କରୋନା ସଂକ୍ରମଣ ବ୍ୟାପିବା ଯୋଗୁଁ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ଘୁଞ୍ଚିଲା ଆଇପିଏଲ୍

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍)ର ୧୩ତମ ସଂସ୍କରଣକୁ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। କରୋନାକୁ ନେଇ ଦେଖା ଦେଇଥିବା ସଙ୍କଟ ଦୃଷ୍ଟିରୁ ଆଇପିଏଲ୍    ପରିଚାଳନା ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।  ଆଇପିଏଲ୍ ମାର୍ଚ୍ଚ ୨୯ ତାରିଖରେ ଆରମ୍ଭ ହେବାକୁ ଥିଲା। ଆଜିର ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଇପିଏଲ୍ ଟିମର ମାଲିକମାନେ ଖେଳ ଘୁଞ୍ଚାଇବା ସପକ୍ଷରେ ମତ ଦେଇଥିଲେ। ଅନ୍ୟ ପକ୍ଷରେ ଦିଲ୍ଲୀ ସରକାର ଆଇପିଏଲ୍ ଖେଳ ଦିଲ୍ଲୀରେ ହୋଇପାରିବ ନାହିଁ ବୋଲି ଘୋଷଣା କରିଥିଲେ। 

ତେଣେ କେନ୍ଦ୍ର ସରକାର ବିଦେଶୀଙ୍କୁ ଭିସା ଜାରି ଉପରେ ଗୁରୁବାର ସାନି ଅଙ୍କୁଶ ଜାରି କରିଛନ୍ତି। ଫଳରେ ଚଳିତ ବର୍ଷର ଆଇପିଏଲ୍‌ରେ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ କୌଣସି ବିଦେଶୀ ଖେଳାଳି ଭାରତ ଆସିପାରିବେ ନାହିଁ। ଆଇପିଏଲ୍ ଖେଳୁଥିବା ବିଦେଶୀ ଖେଳାଳିମାନେ ବ୍ୟାବସାୟିକ ଭିସା ନେଇ ଆସିଥାଆନ୍ତି। ସରକାରଙ୍କ ନିର୍ଦେଶ ଅନୁସାରେ ସେମାନେ ଏପ୍ରିଲ ୧୫ ପର୍ଯ୍ୟନ୍ତ ଭାରତ ଆସି ପାରିବେ ନାହିଁ। ଫଳରେ କେବଳ ଭାରତୀୟ ଖେଳାଳିଙ୍କୁ ନେଇ ମ୍ୟାଚ ଖେଳାଯିବାର ସମ୍ଭାବନା ସୃଷ୍ଟି ହୋଇଥିଲା।

କରୋନାଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବର୍ତ୍ତମାନ  ଆଇପିଏଲ ଆୟୋଜନ ନ କରିବାକୁ ପରାମର୍ଶ ଦିଆଯାଇଥିଲା । ତେଣୁ  ଆଇପିଏଲ୍  ପରିଚାଳନା ପରିଷଦ ଏହାର ୧୩ତମ ସଂସ୍କରଣକୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛି । ଆଇପିଏଲର ଉଦଘାଟନୀ ମ୍ୟାଚ୍ ମାର୍ଚ୍ଚ ୨୯ ତାରିଖରେ ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମ୍‌ରେ ଖେଳାଯିବାର ଥିଲା।

ଗତ ବୁଧବାର କରୋନାକୁ ‌ନେଇ ବିସିସିଆଇ ଭାରତୀୟ ଖେଳାଳିଙ୍କ ପାଇଁ ୭ଟି ପରାମର୍ଶ ଜାରି କରିଥିଲା।  ତେବେ ଆଇପିଏଲ୍‌-୧୩କୁ ନେଇ କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ କହିଥିଲେ ଯେ ସାଧାରଣତଃ ଆଇପିଏଲ୍ ମ୍ୟାଚ୍ ଦେଖିବାକୁ ହଜାର ହଜାର ଲୋକ ଷ୍ଟାଡିୟମ ଆସିଥାଆନ୍ତି। ଏଭଳି ସ୍ଥିତିରେ କରୋନା ବ୍ୟାପିବାର ଆଶଙ୍କା ଢେର ଅଧିକ ରହିଥାଏ। ସାଧାରଣ ଜନତାଙ୍କ ଜୀବନ ଆମ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ, ଏଭଳି ଗହଳିକୁ ରୋକିବାକୁ ଆମେ ପଦକ୍ଷେପ ନେଇଛୁ। ଆୟୋଜକ ବିନା ଦର୍ଶକରେ ମ୍ୟାଚ୍ ଆୟୋଜନ କରିବାରେ କୌଣସି ଅସୁବିଧା ନାହିଁ। ଆଇପିଏଲ କରିବା ନ କରିବା ନିଷ୍ପତ୍ତି ଆୟୋଜକଙ୍କ ଉପରେ ଛାଡ଼ାଯାଇଥିଲେ ମଧ୍ୟ ଏହାକୁ କିଛି ଦିନ ପାଇଁ ସ୍ଥଗିତ ରଖିବାକୁ ବୈଦେଶିକ ମନ୍ତ୍ରାଳୟ ବିସିସିଆଇକୁ ପରାମର୍ଶ ଦେଇଥିଲା।

ସମ୍ବନ୍ଧିତ ଖବର