ପରାସ୍ତ ହେଲେ ବି ଦିଲ୍ଲୀ କ୍ୟାପିଟାଲ୍ସ ଉପରେ ହେଲା ଟଙ୍କା ବର୍ଷା

ନୂଆଦିଲ୍ଲୀ: ମଙ୍ଗଳବାର ଖେଳାଯାଇଥିବା ଆଇପିଏଲ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସକୁ ଅତି ସହଜରେ ୫ ୱିକେଟରେ ହରାଇ ପଞ୍ଚମ ଥର ପାଇଁ ଟ୍ରଫି ବିଜେତା ହୋଇଥିଲା । ଦିଲ୍ଲୀକୁ ୧୫୬ ରନ୍‌ରେ ରୋକିବା ପରେ ମୁମ୍ବାଇ ୫ ୱିକେଟ୍ ହରାଇ ୮ ବଲ୍ ପୂର୍ବରୁ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଆଉ ଆଇପିଏଲ୍ ବିଜେତା ମୁମ୍ବାଇ ଇଣ୍ଡିୟାନସକୁ ପୁରସ୍କାର ବାବଦକୁ ଟ୍ରଫି ସହ ୨୦ କୋଟି ଟଙ୍କା ମିଳିଥିବାବେଳେ ହାରିଥିବା ଦଳ କ୍ୟାପିଟାଲ୍ସକୁ ସାଢେ ୧୨ କୋଟି ଟଙ୍କା ମିଳିଛି ।

ପ୍ରକାଶ ଥାଉକି, ପୂର୍ବରୁ ଖବର ଆସିଥିଲା ​​ଯେ, କରୋନା ମହାମାରୀ ଯୋଗୁଁ ବିସିସିଆଇ ବିଜେତା ଦଳକୁ ଦେବାକୁ ଥିବା ପୁରସ୍କାର ରାଶିରେ ହ୍ରାସ କରିପାରେ, କିନ୍ତୁ ସେଭଳି କିଛି ହୋଇନାହିଁ | ସେହିପରି ତୃତୀୟ ସ୍ଥାନରେ ଥିବା ହାଇଦ୍ରାବାଦ ଦଳକୁ ୧୦.୫ କୋଟି ଟଙ୍କା ପୁରସ୍କାର ଭାବେ ମିଳିଛି । ସୂଚନା ଥାଉ କି କରୋନା ମହାମାରୀ ହେତୁ ବିସିସିଆଇ ମାର୍ଚ୍ଚ ମାସରେ ଖର୍ଚ୍ଚ କାଟ ଆରମ୍ଭ କରିଥିଲା ​​ଏବଂ ଆଇପିଏଲ ବିଜେତାଙ୍କ ପାଇଁ ଧାର୍ଯ୍ୟ ହୋଇଥିବା ଅର୍ଥ ରାଶି ମଧ୍ୟ କଟାଯିବ ବୋଲି କୁହାଯାଇଥିଲା ।

ତେବେ ବିସିସିଆଇର ପୁରସ୍କାର ରାଶିରେ ହ୍ରାସ କରିନାହିଁ । ସେହିପରି କମଳା କ୍ୟାପ୍ (ସର୍ବାଧିକ ରନ୍) ଏବଂ ବାଇଗଣୀ କ୍ୟାପ୍ (ସର୍ବାଧିକ ୱିକେଟ୍) ପାଇଥିବା ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି |ଆଇପିଏଲ୍ ୨୦୨୦ ରେ କେ.ଏଲ୍ ରାହୁଲ ସର୍ବାଧିକ ୬୭୦ ରନ୍ ସ୍କୋର କରିଥିଲେ। ଏଥି ସହିତ ଦିଲ୍ଲୀର କାଗିସୋ ରାବାଡା ସର୍ବାଧିକ ୩୦ ୱିକେଟ୍ ନେଇଥିଲେ |

ସମ୍ବନ୍ଧିତ ଖବର