ଆଇପିଏଲ୍‌: ସ୍ମିଥଙ୍କ ଅର୍ଦ୍ଧଶତକ, ମୁମ୍ବାଇକୁ ୫ ଓ୍ଵିକେଟରେ ପରାସ୍ତ କଲା ରାଜସ୍ଥାନ

ଜୟପୁର: ଷ୍ଟିଭ୍‌ ସ୍ମିଥଙ୍କ ଅର୍ଦ୍ଧଶତକ (ଅପରାଜିତ ୫୯ ରନ, ୪୮ ବଲ, ୬ ଚୌକା, ୧ ଛକା) ବଳରେ ରାଜସ୍ଥାନ ରୟାଲସ୍‌ ଶନିବାର ମୁମ୍ବାଇ ଇଣ୍ଡିଆନସ୍‌କୁ ୫ ଓ୍ଵିକେଟରେ ପରାସ୍ତ କରିଛି। ଦ୍ୱିତୀୟ ଇନିଂସରେ ୬୨ ରନ ଟାର୍ଗେଟ ନେଇ ରାଜସ୍ଥାନ ୧୯.୧ ଓଭରରେ ଏହାକୁ ପୂରଣ କରିଛି। ଓପନର ଆଜିଙ୍କ୍ୟ ରାହାଣେ ୧୨ ରନ, ସଂଜୁ ସାମ୍‌ସନ୍‌ ୩୫ ରନ୍‌, ରିୟାନ ପରାଗ ୪୩ ରନ କରିଥିଲେ।

ରାଜସ୍ଥାନ ସ୍କୋର ୩୯ ରନ୍‌ରେ ପ୍ରଥମ ଓ୍ଵିକେଟ ଭାବେ ରାହାଣେଙ୍କୁ ହରାଇଥିଲା। ମୁମ୍ବାଇର ୨ୟ ଶିକାର ହୋଇଥିଲେ ସଂଜୁ ସାମ୍‌ସନ। ସେତେବେଳକୁ ୭.୨ ଓଭରରେ ରାଜସ୍ଥାନ ସ୍କୋର ୭୬ ରନ୍‌ ଥିଲା। ସ୍କୋର ୭୭ ରନ୍‌ରେ ପୁଣି ଏକ ଓ୍ଵିକେଟ ଯାଇଥିଲା। ରିୟାନ ପରାଗ ଆଉଟ ହୋଇ ପାଭଲିଅନ୍‌ ଫେରିବା ବେଳକୁ ସ୍କୋର ୧୭.୪ ଓଭରରେ ୧୪୭ ରନ୍‌ ଥିଲା। ମୁମ୍ବାଇ ପକ୍ଷରୁ ରାହୁଲ ଚହର ୩ଟି ଓ୍ଵିକେଟ ନେଇଥିବା ବେଳେ ଯଶପ୍ରୀତ ବୁମରା ଗୋଟିଏ ଓ୍ଵିକେଟ ନେଇଥିଲେ।

ପ୍ରଥମ ଇନିଂସରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ୩୬ତମ ମ୍ୟାଚରେ ଶନିବାର କ୍ୱିଣ୍ଟନ୍‌ ଡି କକ୍‌ ଅର୍ଦ୍ଧଶତକ (୬୫ ରନ, ୪୭ ବଲ, ୬ ଚୌକା, ୨ ଛକା) ହାସଲ କରିଥିଲା। ମୁମ୍ବାଇ ଇଣ୍ଡିଆନ୍‌ ବ୍ୟାଟସ୍‌ମ୍ୟାନ ଡି କକ୍‌ ରାଜସ୍ଥାନ ରୟାଲସ୍‌ର ଶ୍ରେୟସ ଗୋପାଳଙ୍କ ବଲରେ ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଥିଲେ। ଜୟପୁରସ୍ଥିତ ସଓ୍ଵାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ୍‌ରେ ରାଜସ୍ଥାନ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ଓ୍ଵିକେଟ ହରାଇ ୧୬୧ ରନ୍‌ କରିଥିଲା। ଫଳରେ ରାଜସ୍ଥାନକୁ ୧୬୨ ରନ୍‌ ଟାର୍ଗେଟ ମିଳିଛି। ହାର୍ଦ୍ଦିକ ପାଣ୍ଡ୍ୟା ୨୩ ରନ କରିଥିଲେ।

ମୁମ୍ବାଇ ଇଣ୍ଡିଆନସ୍‌ ୧୧ ରନ୍‌ରେ ପ୍ରଥମ ଓ୍ଵିକେଟ ଭାବେ ଅଧିନାୟକ ରୋହିତ ଶର୍ମାଙ୍କୁ ହରାଇଥିଲା। ରୋହିତ ୭ଟି ବଲ ଖେଳି ୫ ରନ୍‌ କରିବା ପରେ ଶ୍ରେୟସ ଗୋପାଳଙ୍କ ଦ୍ୱାରା ଆଉଟ୍‌ ହୋଇ ପାଭ୍‌ଲିଅନ୍‌ ଫେରିଥିଲେ। ଏହା ପରେ ଟିମ୍‌ର ଡି କକ୍‌ ଓ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ବଳରେ ଦ୍ୱିତୀୟ ଓ୍ଵିକେଟରେ ମୁମ୍ବାଇ ୯୭ ରନ୍‌ ସଂଗ୍ରହ କରିଥିଲା। ୧୩.୫ ଓଭରରେ ଯାଦଦ ଆଉଟ୍‌ ହୋଇଥିଲେ। ଏହା ପୂର୍ବରୁ ସେ ୩୩ଟି ବଲ ଖେଳି ୩୪ ରନ୍‌ ଯୋଡ଼ିଥିଲେ। ଡି କକ୍‌ ଆଉଟ୍‌ ହେବା ବେଳକୁ ସ୍କୋର ୧୪.୩ ଓଭରରେ ୧୧୧ ରନ୍‌ ଥିଲା। କିରଣ ପୋଲାର୍ଡ ମଧ୍ୟ ଅଧିକ ସମୟ ଯାଏଁ ପଡିଆରେ ରହିପାରି ନଥିଲେ। ଜୟଦେବ ଉନାଦକଟଙ୍କ ଦ୍ୱାରା ବୋଲଡ ହୋଇ ପାଭଲିଅନ ଫେରିବା ପୂର୍ବରୁ ପୋଲାର୍ଡ ୭ଟି ବଲ ଖେଳି ୧୦ ରନ କରିଥିଲେ। ଏଥିରେ ଗୋଟିଏ ଛକା ସାମିଲ ଥିଲା।

ସମ୍ବନ୍ଧିତ ଖବର