କ ଖେଳାଳି ଏବଂ ପ୍ରସାରଣକାରୀ, ପ୍ରାୟୋଜକ ଓ ପ୍ରଶଂସକଙ୍କ ସହ ମଧ୍ୟ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଥିଲା। ବିସିସିଆଇ ଭାରତୀୟ ସେନାର କାର୍ଯ୍ୟକୁ ବିଶ୍ବାସ କରିବା ସହ ସମ୍ମାନ ଜଣାଉଛି। ଏହି ସମୟରେ ଦେଶ ସହ ରହିଛି। ଆମେ ଭାରତ ସରକାର, ସଶସ୍ତ୍ର ବାହିନୀ ଏବଂ ଆମ ଦେଶର ଲୋକଙ୍କ ସହିତ ଗୋଟିଏ ସୂତ୍ରରେ ବନ୍ଧା ଅଛୁ। ବୋର୍ଡ ଆମର ସଶସ୍ତ୍ର ବାହିନୀର ସାହସ ଓ ନିଃସ୍ୱାର୍ଥପର ସେବାକୁ ସାଲ୍ୟୁଟ୍ କରୁଛି।
ଆମର ସେନା ଅପରେସନ୍ ସିନ୍ଦୂର ଜରିଆରେ ଦେଶକୁ ସୁରକ୍ଷା ଦେଇଚାଲିଛି। ଆତଙ୍କବାଦୀ ଆକ୍ରମଣ ଏବଂ ପାକିସ୍ତାନର ସଶସ୍ତ୍ର ବାହିନୀ ଦ୍ୱାରା ଅନାବଶ୍ୟକ ଆକ୍ରମଣର ଦୃଢ଼ ଜବାବ ଦେଉଛନ୍ତି। କ୍ରିକେଟ ଏକ ଜାତୀୟ ଆବେଗ ହୋଇ ରହିଥିବା ବେଳେ, ଦେଶ ଓ ଏହାର ସାର୍ବଭୌମତ୍ୱ, ଅଖଣ୍ଡତା ଏବଂ ଆମ ଦେଶର ସୁରକ୍ଷାଠାରୁ ବଡ଼ ଆଉ କିଛି ନାହିଁ। ଭାରତର ସୁରକ୍ଷା ଲାଗି ସବୁ କାର୍ଯ୍ୟକୁ ବିସିସିଆଇ ଅନାୟାସରେ ସମର୍ଥନ କରିବ। ପ୍ରମୁଖ ଅଂଶୀଦାର ଓ ପ୍ରସାରଣକାରୀ ଜିଓଷ୍ଟାର ସମ୍ପୂର୍ଣ୍ଣ ସହଯୋଗ କରିଥିବାରୁ ବିସିସିଆଇ ଧନ୍ୟବାଦ ଦେଉଛି। ଏଥିସହ ଆଇପିଏଲ୍ର ଟାଇଟଲ୍ ପ୍ରାୟୋଜକ ଟାଟା ଏବଂ ସମସ୍ତ ସହଯୋଗୀ ଅଂଶୀଦାର ମଧ୍ୟ ଜାତୀୟ ସ୍ବାର୍ଥ ଲାଗି ହୋଇଥିବା ଏହି ନିଷ୍ପତ୍ତିକୁ ପୂର୍ଣ୍ଣ ସହଯୋଗ କରିଛନ୍ତି।’’ ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଏହାର ୨ ସପ୍ତାହ ପରେ ପାକିସ୍ତାନ ଓ ପିଓକେରେ ଆତଙ୍କବାଦୀ ଆଡ଼ା ଉପରେ ଭାରତ ମିସାଇଲ୍ ମାଡ଼ କରିଥିଲା। ଗୁରୁବାର ପାକିସ୍ତାନ ଆକ୍ରମଣ କରିବାରୁ ଭାରତ ଦୃଢ଼ ଜବାବ ଦେଇଛି।