ଆଇପିଏଲର ପ୍ରଥମ ୨୧ଟି ମ୍ୟାଚ ପାଇଁ ସୂଚୀ ଜାରି, ପ୍ରଥମ ମ୍ୟାଚରେ ଚେନ୍ନାଇ-ବାଙ୍ଗାଲୋର ମୁକାବିଲା

ମୁମ୍ବାଇ: ଇଣ୍ଡିଆନ ପ୍ରିମୟର ଲିଗ-୨୦୨୪ର ପ୍ରଥମ  ୨୧ଟି ମ୍ୟାଚ ପାଇଁ ସୂଚୀ ଜାରି ହୋଇଛି । ପ୍ରଥମ ମ୍ୟାଚରେ ମାର୍ଚ୍ଚ ୨୨ ତାରିଖରେ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ଚେନ୍ନାଇରେ ଖେଳାଯିବ। ସିଏସକେର ନେତୃତ୍ବ ମହେନ୍ଦ୍ର ସିଂହ ଧୋନିଙ୍କ ହାତରେ ରହିଛି।

ଦେଶରେ ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆଇପିଏଲ୍ ୨୦୨୪ର କାର୍ଯ୍ୟସୂଚୀ ପ୍ରଥମ ୧୭ ଦିନ ପାଇଁ ଘୋଷଣା କରାଯାଇଛି, ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ୨୧ଟି ମ୍ୟାଚ୍ ଖେଳାଯିବ।  ଦେଶରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ତାହାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସୂଚୀ ଘୋଷଣା ହେବାର ସମ୍ଭାବନା ରହିଛି । ଏହା ପୂର୍ବରୁ ୨୦୧୯ରେ ଆଇପିଏଲ୍ ବିଭିନ୍ନ ପର୍ଯ୍ୟାୟରେ ଆୟୋଜନ କରାଯାଇଥିଲା।

ଭାରତ ସମେତ ବିଦେଶୀ ଖେଳାଳିମାନେ ଆଇପିଏଲ୍ ମାଧ୍ୟମରେ ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ପ୍ରସ୍ତୁତି କରିବେ। ଚଳିତ ବର୍ଷ ଜୁନ୍-ଜୁଲାଇରେ ୱେଷ୍ଟଇଣ୍ଡିଜ୍ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଟି-୨୦ ବିଶ୍ବକପ୍ ଆୟୋଜନ ହେବ। ବିଭିନ୍ନ ଦେଶର ଚୟନକର୍ତ୍ତାମାନେ ନିଜ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରଖିବେ।

ସମ୍ବନ୍ଧିତ ଖବର