ବେଙ୍ଗାଲୁରୁ: ଚଳିତ ଆଇପିଏଲ୍ରେ ବିଜୟ ଲାଗି ସଂଘର୍ଷ କରୁଥିବା ଦୁଇ ଥରର ବିଜେତା କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍) ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ବେଙ୍ଗାଲୁରୁରେ ଭେଟିବ। କେକେଆର୍ ଏବେ ସୁଦ୍ଧା ୭ ମ୍ୟାଚ୍ ଖେଳି ୨ ବିଜୟରୁ ୪ ପଏଣ୍ଟ ପାଇ ଟେବୁଲର ସପ୍ତମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଆର୍ସିବି ୭ରୁ ୪ ଜିତି ପଞ୍ଚମରେ ରହିଛି। କେକେଆର୍ ପାଇଁ ବଡ଼ ଚିନ୍ତା ହେଉଛି ଦଳ ଗତ ୪ ମ୍ୟାଚ୍ରେ ପରାଜୟ ମୁହଁ ଦେଖିଛି। ବ୍ୟାଟ୍ସମ୍ୟାନ୍ଙ୍କ ବିଫଳତା ଯୋଗୁଁ ଦଳ ବିଜୟ ହାସଲ କରିପାରୁନି। ଆଉ ଏକ କାରଣ ହେଉଛି ଏହାର ନିୟମିତ ଅଧିନାୟକ ଶ୍ରେୟସ ଆୟରଙ୍କ ସହ ତାରକା ଅଲ୍ରାଉଣ୍ଡର ସକିବ-ଅଲ୍-ହାସନ ପୂରା ଆଇପିଏଲ୍ରୁ ବାଦ୍ ପଡ଼ିବା। ଗତ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍ରେ ଦଳ ୨୩୫ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିଲା ବେଳେ ୪୯ ରନ୍ ପଛରେ ପଡ଼ିଯାଇଥିଲା।
ଏହାର ଶୀର୍ଷକ୍ରମ ନାରାୟଣ ଜଗଦୀଶାନ, ଭେଙ୍କଟେଶ ଆୟର ଓ ନୀତୀଶା ରାଣା ଚାପରେ ରହି ବଡ଼ ସ୍କୋର୍ କରିପାରିନଥିଲେ। କେକେଆର୍ ଏପର୍ଯ୍ୟନ୍ତ ଏକ ସ୍ଥାୟୀ ଓପନିଂ ଯୋଡ଼ି ତିଆରି କରିପାରିନି। ଆରମ୍ଭରୁ ଓପନିଂ ବିଫଳ ହେବାରୁ ଦଳ ଉପରେ ଏହାର ପ୍ରଭାବ ପଡ଼ୁଛି। ସିଏସ୍କେ ବିପକ୍ଷରେ ଜଗଦୀଶାନ ଓ ସୁନିଲ ନାରାୟଣଙ୍କୁ ଓପନିଂରେ ପରୀକ୍ଷା କରାଯାଇଥିଲା। ଏମାନେ ବି ବିଫଳ ହୋଇଥିଲେ। ତେବେ ଏହି ମ୍ୟାଚ୍ରେ ଜାସନ ରୟ ଓ ରିଙ୍କୁ ସିଂହ ଅର୍ଦ୍ଧଶତକ ଅର୍ଜନ କରିବାରୁ ପରାଜୟ ବ୍ୟବଧାନକୁ କେକେଆର୍ କମାଇପାରିଥିଲା। ବିସ୍ଫୋରକ ବ୍ୟାଟର୍ ଆନ୍ଦ୍ରେ ରସେଲଙ୍କୁ ୭ ଓ ୮ ନମ୍ବରରେ ପଠାଇଲେ ମଧ୍ୟ ସେ ସଫଳ ହେଉନାହାନ୍ତି। ଏହି ଅଲ୍ରାଉଣ୍ଡରଙ୍କ ଫିଟ୍ନେସ୍ ସମସ୍ୟା ଥିବାରୁ ସେ ନିଜ ବୋଲିଂ କୋଟା ଶେଷ କରିପାରୁନାହାନ୍ତି। ତଥାପି ପୂର୍ବରୁ ଆର୍ସିବି ବିପକ୍ଷ ମ୍ୟାଚ୍କୁ ଦଳ ୮୧ ରନ୍ର ବଡ଼ ବ୍ୟବଧାନରେ ଜିତିଥିବାରୁ ବୁଧବାର ଦୃଢ଼ ମନୋବଳରେ ପଡ଼ିଆକୁ ଓହ୍ଲାଇବ କେକେଆର୍।
ଅନ୍ୟପକ୍ଷରେ କେକେଆର୍ଠୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ଆର୍ସିବି। ଚଳିତ ଆଇପିଏଲ୍ରେ ଏହି ଦଳ କେକେଆର୍ଠୁ ତା’ଘରୋଇ ପଡ଼ିଆରେ ୮୧ ରନ୍ରେ ହାରିଥିଲା। ଗତ ମ୍ୟାଚ୍ରେ ଟେବୁଲର ଶୀର୍ଷରେ ଥିବା ରାଜସ୍ଥାନ ରୟାଲ୍ସକୁ ୭ ରନ୍ରେ ହରାଇଥିବାରୁ ବିଜୟ ଧାରା ବଜାୟ ରଖିବାକୁ ଚାହିଁବ ଆର୍ସିବି। ସେହିଭଳି ଫାଫ୍ ଡୁ’ପ୍ଲେସିସ୍ଙ୍କ ଏହି ଦଳର କିଛି ଖେଳାଳି ଫର୍ମକୁ ଫେରିବାରୁ ଲଗାତାର ଦୁଇ ମ୍ୟାଚ୍ ଜିତି ଟେବୁଲର ଉପରକୁ ଉଠିପାରିଛି। ଅଧିନାୟକଙ୍କ ସହ ବିରାଟ କୋହଲି ଏବଂ ଗ୍ଲେନ୍ ମ୍ୟାକ୍ସୱେଲ ଚମତ୍କାର ଫର୍ମରେ ରହିଛନ୍ତି। ତେବେ ମଧ୍ୟକ୍ରମରେ ଦୀନେଶ କାର୍ତ୍ତିକ, ମହିପାଲ ଲୋମଲୋର, ଶାହବାଜ ଅହମଦ ଓ ସୂୟାଶ ପ୍ରଭୂଦେଶାଇଙ୍କଠୁ ବଡ଼ ରନ୍ ଆଶାରେ ରହିଛି। ବୋଲିଂରେ ମହମ୍ମଦ ସିରାଜ ଭଲ ଫର୍ମରେ ରହିଛନ୍ତି। ଏହି ବାଇଗଣୀ ଟୋପିଧାରୀ ୭.୧୭ ଇକୋନୋମୀରେ ବୋଲିଂ କରୁଥିଲା ବେଳେ ଚଳିତ ଋତୁରେ ସର୍ବାଧିକ ଡଟ୍ ବଲ୍ ୮୬ ତାଙ୍କ ନାମରେ ରହିଛି। ସିରାଜଙ୍କୁ ୱେନ୍ ପାର୍ନେଲ ଓ ହର୍ଷଲ ପଟେଲ ମଧ୍ୟ ଭଲ ସହାୟତା ଦେଉଛନ୍ତି। ଶ୍ରୀଲଙ୍କା ସ୍ପିନର ୱାନିନ୍ଦୁ ହସରଙ୍ଗା ମଧ୍ୟ ବିପକ୍ଷ ବ୍ୟାଟର୍ଙ୍କୁ ଅଡ଼ୁଆରେ ପକାଉଛନ୍ତି। ତେଣୁ ବୁଧବାର ମ୍ୟାଚ୍ ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ।