ଆଇପିଏଲ୍‌: ପଞ୍ଜାବ କିଙ୍ଗ୍ସର ବିଜୟ ଅଭିଯାନ

ମୋହାଲି: ଶିଖର ଧାୱନଙ୍କ ପଞ୍ଜାବ କିଙ୍ଗ୍ସ ବିଜୟରୁ ଆଇପିଏଲ୍‌ର ଷୋଡ଼ଶ ସଂସ୍କରଣ ଆରମ୍ଭ କରିଛି। ଫ୍ଲଡଲାଇଟ୍ ଫେଲ୍ ଓ ବର୍ଷା ବାଧାପ୍ରାପ୍ତ ଦିବାରାତ୍ର ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ୭ ରନ୍‌ରେ (ଡିଏଲ୍‌) ଦୁଇ ଥର ବିଜେତା କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। ଶିଖର ଧାୱନ ଏବଂ ଭାନୁକା ରାଜପକ୍ଷଙ୍କ ନେତୃତ୍ବରେ ପଞ୍ଜାବ କିଙ୍ଗ୍ସର ଶୀର୍ଷକ୍ରମ ଉପଯୋଗୀ ଅବଦାନ ଦେବାରୁ ଘରୋଇ ଦଳ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୧ ରନ୍ ସଂଗ୍ରହ କରିଥିଲା। ଜବାବରେ ୧୬ ଓଭରରେ କୋଲ୍‌କାତା ନାଇଟ୍ ରାଇଡର୍ସ ୧୪୬/୭ ସ୍କୋର୍‌ କରିଥିବା ବେଳେ ବର୍ଷା ଯୋଗୁଁ ଖେଳ ଅଟିକଯାଇଥିଲା। ଡିଏଲ୍‌ ପାର୍‌ ସ୍କୋରଠାରୁ ୭ ରନ୍‌ ପଛରେ ଥିବାରୁ ନୀତୀଶ ରାଣାଙ୍କ ଦଳ ନିରାଶାରୁ ଅଭିଯାନ ଆରମ୍ଭ କରିଥିଲା।

କୋଲକାତା ନାଇଟ୍ ରାଇଡର୍ସ ଅଧିନାୟକ ନୀତୀଶ ରାଣା ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିବା ବେଳେ ପଞ୍ଜାବ ପାଇଁ ଶୀର୍ଷ ୬ରୁ ୫ ଜଣ ଅନ୍ୟୁନ ୨୧ ରନ୍ ଅତିକ୍ରମ କରିଥିଲେ। ସିଂହଳି ଖେଳାଳି ଭାନୁକା ରାଜପକ୍ଷ ୩୨ ବଲରୁ ୫୦ ଏବଂ ଶିଖର ଧାୱନ ୨୯ ବଲ୍‌ରୁ ୪୦ ରନ୍‌ କରିଥିଲେ। ପ୍ରଭସିମ୍ରନ ସିଂହ, ଜିତେଶ ଶର୍ମା, ସିକନ୍ଦର ରାଜା ଛୋଟ ‌ଛୋଟ ହେଲେ ବି ଦ୍ରୁତ ବ୍ୟାଟିଂ କରିଥିଲେ। ଦାମୀ ଖେଳାଳି ସାମ କରନ୍ ୧୭ ବଲ୍‌ରୁ ୨୬* ରନ୍‌ କରି ପଞ୍ଜାବକୁ ୧୯୧ ରନ୍‌ରେ ପହଞ୍ଚାଇଥିଲେ। ନ୍ୟୁଜିଲାଣ୍ଡ୍ ଦ୍ରୁତ ବୋଲର ଟିମ୍ ସାଉଦି ସର୍ବାଧିକ ୨ ୱିକେଟ୍ ନେଇଥିଲେ ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇ ୪ ଓଭରରେ ୫୪ ରନ୍ ବ୍ୟୟ କରିଥିଲେ। ଜବାବରେ ଅର୍ଶଦୀପ ସିଂହ ତାଙ୍କ ପ୍ରଥମ ଓଭରର ପ୍ରଥମ ଓ ଶେଷ ବଲରେ ୱିକେଟ୍ ନେଇ କେକେଆର୍‌କୁ ଚାପରେ ରଖିଥି‌ଲେ। ରହମନୁଲ୍ଲା ଗୁରବାଜ ଏବଂ ଭେଙ୍କଟେଶ ଆୟର୍‌ କିଛି ଆକର୍ଷଣୀୟ ସଟ୍‌ ଖେଳିଥିଲେ ମଧ୍ୟ କେକେଆର୍‌ ନିୟମିତ ୱିକେଟ୍ ହରାଇ ଚାଲିଥିଲା। ଅଧିନାୟକ ନୀତୀଶ ରାଣା ଏବଂ ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର୍‌ ଆନ୍ଦ୍ରେ ରସେଲ୍‌ ଏହା ପରେ କେବଳ ଦୁଇ ଅଙ୍କ ସ୍କୋର୍‌ କରିପାରିଥିଲେ। ଅଧିକ ୱିକେଟ୍ ହରାଇବା ସହ ବର୍ଷା କାରଣରୁ କେକେଆର୍‌ ହାତରେ ଥିବା କ୍ଷୀଣ ସୁଯୋଗ ମଧ୍ୟ ହାତଛଡ଼ା ହୋଇଯାଇଥିଲା। ଅର୍ଶଦୀପ ସିଂହ (୩-୦-୧୯-୩) ଘାତକ ବୋଲିଂ କରି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇ ‌ନେଇଥିଲେ।

ଏହି ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ପାଇଁ ଅର୍ଦ୍ଧଶତକୀୟ ପାଳିବା ପରେ ଭାନୁକା ରାଜପକ୍ଷଙ୍କ ବଦଳରେ ବୋଲିଂ ବେଳକୁ ଦଳ ରିଶି ଧାୱନଙ୍କୁ ଇମ୍ପାକ୍ଟ ଖେଳାଳି ଭାବେ ବ୍ୟବହାର କରିଥିଲା। ସେହିଭଳି କେକେଆର୍‌ ସ୍ପିନର ବରୁଣ ଚକ୍ରବର୍ତୀଙ୍କ ବଦଳରେ ଭେଙ୍କଟେଶ ଆୟରଙ୍କୁ ବ୍ୟାଟିଂ ବେଳେ ବ୍ୟବହାର କରିଥିଲା।

ସମ୍ବନ୍ଧିତ ଖବର