ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଆଇପିଏଲ୍ ଇକୋସିଷ୍ଟମ ମୂଲ୍ୟରେ ୧୦.୬ ପ୍ରତିଶତ ଅବନତି ଲକ୍ଷ୍ୟ କରାଯାଇଛି। ‘ଡି ଆଣ୍ଡ ପି ଆଡ୍ଭାଇଜରି’ ସଂସ୍ଥା ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ, ଆଇପିଏଲ୍ର ବ୍ୟାବସାୟିକ ଏଣ୍ଟରପ୍ରାଇଜ୍ ମୂଲ୍ୟ ୨୦୨୩ରେ ୯୨,୫୦୦ କୋଟି ଟଙ୍କା ଥିଲା ବେଳେ ଏବେ ୮୨,୭୦୦ କୋଟି ଟଙ୍କାକୁ ଖସିଆସିଛି। ଏହି ସମାନ ସମୟରେ କିନ୍ତୁ ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍) ର ଇକୋସିଷ୍ଟମ ମୂଲ୍ୟରେ ୮ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି। ୨୦୨୩ରେ ଡବ୍ଲ୍ୟୁପିଏଲ୍ ମୂଲ୍ୟ ୧୨୫୦ କୋଟି ଟଙ୍କା ଥିଲା ବେଳେ ଏବେ ୧୩୫୦ କୋଟି ଟଙ୍କା ହୋଇଗଲାଣି।
ଆଇପିଏଲ୍ର ଏଭଳି ଅବନତି ପଛରେ ପ୍ରସାରଣକାରୀ ବ୍ୟବସ୍ଥାକୁ ଦାୟୀ କରାଯାଇଛି। ଡିଜନି ଷ୍ଟାର୍ ଓ ଜିଓ ସିନେମାର ମିଶ୍ରଣ ପରେ ଏହାର ପ୍ରଭାବ ଆଇପିଏଲ୍ର ମୂଲ୍ୟ ଉପରେ ପଡୁଥିବା କୁହାଯାଇଛି। ୨୦୨୨ରେ ଯେତେବେଳେ ଆଇପିଏଲ୍ ପ୍ରସାରଣ ପାଇଁ ଡିଜ୍ନି ଷ୍ଟାର୍ ଓ ଜିଓ ସିନେମା ପରସ୍ପରର ପ୍ରତିଦ୍ବନ୍ଦ୍ବୀ ଥିଲେ ସେତେବେଳ ବିସିସିଆଇ ୪୮,୩୯୦ କୋଟି ଟଙ୍କାର ୫ ବର୍ଷୀୟା ଡିଲ୍ କରିପାରିଥିଲା। ଏବେ ଏହି ଦୁଇସଂସ୍ଥା ଏକାଠି ହୋଇଯାଇଥିବାରୁ ଆଗକୁ ପ୍ରତିଦ୍ବନ୍ଦ୍ବୀଙ୍କ ସଂଖ୍ୟା କମିଯିବ ଓ ପ୍ରସାରଣକାରୀ ସଂସ୍ଥାଙ୍କ ମନ୍ମାନୀ ଆରମ୍ଭ ହୋଇଯିବ ବୋଲି ରିପୋର୍ଟରେ କୁହାଯାଇଛି। ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ସୋନି ଓ ଜି ନେଟୱର୍କ ମଧ୍ୟରେ ମିଶ୍ରଣ ହୋଇ ନପାରିବାରୁ ସେମାନେ ଏବେ ଡିଜ୍ନି ଷ୍ଟାର୍ ଓ ଜିଓ ସିନେମା ସହିତ ପ୍ରତିଦ୍ବନ୍ଦ୍ବିତା କରିବାକୁ ସଂଘର୍ଷ କରିବେ।
ଦଳମାନଙ୍କ ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ ଶୀର୍ଷରେ ଥିବା ବେଳେ ମହେନ୍ଦ୍ର ସିଂହ ଧୋନିଙ୍କୁ ଚେହେରା ବନାଇଥିବା ଚେନ୍ନାଇ ସୁପରକିଙ୍ଗ୍ସ ଦ୍ବିତୀୟ ସ୍ଥାନରେ ରହିଛି। ଆଇପିଏଲ୍ ବିଜେତା ହେବା ପରେ କୋଲକାତା ନାଇଟ୍ ରାଇଡର୍ସ ତୃତୀୟ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚତୁର୍ଥ ସ୍ଥାନରେ ଅଛି।