ଦିଲ୍ଲୀ କ୍ୟାପିଟାଲ୍‌ସକୁ ୪ ୱିକେଟରେ ପରାସ୍ତ କରି ଆଇପିଏଲ୍ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍‌ସ

ନବମ ଥର ଲାଗି ଆଇପିଏଲ୍ ଫାଇନାଲରେ ପ୍ରବେଶ କଲା ଚେନ୍ନାଇ

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୧୪ତମ ସଂସ୍କରଣରେ କ୍ୱାଲିଫାୟର-୧ରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ୪ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଚେନ୍ନାଇ ସୁପର କିଙ୍ଗ୍‌ସ। ପ୍ରଥମ ପାଳିରେ ଦିଲ୍ଲୀ ୨୦ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ୧୭୨ ରନ୍‌ କରିଥିଲା । ଜବାବରେ ଚେନ୍ନାଇ ୧୯.୪ ଓଭରରେ ୬ ୱିକେଟ ହରାଇ ୧୭୩ ରନ୍‌ କରି ବିଜୟ ହାସଲ କରିଛି । ଚେନ୍ନାଇ ପକ୍ଷରୁ  ଋତୁରାଜ ଗାଏକୱାଡ ସର୍ବାଧିକ ୫୦ ବଲରେ ୭୦ ରନ୍‌ କରିଥିଲା ବେଳେ ରବିନ୍ ଉଥାପ୍ପା ୪୪ ବଲରେ ୬୩ ରନ୍‌ କରିଥିଲେ । ‌ଶେଷ ଓଭରରେ ବିଜୟ ଲାଗି ୧୩ ରନ୍‌ ଆବଶ୍ୟକ ଥିବା ବେଳେ ଧୋନୀ ୩ଟି ଚୌକା ସହ ମୋଟ ୬ ବଲରେ ୧୮ ରନ୍‌ କରି ଚେନ୍ନାଇକୁ ବିଜୟ ଦେଇଥିଲେ । ଏହି ବିଜୟ ସହ ଧୋନୀ ବାହିନୀ ନବମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଅନ୍ୟପଟେ  ପରାଜୟ ହୋଇଥିଲେ ମଧ୍ୟ ଫାଇନାଲକୁ ଯିବା ପାଇଁ ଦିଲ୍ଳୀ ହାତରେ ଆଉ ଏକ ସୁଯୋଗ ରହିଛି ।

ପୂର୍ବରୁ ସୁପର କିଙ୍ଗ୍‌ସ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ୧୭୨ ରନ୍‌ କରିଥିଲା। ଫଳରେ ଚେନ୍ନାଇ ଆଗରେ ଦିଲ୍ଲୀ ୧୭୩ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା। ଦିଲ୍ଲୀ ପକ୍ଷରୁ ଓପନର ପୃଥ୍ଵୀ ସ’ ସର୍ବାଧିକ ୬୦ ରନ୍ କରି ଦଳ ପାଇଁ ଦୃଢ଼ ମୂଳଦୁଆ ପକାଇଥିଲେ। ଯୁବ କ୍ରିକେଟର ପୃଥ୍ଵୀ ସ’ ଓ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଶିଖର ଧଓ୍ଵନ (୭ରନ୍‌) ଦିଲ୍ଲୀ କ୍ୟାପିଟାଲ୍ସର ଇନିଂସ ଆରମ୍ଭ କରିଥିଲେ। ଉଭୟ ଖେଳାଳି ଆରମ୍ଭରୁ ଭଲ ଖେଳି ଥିଲେ। କିନ୍ତୁ ଦଳ ୩୬ ରନ୍‌ରେ ନିଜର ପ୍ରଥମ ଓ୍ଵିକେଟ୍‌ ଭାବେ ଧଓ୍ଵନଙ୍କୁ ହରାଇଥିଲା। ଧଓ୍ଵନଙ୍କ ସ୍ଥାନ ପୂରଣ କରିବାକୁ ଆସିଥିଲେ ଶ୍ରେୟସ ଆୟର। କିନ୍ତୁ ସେ ୮ଟି ବଲ୍‌ର ସମ୍ମୁଖୀନ ହୋଇ ମାତ୍ର ୧ ରନ୍‌ ସଂଗ୍ରହ କରି ପାଭଲିଅନ୍‌ ଛାଡ଼ିଥିଲେ। ପୃଥ୍ଵୀ ସ’ଙ୍କ ୩୪ ବଲରେ ୬୦ ରନ୍, ଅଧିନାୟକ ଋଷଭ ପନ୍ତଙ୍କ ଅପରାଜିତ ୫୧ ରନ୍‌, ସିମରନ୍‌ ହେଟମେୟରଙ୍କ ୩୭ ରନ୍‌ ବଳରେ ଦିଲ୍ଲୀ ନିଜର ସ୍କୋରକୁ ୧୭୨ ରନ୍‌ରେ ପହଂଚାଇଥିଲା। ଅକ୍ଷର ପଟେଲ ୧୦ ରନ୍‌, ଟମ୍‌ କରନ୍‌ କୌଣସି ରନ୍‌ ସଂଗ୍ରହ ନକରି ଅପରାଜିତ ରହି ଫେରିଥିଲେ।

ଚେନ୍ନାଇ ସୁପର କିଙ୍ଗ୍‌ସ ତରଫରୁ ଜୋସ୍‌ ହେଜେଲଉଡ ୨ଟି ଓ୍ଵିକେଟ୍‌ ନେଇଥିଲେ। ସେହିପରି ରବୀନ୍ଦ୍ର ଜାଦେଜା, ମୋଇନ ଅଲ୍ଲୀ ଓ  ବ୍ରାଭୋଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଥିଲା।

ସମ୍ବନ୍ଧିତ ଖବର