ମୁମ୍ବାଇ: ବିରାଟ କୋହଲିଙ୍କ ବହୁ ପ୍ରତୀକ୍ଷିତ ଅର୍ଦ୍ଧଶତକୀୟ (୫୪ ବଲ୍ରୁ ୭୩ ରନ୍) ପାଳି ସହିତ ଫାପ୍ ଡୁ ପ୍ଲେସିସ ଓ ଗ୍ଲେନ୍ ମ୍ୟାକ୍ସୱେଲ୍ଙ୍କ ବଢ଼ିଆ ବ୍ୟାଟିଂ କାରଣରୁ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ (ଆର୍ସିବି) ଗୁରୁବାର ନିଜ ଶେଷ ଲିଗ୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ ୮ ୱିକେଟ୍ରେ ପରାସ୍ତ କରି ଅଷ୍ଟମ ବିଜୟ ସହ ପ୍ଲେ ଅଫ୍ ସମ୍ଭାବନାକୁ କାଏମ ରଖିଛି। ଲିଗ୍ ଅଭିଯାନ ଶେଷ କରିଥିଲେ ମଧ୍ୟ ଆର୍ସିବିକୁ ଏବେ ଅନ୍ୟ ଦଳର ଫଳାଫଳ ଉପରେ ନଜର ରଖିବାକୁ ହେବ। ଶନିବାର ଖେଳାଯିବାକୁ ଥିବା ମୁ୍ମ୍ବାଇ ଇଣ୍ଡିଆନ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ରେ ଦିଲ୍ଲୀର ପରାଜୟ ଆଶା ରଖିବ ଏହି ଦଳ। ସେହିଭଳି ଶୁକ୍ରବାର ଖେଳାଯିବାକୁ ଥିବା ଚେନ୍ନାଇ ସୁପର୍ କିଙ୍ଗ୍ସ ମ୍ୟାଚ୍ ମଧ୍ୟ ରାଜସ୍ଥାନ ରୟାଲ୍ସ ହାରିଯାଉ ବୋଲି ଆଶା ରଖିଛନ୍ତି ଆର୍ସିବି ପ୍ରଶଂସକ।
ଗୁରୁବାର ବିରାଟ କୋହଲି ଚଳିତ ଋତୁରେ ଦ୍ବିତୀୟ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଏହି ଦଳ ପାଇଁ ମଧ୍ୟ ୭,୦୦୦ ରନ୍ ପୂର୍ଣ୍ଣ କରିଥିଲେ। ୩୩ ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିବା ଏହି ପୂର୍ବ ଅଧିନାୟକଙ୍କ ବିଦାୟ ପରେ ମ୍ୟାକ୍ସୱେଲ୍ ମାତ୍ର ୧୮ ବଲରୁ ୪୦* ରନ୍ କରି ଦଳକୁ ୮ ବଲ୍ ପୂର୍ବରୁ ୮ ୱିକେଟ୍ରେ ଜିତାଇଥିଲେ। ବିରାଟ କୋହଲି କିନ୍ତୁ ଚଳିତ ଋତୁରେ ପ୍ରଥମ ଥର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ପୂର୍ବରୁ ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଲଗାତାର ୬ ପାଳିରେ ବିଫଳ ହେବା ପରେ ମଧ୍ୟ ବହୁ ପ୍ରତୀକ୍ଷିତ ଅର୍ଦ୍ଧଶତକ ହାସଲ କରିଥିଲେ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ପାୱାର ପ୍ଲେ ଭିତରେ ୨ ୱିକେଟ୍ ହରାଇ ଚାପରେ ପଡ଼ିଥିଲା। ପ୍ରାରମ୍ଭିକ ବ୍ୟାଟର୍ ଶୁବମନ ଗିଲ୍ ଓ ଅଷ୍ଟ୍ରେଲୀୟ ୱିକେଟରକ୍ଷକ ବ୍ୟାଟର୍ ମାଥ୍ୟୁ ୱେଦ୍ ଦଳୀୟ ସ୍କୋର୍ ୩୮ ବେଳକୁ ପ୍ୟାଭିଲିଅନ୍ ଫେରି ଯାଇଥିଲେ। ରିଦ୍ଧିମାନ ସାହା (୩୧, ୨୨ ବଲ୍)ଙ୍କ ରନ୍ ଆଉଟ୍ ମଧ୍ୟ ଗୁଜରାଟ ରନ୍ ଗତିକୁ ରୋକିଥିଲା। ଏହି ସମୟରେ ଏକାଠି ହୋଇ ହାର୍ଦିକ ପାଣ୍ଡ୍ୟା (୪୭ ବଲ୍ରୁ ୬୨*, ୪ ଚୌକା, ୩ ଛକା) ଏବଂ ଡେଭିଡ୍ ମିଲର୍ (୨୫ ବଲ୍ରୁ ୩୪) ୬୧ ରନ୍ ଭାଗୀଦାରି କରି ପାଳି ସଜାଡ଼ି ନେଇଥିଲେ। ହାର୍ଦିକଙ୍କ ସହ ଶେଷ ଭାଗରେ ରସିଦ୍ ଖାନ୍ (୬ ବଲ୍ରୁ ୧୯*) ଭଲ ବ୍ୟାଟିଂ କରିବାରୁ ଦଳ ୧୬୮ ର୍ କରି ନେଇଥିଲା। ଶେଷ ଦୁଇ ଓଭରରେ ଏହି ଯୋଡ଼ି ୧୭ ରନ୍ ଲେଖାଏଁ ଆଦାୟ କରିଥିଲେ। ଆର୍ସିବି ପକ୍ଷରୁ ୱାନିନ୍ଦୁ ହସରଙ୍ଗା (୪-୦-୨୫-୧) ଏବଂ ଗ୍ଲେନ୍ ମ୍ୟାକ୍ସୱେଲ୍ (୪-୧-୨୮-୧) ଟାଇଟ୍ ବୋଲିଂ କରିଥିଲେ। ହାଜେଲଉଡ୍ କିନ୍ତୁ ସଫଳ ବୋଲର ଭାବେ ସର୍ବାଧିକ ୨ ୱିକେଟ୍ ନେଇଥିଲେ।