ଚେନ୍ନାଇ: ଚେନ୍ନାଇକୁ ତା’ର ଘରେ ହରାଇ ଚଳିତ ଆଇପିଏଲ୍ ପଏଣ୍ଟ ତାଲିକା ଶୀର୍ଷକୁ ଉଠିଛି ରାଜସ୍ଥାନ ରୟାଲ୍ସ। ଏମ୍ଏ ଚିଦମ୍ବରମ ଷ୍ଟାଡିୟମ୍ରେ ବୁଧବାର ରାତିରେ ଖେଳାଯାଇଥିବା ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ୩ ରନ୍ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇଛି। ଏହାଫଳରେ ଅଧିନାୟକ ଭାବେ ୨୦୦ତମ ଆଇପିଏଲ୍ ମ୍ୟାଚ୍ ଖେଳୁଥିବା ଧୋନିଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ୮ ୱିକେଟ୍ ବିନିମୟରେ ୧୭୫ ରନ୍ କରିଥିଲା ବେଳେ ଚେନ୍ନାଇ ନିର୍ଧାରିତ ଓଭର ସୁଦ୍ଧା ୧୭୨/୬ ସ୍କୋର କରିପାରିଥିଲା। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ରବିଚନ୍ଦ୍ରନ ଅଶ୍ବିନଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା।
ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ପାଇଁ ପ୍ରାରମ୍ଭିକ ବ୍ୟାଟର ଯଶସ୍ବୀ ଜୟସ୍ବାଲଙ୍କ ରୂପରେ ପ୍ରଥମ ଝଟ୍କା ଲାଗିଥିଲା। ତେବେ ଜୋସ୍ ବଟଲର୍ ଓ ଦେବଦତ୍ତ ପଡ଼ିକଲ ପାଖାପାଖି ୭ ଓଭର ଏକାଠି ବ୍ୟାଟିଂ କରି ମହତ୍ବପୂର୍ଣ୍ଣ ୭୮ ରନ୍ ଦଳୀୟ ସ୍କୋରରେ ଯୋଡ଼ିଥିଲେ। କିନ୍ତୁ ଜାଦେଜା ଆସିବା ପରେ ଗୋଟିଏ ଓଭରରେ ଦେବଦତ୍ତ ଓ ସଞ୍ଜୁ ସାମସନ୍ଙ୍କୁ ଆଉଟ୍ କରି ୨୦୦ ଟ୍ବେଣ୍ଟି-୨୦ ୱିକେଟ୍ ପାଇବା ସହ ଚେନ୍ନାଇକୁ ବଡ଼ ସଫଳତା ଦେଇଥିଲେ। ବଟଲର୍ଙ୍କ ସହ ମିଶି ରବିଚନ୍ଦ୍ରନ ଅଶ୍ବିନ ଚତୁର୍ଥ ୱିକେଟ୍ରେ ୪୭ ରନ୍ ଯୋଡ଼ିଥିଲେ। ତେବେ ଦ୍ରୁତ ଖେଳିବାକୁ ଯାଇ ଅଶ୍ବିନ ଯୁବ ବୋଲର ଆକାଶ ସିଂହଙ୍କ ଦ୍ବାରା ଆଉଟ ହେବା ପରେ ପ୍ରଥମ ଓଭରରୁ ୧୮ ରନ୍ ବ୍ୟୟ କରି ମହଙ୍ଗା ହୋଇଥିବା ମୋଇନ୍ ଅଲ୍ଲୀ ଅର୍ଦ୍ଧଶତକ ହାସଲକାରୀ ବଟଲରଙ୍କୁ ବୋଲ୍ଡ କରିଦେଇଥିଲେ। ସିମ୍ରନ୍ ହେଟମାୟର କିନ୍ତୁ ଅପରାଜିତ ରହି ଦଳକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ। ଏହି ପାଳିରେ ଚେନ୍ନାଇ ପାଖାପାଖି ୫ଟି ସହଜ ଆଉଟ୍ ସୁଯୋଗକୁ ହାତଛଡ଼ା କରିଥିଲା।
ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଚେନ୍ନାଇ ପାଇଁ କିନ୍ତୁ ଆରମ୍ଭ ସେତେ ଭଲ ହୋଇନଥିଲା। ଫର୍ମରେ ଥିବା ଋତୁରାଜ ଗାଏକ୍ବାଡ ଏଥର ନିରାଶ କରିଥିଲେ। ଡେଭନ୍ କନୱେ ଓ ଗତ ମ୍ୟାଚ୍ର ହିରୋ ଆଜିଙ୍କ୍ୟ ରାହାଣେ ଦ୍ବିତୀୟ ୱିକେଟ୍ରେ ୬୮ ରନ୍ ଉଠାଇଥିଲେ ବି ଲମ୍ବା ସମୟ ପର୍ଯ୍ୟନ୍ତ ଯୋଡ଼ି ତିଷ୍ଠି ପାରିନଥିଲା। ଅଶ୍ବିନ ଲଗାତାର ଓଭରରେ ରାହାଣେ ଓ ଶିବମ ଦୁବେଙ୍କୁ ଆଉଟ୍ କରିବା ପରେ ମୋଇନ୍ ଅଲ୍ଲୀ ଓ ଇମ୍ପାକ୍ଟ ପ୍ଲେୟାର ଅମ୍ବାତି ରାୟୁଡୁ କମ୍ ରନ୍ ବ୍ୟବଧାନରେ ଆଉଟ୍ ହେବାରୁ ଚେନ୍ନାଇ ଉପରେ ଚାପ ବଢିଯାଇଥିଲା। ଅର୍ଦ୍ଧଶତକ କରିବା ପରେ କନୱେ ମଧ୍ୟ ବଡ଼ ସଟ୍ ମାରିବାକୁ ଯାଇ ନିଜ ୱିକେଟ୍ ହରାଇଥିଲେ। ମାତ୍ର ୨୧ ରନ୍ ମଧ୍ୟରେ ଏହି ୪ ୱିକେଟ୍ର ପତନ ଘଟିଥିଲା। ଧୋନି ଓ ଜାଦେଜା ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ଦଳକୁ ଜିତାଇବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ। ଶେଷ ତିନି ଓଭରରେ ଦଳକୁ ୫୪ ରନ୍ ଆବଶ୍ୟକ ହେଉଥିଲା ବେଳେ ଉଭୟ ବିସ୍ଫୋରକ ଖେଳିଥିଲେ। ତଥାପି ଶେଷ ଓଭରରେ ୨୧ ରନ୍ ଆବଶ୍ୟକ ଥିଲା ବେଳେ ଧୋନିଙ୍କ ଦୁଇଟି ଆକର୍ଷଣୀୟ ଛକା ସହାୟତାରେ ଅନ୍ତିମ ବଲ୍ରୁ ଆଉ ୫ ରନ୍ ଆବଶ୍ୟକ ହେଉଥିଲା। ହେଲେ ସନ୍ଦୀପ ଶର୍ମାଙ୍କ ୟର୍କରକୁ ଧୋନି ବାଉଣ୍ଡରି ମାରିବାରେ ବିଫଳ ହୋଇଥିଲେ।