ଅହମଦାବାଦ: ଚଳିତ ଆଇପିଏଲ୍ର ୨୩ତମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ୩ ୱିକେଟ୍ରେ ବିଜେତା ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି। ୧୭୮ ରନ୍ ବିଜୟ ଲକ୍ଷ୍ୟକୁ ରାଜସ୍ଥାନ ସଂଜୁ ସାମସନ ଓ ସିମ୍ରନ ହେଟମେୟରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଜିତି ନେଇଛି। ଉଭୟ ଦଳ ୫ ଲେଖାଏଁ ମ୍ୟାଚ୍ ଖେଳିଥିବା ବେଳେ ରାଜସ୍ଥାନ ଚତୁର୍ଥ ବିଜୟ ସହ ଶୀର୍ଷ ସ୍ଥାନକୁ ଦୃଢ଼ କରିଛି। ଗୁଜରାଟ ଦ୍ବିତୀୟ ପରାଜୟ ବରଣ କରିଛି।
ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ରବିବାର ରାତିରେ ଖେଳାଯାଇଥିବା ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ଗୁଜରାଟ ଟାଇଟନ୍ସ ବିନା ଅର୍ଦ୍ଧଶତକରେ ୧୭୭ ରନ୍ର ଆହ୍ବାନଭରା ସ୍କୋର ଛିଡ଼ା କରିଥିଲା। ଶୁବମନ ଗିଲ୍ ୩୪ ବଲ୍ରୁ ୪୫ ଏବଂ ଡେଭିଡ୍ ମିଲର୍ ୩୦ ବଲ୍ରୁ ୪୬ ରନ୍ କରି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ସାଇ ସୁଦର୍ଶନ, ହାର୍ଦିକ ପାଣ୍ଡ୍ୟା, ଅଭିନବ ମନୋହର ଭଲ ଆରମ୍ଭ କରିଥିଲେ ମଧ୍ୟ ୩୦ ରନ୍ ଅତିକ୍ରମ କରିପାରିନଥିଲେ। ସନ୍ଦୀପ ଶର୍ମା, ଟ୍ରେଣ୍ଟ୍ ବୋଲ୍ଟ, ଆଦାମ ଜାମ୍ପା, ୟୁଝବେନ୍ଦ୍ର ଚହଲ୍ ୱିକେଟ୍ ଦଖଲରେ ସଫଳ ହୋଇଥିଲେ। ଦୁଇ ଜଣ ଗୁଜରାଟ ବ୍ୟାଟର୍ ରନ୍ ଆଉଟ୍ ହେବା ଦଳକୁ ବଡ଼ ସ୍କୋର୍ ପ୍ରଦାନରୁ ରୋକିଥିଲା। ଶେଷ ଭାଗରେ ଅଭିନବଙ୍କ ୩ ଛକା କେବଳ ଦଳକୁ ୧୭୭ ରନ୍ରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲା।
ଜବାବରେ ତାରକା ଖଚିତ ବ୍ୟାଟରଙ୍କୁ ରଖିଥିବା ରାଜସ୍ଥାନ ରୟାଲ୍ସ ପ୍ରତିଟି ରନ୍ ପାଇଁ ସଂଘର୍ଷ କରିଥିଲା। ପାୱାର ପ୍ଲେ ୬ ଓଭରରେ ୨୬/୨ରେ ସୀମିତ ରହିଥିଲା। ପ୍ରଥମରୁ ଯଶସ୍ବୀ ଜୟସ୍ବାଲ, ଜୋସ୍ ବଟଲର୍, ରୢାନ୍ ପରାଗ, ଦେବଦତ୍ତ ପଡ଼ିକଲଙ୍କୁ ହରାଇ ରାଜସ୍ଥାନ ଏକାଦଶ ଓଭର ବେଳକୁ ମଧ୍ୟ ୫୫/୪ରେ ସଂଘର୍ଷ କରିଥିଲା। ଅଧିନାୟକ ସଂଜୁ ସାମସନ୍ଙ୍କ ବିସ୍ଫୋରକ ପାଳି (୩୨ ବଲ୍ରୁ ୬୦ ରନ୍) କାରଣରୁ ରାଜସ୍ଥାନ ରୟାଲ୍ସ ପାଳିରେ ନୂଆ ଜୀବନ ଭରିଥିଲା। ସିମ୍ରନ ହେଟମେୟରଙ୍କୁ ସାଥି କରି ସଂଜୁ ୪.୩ ଓଭରରୁ ୫୯ ରନ୍ ଯୋଡ଼ିଥିଲେ। ଉତ୍ତରପ୍ରଦେଶ ଯୁବ ପ୍ରତିଭା ଧୃବ ଜୁରେଲ୍ଙ୍କୁ ସାଥି କରି ହେଟମେୟର୍ ମଧ୍ୟ ୨୦ ବଲ୍ରୁ ୪୭ ରନ୍ ଯୋଡ଼ିବା ଦଳକୁ ବିଜୟର ନିକଟତର କରିଥିଲା। ହେଟମେୟର୍ ୨୫ ବଲ୍ରୁ ୫୦ ରନ୍ ପୂର୍ଣ୍ଣ କରିବା ସହ ଛକା ମାରି ଦଳକୁ ୪ ବଲ୍ ପୂର୍ବରୁ ବିଜୟୀ କରିଥିଲେ। ମହମ୍ମଦ ସାମି ନିଜ ପ୍ରଥମ ୩ ଓଭରରେ ୯ ରନ୍ ଦେଇଥିଲେ ମଧ୍ୟ ୧୯ତମ ଓଭରରେ ୧୬ ରନ୍ ଦେଇ ୪-୧-୨୫-୩ ବୋଲିଂ ଚିତ୍ର ପାଇଥିଲେ।