ମୁମ୍ବାଇ: ରବିବାର ଆଇପିଏଲ୍‌ର ୨୦୨୫ ସଂସ୍କରଣ ବିଗୁଲ ବାଜିଛି। ଏହାର ଚୂଡ଼ାନ୍ତ ଖେଳସୂଚୀ ପ୍ରକାଶ ପାଇଛି। ଗତ ବର୍ଷର ବିଜେତା କୋଲକାତା ନାଇଟ୍ ରାଇଡର୍ସର ଘରୋଇ ପଡ଼ିଆ ଇଡେନ୍ ଗାର୍ଡେନ୍ସରେ ଉଦ୍‌ଘାଟନୀ ଓ ଉଦ୍‌ଯାପନୀ ମ୍ୟାଚ୍‌ ଖେଳାଯିବ। ମାର୍ଚ୍ଚ ୨୨ରେ ଉଦ୍‌ଘାଟନୀ ମ୍ୟାଚ୍ କେ‌କେଆର୍‌ ଓ ଆର୍‌ସିବି ମଧ୍ୟରେ ଆୟୋଜିତ ହେବ। ମେ’ ୨୫ରେ ଫାଇନାଲ୍ ମ୍ୟାଚ୍‌ ଖେଳାଯିବ। ଏଥି ସହିତ କ୍ବାଲିଫାୟାର୍-୨ ମଧ୍ୟ ମେ’ ୨୩ ତାରିଖରେ ଇଡେନ୍ ଗାର୍ଡେନ୍ସରେ ଖେଳାଯିବ। କୋଲକାତାରେ ଦଶନ୍ଧି ପରେ ପ୍ରଥମ ଥର ଏକ ଫାଇନାଲ୍ ଖେଳାଯିବ। ଶେଷ ଥର ପାଇଁ ୨୦୧୩ ଓ ୨୦୧୫ରେ ଫାଇନାଲ୍‌ ଖେଳାଯାଇଥିଲା। ୨୦୨୪ରେ ଉପ ବିଜେତା ‌ହୋଇଥିବା ସନ୍‌ରାଇଜର୍ସ ହାଇଦ୍ରାବାଦର ଘରୋଇ ପଡ଼ିଆ ହାଇଦ୍ରାବାଦରେ କ୍ବାଲିଫାୟାର୍‌-୧ ମେ’ ୨୦ ତାରିଖରେ ଏବଂ ଏଲିମିନେଟର୍‌ ମେ’ ୨୧ରେ ଖେଳାଯିବ। ଆଇପିଏଲ୍‌-୨୦୨୫ରେ ମୋଟ ୬୫ ଦିନ ଭିତରେ ୭୪ ମ୍ୟାଚ୍‌ ଖେଳାଯିବ। ଏହା ମଧ୍ୟରେ ୧୨ ଦିନ ଡବଲ୍ ହେଡର୍ ରହିଛି। ଦ୍ବିତୀୟ ଦିବସରେ (ମାର୍ଚ୍ଚ ୨୩) ହିଁ ପ୍ରଥମ ଡବଲ୍ ହେଡର୍‌ ରହିଛି। ସନ୍‌ରାଇଜର୍ସ ହଇଦ୍ରାବାଦ ସହ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର୍ କିଙ୍ଗ୍ସ ସହ ମୁମ୍ବାଇ ଇଣ୍ଡିଆନ୍ସ ଖେଳିବେ। ମୋଟ ୧୩ଟି ଭେନ୍ୟୁରେ ଏହା ଖେଳାଯିବ। ଗୁଆହାଟୀ ରାଜସ୍ଥାନ ରୟାଲ୍ସର ଦ୍ବିତୀୟ ଘରୋଇ ପଡ଼ିଆ, ବିଶାଖାପାଟଣା ଦିଲ୍ଲୀ କ୍ୟାପିଟାଲ୍ସର ଦ୍ବିତୀୟ ଘରୋଇ ପଡ଼ିଆ ଏବଂ ଧର୍ମଶାଳା ପଞ୍ଜାବ କିଙ୍ଗ୍ସର ଦ୍ବିତୀୟ ଘରୋଇ ପଡ଼ିଆ ରହିଛି। ଗୁହାହାଟୀ ଓ ବିଶାଖାପାଟଣାରେ ୨ ଲେଖାଏଁ ଏବଂ ଧର୍ମଶାଳାରେ ୩ଟି ମ୍ୟାଚ୍‌ ଖେଳ‌ାଯିବ।

