ଆଇପିଏଲ ପାଇଁ ପ୍ରସ୍ତୁତ ହୋଇଛି ୧୪ଟି ବାୟୋ ବବଲ, କରାଯିବ ୨୫ ହଜାରରୁ ଅଧିକ କୋଭିଡ୍ ଟେଷ୍ଟ

ନୂଆଦିଲ୍ଲୀ: ଆସନ୍ତା ରବିବାରଠାରୁ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି । କରୋନା କାରଣରୁ ଆଇପିଏଲ ସ୍ଥଗିତ ରହିବା ପରେ ଏବେ କଡା ନିୟମ ସହିତ ପୁଣି ଏହି ଟୁର୍ଣ୍ଣାମେଣ୍ଟକୁ ଆରମ୍ଭ କରୁଛି ବିସିସିଆଇ । ତେବେ ଏଥିପାଇଁ ଖେଳାଳିଙ୍କ ସ୍ୱାସ୍ଥ୍ୟ ଓ ବାୟୋ ବବଲ ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ନଜର ପକାନ୍ତୁ, ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟରେ କେମିତି ରହିବ ଖେଳାଳିଙ୍କ ସ୍ୱାସ୍ଥ୍ୟ ଉପରେ ନଜର…

ଆଇପିଏଲର ଏବେ ୩୧ଟି ମ୍ୟାଚ୍ ବାକି ଅଛି । ଏଥିପାଇଁ ଖେଳାଳିମାନଙ୍କୁ ବାୟୋ ବବଲ ଭିତରେ ରହି ମ୍ୟାଚ୍ ଖେଳିବାକୁ ପଡିବ । ସମସ୍ତ ଆଠଟି ଟିମର ଖେଳାଳି, ସପୋର୍ଟ ଷ୍ଟାଫ୍, କୋଚ୍ ଓ ବିସିସିଆଇ ସଦସ୍ୟଙ୍କ ପାଇଁ ମୋଟ ୧୪ଟି ବାୟୋ ବବଲ ପ୍ରସ୍ତୁତ କରାଯାଇଛି । ଯେଉଁ ୧୪ଟି ହୋଟେଲରେ ଖେଳାଳିମାନେ ରହିବେ ସେଠାରେ ଏହି ବାୟୋ ବବଲକୁ ପ୍ରସ୍ତୁତ କରାଯାଇଛି । ଆଉ ଏଥିସହିତ ଖେଳାଳିଙ୍କୁ ବାୟୋ ବବଲ ବାହାରକୁ ବାହାରିବାକୁ ମନା କରାଯାଇଛି।

IPL 2021: Bio-bubble integrity officials and different bubbles to keep  COVID under control during UAE leg, Sports News | wionews.com
WION

ଖେଳାଳିମାନଙ୍କର ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ଏକ ସ୍ପେଶାଲ ଟିମ୍ ମଧ୍ୟ ଗଠନ କରାଯାଇଛି । ୧୦୦ ସଦସ୍ୟ ବିଶିଷ୍ଟ ଏହି ଟିମ୍ ଖେଳାଳିଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବ । ଖାଲି ଖେଳାଳି ନୁହେଁ, ସପୋର୍ଟ ଷ୍ଟାଫ୍, କୋଚ୍ ଓ ବିସିସିଆଇ ଅଧିକାରୀଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହି ଟିମ୍ ନଜର ରଖିବ । ଏହି ଟିମରେ ଡାକ୍ତର, ନର୍ସଙ୍କ ସହିତ ଲ୍ୟାବ୍ ଟେକ୍ନିସିଆନ୍ ମଧ୍ୟ ରହିଛନ୍ତି । ଆଇପିଏଲରେ ସାମିଲ ହେବାକୁ ଥିବା ପ୍ରତିଟି ଖେଳାଳିଙ୍କର କରୋନା ଟେଷ୍ଟ କରାଯାଇଛି ।

ତେବେ ମିଳିଥିବା ସୂଚନା ମୁତାବକ, ଟୁର୍ଣ୍ଣାମେଣ୍ଟ ମଝିରେ ପ୍ରତି ତିନି ଦିନରେ ଥରେ ପ୍ରତି ଖେଳାଳିଙ୍କର କରୋନା ଟେଷ୍ଟ କରାଯିବ । ଟୁର୍ଣ୍ଣାମେଣ୍ଟ ମଧ୍ୟରେ ମୋଟ ୨୫ ହଜାରରୁ ଅଧିକ କରୋନା ଟେଷ୍ଟ ହେବା ନେଇ ସୂଚନା ମିଳିଛି । ସେହିପରି ଯଦି କୌଣସି ଖେଳାଳି କୋଭିଡରେ ସଂକ୍ରମିତ ବୋଲି ଜଣାପଡନ୍ତି, ତେବେ ତାଙ୍କୁ ଅତିକମରେ ୧୦ ଦିନ ପାଇଁ ଆଇସୋଲେସନରେ ରହିବାକୁ ପଡିବ । ତା’ ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ଖେଳାଳିମାନେ ମଧ୍ୟ ନିଜର କୋଭିଡ୍ ଟେଷ୍ଟ କରାଇବେ । ଖୁସିର କଥା ହେଉଛି, ଏଥର ଷ୍ଟାଡିୟମରେ ବସି ମ୍ୟାଚ୍ ଦେଖିବାର ମଜା ଉଠାଇପାରିବେ ଦର୍ଶକ । ୟୁଏଇରେ ଆୟୋଜିତ ଆଇପିଏଲର ଏହି ଦ୍ୱିତୀୟ ପର୍ଯ୍ୟାୟରେ ଦର୍ଶକଙ୍କୁ ଷ୍ଟାଡିୟମକୁ ଯିବାକୁ ଅନୁମତି ମିଳିଛି । ଷ୍ଟାଡିୟମରେ ୫୦ ପ୍ରତିଶତ ଦର୍ଶକ ମ୍ୟାଚକୁ ଉପଭୋଗ କରିପାରିବେ ।

ସମ୍ବନ୍ଧିତ ଖବର