ଆଇପିଏଲ୍‌: ସନରାଇଜର୍ସ ହାଇଦ୍ରାବାଦକୁ ୭ ଓ୍ଵିକେଟରେ ପରାସ୍ତ କଲା ରାଜସ୍ଥାନ ରୟାଲସ୍‌

ଜୟପୁର: ଇଣ୍ଡିଆନ ପ୍ରମିୟର ଲିଗ୍‌ (ଆଇପିଏଲ) ଦ୍ୱାଦଶ ସଂସ୍କରଣର ୪୫ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୭ ଓ୍ଵିକେଟରେ ପରାସ୍ତ କରିଛି ରାଜସ୍ଥାନ ରୟାଲସ୍‌ । ରାଜସ୍ଥାନ ୧୬୧ ରନ ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ଇନିଂସ ବ୍ୟାଟିଂ କରିଥିଲା। ରାଜସ୍ଥାନ ସ୍କୋର ୭୮ ରନ ୯.୧ ଓଭରରେ ପ୍ରଥମ ଓ୍ଵିକେଟ ହରାଇଥିଲା। ଲିୟମ ଲଭିଂଷ୍ଟୋନ ୨୫ଟି ବଲ ଖେଳି ୪୪ ରନ କରିଥିଲେ । ଅନ୍ୟପଟେ ଆଜିଙ୍କେ ରାହାଣେ ୩୪ ବଲ୍‌ରେ ୩୯ ରନ୍‌ ଓ ସଞ୍ଜୁ ସାମସନ୍‌ ୩୨ ବଲ୍‌ରେ ୪୮ ରନ୍‌ କରିଥିଲେ । ଏହି ବିଜୟ ସହ ରାଜସ୍ଥାନ ୧୦ ପଏଣ୍ଟ ହାସଲ କରି ତାଲିକାରେ ଷଷ୍ଠ ସ୍ଥାନରେ ରହିଛି ।

ପ୍ରଥମ ଇନିଂସରେ ମନୀଷ ପାଣ୍ଡେଙ୍କ ଅର୍ଦ୍ଧଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ ଶନିବାର ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ ହରାଇ ୧୬୦ ରନ୍‌ କରିଥିଲା। ଜୟପୁରସ୍ଥିତ ସଓ୍ଵାଇ ମାନସିଂହ ଷ୍ଟାଡିୟମରେ ଟସ୍‌ ଜିଣି ରାଜସ୍ଥାନ ବୋଲିଂ ନିଷ୍ପତ୍ତି ନେବା ପରେ ହାଇଦ୍ରାବାଦ୍‌ ବ୍ୟାଟିଂ କରିଥିଲା। ମନୀଷ ପାଣ୍ଡେ ୩୬ ବଲ ଖେଳି ୬୧ ରନ କରିଥିଲେ। ଏଥିରେ ୯ଟି ଚୌକା ସାମିଲ ଥିଲା। ଶ୍ରେୟସ ଗୋପାଳଙ୍କ ବଲ ସଂଜୁ ସାମସନଙ୍କୁ କ୍ୟାଚ ଦେଇ ମନୀଷ ଆଉଟ ହୋଇଥିଲେ।

ହାଇଦ୍ରାବାଦ୍‌ ସ୍କୋର ୨୮ ରନରେ ପ୍ରଥମ ଓ୍ଵିକେଟ ଭାବେ ଅଧିନାୟକ କେନ୍‌ ଓ୍ଵିଲିୟମସନ (୧୩ ରନ)ଙ୍କୁ ହରାଇଥିଲା। ଶ୍ରେୟସ ଗୋପାଳଙ୍କ ଦ୍ୱାରା ଓ୍ଵିଲିୟମସନ୍‌ ବୋଲ୍ଡ ହୋଇଥିଲେ। ସ୍କୋର ୧୦୩ ରନରେ ଡାଭିଡ ଓ୍ଵାର୍ଣ୍ଣର (୩୭ ରନ, ୩୨ ବଲ) ଓସାନେ ଥୋମାସଙ୍କ ବଲ ଷ୍ଟିଭେନ ସ୍ମିଥଙ୍କୁ କ୍ୟାଚ ଦେଇ ପାଭଲିଅନ ଫେରିଥିଲେ। ୧୪.୩ ଓଭରରେ ହାଇଦ୍ରାବାଦ୍‌ ୩ଟି ଓ୍ଵିକେଟ ହରାଇଥିବା ବେଳେ ପରବର୍ତ୍ତୀ ୫ ଓଭରରେ ୫ଟି ଓ୍ଵିକେଟ ହରାଇଥିବାରୁ ଏକ ବିଶାଳ ସ୍କୋର ହୋଇପାରି ନଥିଲା।

ଟିମ୍‌ର ଅନ୍ୟ ଖେଳାଳିମାନେ ସେତେ ଭଲ ସ୍କୋର କରିପାରି ନଥିଲେ। ବିଜୟ ଶଙ୍କର ୮ ରନ, ସାକିବ ଅଲ ହାସନ ୯ ରନ, ଋଦ୍ଧିମାନ ଶାହା ୫ ରନ, ରସିଦ ଖାନ ୧୭ ରନ, ଭୁବନେଶ୍ୱର କୁମାର ୧ ରନ କରିଥିଲେ। ରାଜସ୍ଥାନର ବରୁଣ ଆରୋନ, ଓସାନେ ଥୋମାସ, ଶ୍ରେୟସ ଗୋପାଳ ଓ ଜୟଦେବ ଉନାଦକଟ ୨-୨ ଓ୍ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର