ଅହମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୬ତମ ସଂସ୍କରଣର ୨୩ତମ ମ୍ୟାଚ୍‌ରେ ଗୁଜରାଟକୁ ୩ୱିକେଟରେ ପରାସ୍ତ କରିଛି ରାଜସ୍ଥାନ। ଦ୍ବିତୀୟ ପାଳିରେ ରାଜସ୍ଥାନ ୧୭୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ୧୯.୨ ଓଭରରେ ୭ ୱିକେ‌ଟ ହରାଇ ୧୭୯ ରନ୍‌ କରି ବିଜୟୀ ହୋଇଛି । ରାଜସ୍ଥାନ ପକ୍ଷରୁ ସଞ୍ଜୁ ସାମସନ୍ ୩୨ ବଲରେ ୬୦ ରନ୍‌ କରିଥିବା ବେଳେ ଦେବଦତ୍ତ ପାଦିକ୍କାଲ ୨୫ ବଲରେ ୨୬ ରନ୍‌ ଓ ‌ଶେଷରେ ଶିମ୍ରନ୍ ହେଟମାୟରଙ୍କ ଦମ୍‌ଦାର ୨୬ ବଲରେ ୫୬ ରନ୍‌ ବଳରେ ରାଜସ୍ଥାନ ଏହି ମ୍ୟାଚକୁ ୩ ୱିକେଟରେ ଜିତି ନେଇଛି । ଅନ୍ୟପଟେ ଗୁଜୁରାଟ ପକ୍ଷରୁ ମହମ୍ମଦ ଶାମି ୩ଟି ୱିକେଟ ରସିଦ ଖାନ ୨ଟି ୱିକେଟ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ ନୁର ଅହମ୍ମଦ ୧-୧ ୱିକେଟ ନେଇଥିଲେ । ଏହି ବିଜୟ ସହ ରାଜସ୍ଥାନ ୮ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାରେ ପ୍ରଥମରେ ରହିଛି ।

Advertisment

ପ୍ରଥମ ପାଳିରେ ଟସ୍‌ ଜିଣି ରାଜସ୍ଥାନବୋଲିଂ ନିଷ୍ପତ୍ତି ନେଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ ହରାଇ ୧୭୭ ରନ୍‌ କରିଥିଲା। ଫଳରେ ରାଜସ୍ଥାନକୁ ୧୭୮ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା।

ଗୁଜରାଟକୁ ଆରମ୍ଭରୁ ଝଟକା ଲାଗିଥିଲା। ଋଦ୍ଧିମାନ ଶାହ ମାତ୍ର ୪ ରନ୍‌ ସଂଗ୍ରହ କରି ଦଳ ପ୍ରଥମ ୱିକେଟ ଭାବେ ଆଉଟ୍‌ ହୋଇ ପାଭଲିଅନକୁ ଫେରି ଆସିଥିଲେ। ୩୨ ରନ୍‌ରେ ଦଳକୁ ଦ୍ବିତୀୟ ଝଟକା ଲାଗିଥିଲା। ସାଈ ସୁଦର୍ଶନ ୧୯ଟି ବଲ୍‌ ଖେଳି ୨୦ ରନ୍‌ କରିଥିଲେ। ସେ ପାଭଲିଅନରୁ ବିଦାୟ ନେବା ପରେ ହାର୍ଦ୍ଦିକ ପାଣ୍ଡ୍ୟା (୨୮ ରନ୍‌) ଓ ଶୁବମାନ ଗିଲ ୩ୟ ୱିକେଟ ପାଇଁ ୫୯ ରନ୍‌ ଯୋଡ଼ିଥିଲେ। ରାଜସ୍ଥାନର ୩ୟ ଶିକାର ହୋଇଥିଲେ ହାର୍ଦ୍ଦିକ।

ଗୁଜରାଟ ଟାଇଟନ୍ସ ପାଇଁ ଯୁବ ବ୍ୟାଟର ଶୁବମାନ୍‌ ଗିଲ ୪୫ ରନ୍‌ ସଂଗ୍ରହ କରିଥିଲେ। ସେ ୩୪ଟି ବଲ୍‌ ଖେଳି ୪ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଡାଭିଡ ମିଲର ବ୍ୟକ୍ତିଗତ ଭାବେ ୪୬ ରନ୍‌ ସଂଗ୍ରହ କରିଥିଲେ। ସେ ୩୦ଟି ବଲ୍‌ ଖେଳି ୩ ଚୌକା ଓ ୨ଟି ଛକା ମାରିଥିଲେ। ସେହିଭଳି ହାର୍ଦ୍ଦିକ ପାଣ୍ଡ୍ୟା ୨୮, ଅଭିନବ ମନୋହର ୨୭ ରନ୍‌ ସଂଗ୍ରହ କରିଥିଲେ। ରାଜସ୍ଥାନ ପକ୍ଷରୁ ସନ୍ଦୀପ ଶର୍ମା ସର୍ବାଧିକ ୨ଟି ୱିକେଟ୍‌ ନେଇଥିଲେ। ଟ୍ରେଣ୍ଟ ବୋଲ୍ଟ, ଆଦାମ ଜାମ୍ପା ଓ ୟୁଜବେନ୍ଦ୍ର ଚହଲଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା।