ବିସିସିଆଇର ଖର୍ଚ୍ଚକାଟ ଯୋଜନା : ଅଧା‌‌‌ହେଲା ଆଇପିଏଲ୍ ପୁରସ୍କାର ରାଶି, ୨୦ ପରିବର୍ତେ ବିଜେତା ପାଇବେ ୧୦ କୋଟି

ବିଦେଶୀ ବୋର୍ଡଙ୍କୁ ମିଳୁଥିବା ରାଶି ବି କମିବ

ମୁମ୍ବାଇ : ବିଶ୍ବ କ୍ରିକେଟ୍‌ର ସବୁଠାରୁ ଧନୀ ବୋର୍ଡ ‘ବିସିସିଆଇ’ ତା’ର ବାର୍ଷିକ ବ୍ୟୟ ବରାଦକୁ କମାଇବା ପାଇଁ ବିଭିନ୍ନ ଯୋଜନା ହାତକୁ ନେଇଛି। ପ୍ରଥମ ପଦକ୍ଷେପ ସ୍ବରୂପ ଚଳିତ ମାସର ଶେଷ ଆଡ଼କୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣର ପୁରସ୍କାର ରାଶିକୁ ଅଧା କରିଦେଇଛି। ସମସ୍ତ ଫ୍ରାଞ୍ଚାଇଜ୍‌ଙ୍କୁ ପତ୍ର ଲେଖି ଚଳିତ ଋତୁରେ ବିଜେତାଙ୍କ ପୁରସ୍କାର ରାଶିକୁ ଅଧା କରାଗଲା ବୋଲି ବୁଧବାର ଜଣାଇଦେଇଛି ବିସିସିଆଇ। ପରିବର୍ତିତ ପୁରସ୍କାର ତାଲିକା ଅନୁସାରେ ଏଥର ବିଜେତା ଦଳ ୨୦ ପରିବର୍ତେ ୧୦ କୋଟି, ଉପବିଜେତା ୧୨.୫ ପରିବର୍ତେ ୬.୨୫ କୋଟି ଏବଂ କ୍ଲାଲିଫାୟରରେ ପରାଜିତ ହେଉଥିବା ଦଳ ୪.୩ କୋଟି ଟଙ୍କା ଲେଖାଏଁ ପାଇବେ। ପୁରସ୍କାର ରାଶି କମାଇବାର କାରଣ ଦର୍ଶାଇବାକୁ ଯାଇ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସବୁ ଦଳଙ୍କ ଆର୍ଥିକ ସ୍ଥିତି ଏବେ ବେଶ୍ ଭଲ ରହିଛି। ରୋଜଗାର ବଢ଼ାଇବା ଲାଗି ସେମାନଙ୍କ ପାଖରେ ପ୍ରା‌ୟୋଜକ ଯୋଗାଡ଼ ଓ ଅନ୍ୟାନ୍ୟ ବହୁ ବାଟ ରହିଛି। ସେଥିପାଇଁ ପୁରସ୍କାର ରାଶି ଅଧା କରିନେବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଆଇପିଏଲ୍ ମ୍ୟାଚ୍ ଆୟୋଜନ କରୁଥିବା ରାଜ୍ୟସଂଘଗୁଡ଼ିକୁ ବିସିସିଆଇ ଓ ଫ୍ରାଞ୍ଚାଇଜ ପ୍ରତ୍ୟେକ ମ୍ୟାଚ୍ ପାଇଁ ୫୦ ଲକ୍ଷ ଟଙ୍କା ଲେଖାଏଁ ଦେବେ ବୋଲି ସେ କହିଛନ୍ତି। ଖର୍ଚ୍ଚକାଟର ଅନ୍ୟ ଏକ ଉପାୟ ଭାବେ ବିସିସିଆଇର ମଧ୍ୟମ ସ୍ତରୀୟ କର୍ମଚାରୀ ଏଣିକି ଶ୍ରୀଲଙ୍କା, ବାଂଲାଦେଶ ଓ ୟୁଏଇ ଯେଉଁଠିକୁ ଯାତ୍ରା କରିବା ଲାଗି ୮ ଘଣ୍ଟାରୁ କମ୍ ସମୟ ଲାଗୁଛି, ସେଠାକୁ ବିଜନେସ୍ କ୍ଲାସ୍ ବଦଳରେ ଇକୋନୋମି କ୍ଲାସ୍‌ରେ ଯାତ୍ରା କରିବେ।

ବିଦେଶୀ ବୋର୍ଡଙ୍କୁ ମିଳୁଥିବା ରାଶି ବି କମିବ
ନିଜ ଖେଳାଳିଙ୍କୁ ଆଇପିଏଲ୍‌ର ପୂରା ଋତୁ ଖେଳିବାକୁ ଛାଡ଼ିବା ପାଇଁ ବିଦେଶୀ ବୋର୍ଡଗୁଡ଼ିକୁ ଦିଆଯାଉଥିବା ପାଉଣାକୁ ୨୦ରୁ ୧୦ ପ୍ରତିଶତ (ଖେଳାଳିଙ୍କ ନିଲାମ ରାଶିର) କରିବାକୁ ମଧ୍ୟ ବିସିସିଆଇ ଚିନ୍ତା କରୁଛି। ଏହି ଯୋଜନା କାର୍ଯ୍ୟକାରୀ ହେଲେ ବିସିସିଆଇ ୧୦୦ରୁ ଅଧିକ କୋଟି ଟଙ୍କା ସଞ୍ଚୟ କରିପାରିବ। ଆଇପିଏଲ୍‌ର ଗତ ୧୨ ସଂସ୍କରଣ ମଧ୍ୟରେ ବିଦେଶୀ ବୋର୍ଡଙ୍କୁ ଖେଳାଳି ଛାଡ଼ିବା ଲାଗି ମିଳୁଥିବା ଅର୍ଥ ନିୟମରେ ଏକାଧିକ ପରିବର୍ତନ କରାଯାଇଛି। ପ୍ରଥମେ ଏହି ଅର୍ଥ ଫ୍ରାଞ୍ଚାଇଜ ବହନ କରୁଥଲେ। ତେବେ କିଛି ଋତୁ ପରେ ଫ୍ରାଞ୍ଚାଇଜଗୁଡ଼ିକ କ୍ଷତି ସହୁଥିବା ଦେଖି ବିସିସିଆଇ ଏହି ବୋଝ ନିଜ ମୁଣ୍ଡ ଉପରକୁ ନେଇଥିଲା। ତା’ ସହ ଏହି ରାଶିକୁ ୨୦ ପ୍ରତିଶତକୁ ବଢ଼ାଇ ଦିଆଯାଇଥିଲା। ନୂଆ ସଂପାଦକ ଜୟ ଶାହ ଏହି ନିୟମକୁ ବଦଳାଇ ଦେବାକୁ ଚାହୁଁଛନ୍ତି। ବିଶ୍ବର କୌଣସି ଲିଗ୍‌ରେ ଏଭଳି ବ୍ୟବସ୍ଥା ନଥିଲା ବେଳେ ଆଇପିଏଲରେ ଏହି ନିୟମ କାର୍ଯ୍ୟକାରୀ କରିବାର କୌଣସି ଯଥାର୍ଥତା ନାହିଁ ବୋଲି ମତ ରଖିଛନ୍ତି। ଏହି ରାଶିକୁ ୧୦ ପ୍ରତିଶତକୁ କମାଇ ଫ୍ରାଞ୍ଚାଇଜଙ୍କୁ ଏହାର ବୋଝ ନେବାକୁ କହିବା ସପକ୍ଷରେ ସେ ଅଛନ୍ତି।

ସମ୍ବନ୍ଧିତ ଖବର