Advertisment

ଶ୍ରୀମନ୍ଦିରରେ ପୂଜା ହେଲା ଟ୍ରଫି
ପୁରୀ: ପୁରୀରେ ପହଞ୍ଚିଛି ଆଇପିଏଲ୍‌ ଟ୍ରଫି। ‘ଟ୍ରଫି ଟୁର୍‌’ ଅଭିଯାନରେ ଡିଫେଣ୍ଡିଂ ଚାମ୍ପିଅନ୍ କୋଲକାତା ନାଇଟ୍‌ ରାଇଡର୍ସର ସଦସ୍ୟମାନେ ଶ୍ରୀମନ୍ଦିରକୁ ଟ୍ରଫି ଆଣି ଚତୁର୍ଦ୍ଧା ବିଗ୍ରହଙ୍କ ପାଖରେ ପୂଜାର୍ଚ୍ଚନା କରିଛନ୍ତି। ଶ୍ରୀମନ୍ଦିରରେ ପୂଜା ପରେ ସିଂହଦ୍ବାର ସମ୍ମୁଖରେ ପ୍ରଦର୍ଶନ କରାଯାଇଥିଲା। ଟ୍ରଫି ଦେଖିବା ପାଇଁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା। ଗୁଆହାଟୀରୁ କୋଲକାତା ପର୍ଯ୍ୟନ୍ତ ଯିବା ବାଟରେ ରବିବାର ଟ୍ରଫିକୁ ପୁରୀ ଅଣାଯାଇଥିଲା। 

ସେବାୟତ ଚନ୍ଦ୍ରଶେଖର ଖୁଣ୍ଟିଆ, ଟ୍ରଫିକୁ ଶ୍ରୀମନ୍ଦିରକୁ ନେଇ ପୂଜା କରି ଆଣି ସଦସ୍ୟଙ୍କୁ ଅର୍ପଣ କରିଥିଲେ। କୋଲକାତା ନାଇଟ୍‌ ରାଇଡର୍ସ ଗ୍ରୁପ୍‌ର ସଦସ୍ୟ ବିନ୍ଦା ଦେ କହିଛନ୍ତି, କେକେଆର୍‌ ପ୍ରଶଂସକମାନେ ଦଳକୁ ସମର୍ଥନ ଯୋଗାଇ ଆସିଥିବାରୁ ଏହି ଟ୍ରଫି ଅର୍ଜନ ସମ୍ଭବ ହୋଇଛି। ତେଣୁ ପୂର୍ବ ଭାରତର ପ୍ରଶଂସକଙ୍କ ନିକଟକୁ ଏହି ଟ୍ରଫି ନିଆଯାଉଛି। ଆମ ପାଇଁ ଆମ ପ୍ରଶଂସକ ହେଉଛନ୍ତି ପରିବାର ସଦସ୍ୟ ସଦୃଶ। ସେମାନେ ଦଳକୁ ଖରାପ ଓ ଭଲ ପରିସ୍ଥିତିରେ ସବୁ ସମୟରେ ସମର୍ଥନ ଦେଇ ଆସିଛନ୍ତି। ପୁନର୍ବାର ପ୍ରଶଂସକଙ୍କ ସମର୍ଥନରେ ଏହି ଟ୍ରଫି ଜିତିବାକୁ ଚତୁର୍ଦ୍ଧା ବିଗ୍ରହଙ୍କଠାରୁ ଆଶୀର୍ବାଦ ନେଇଛୁ। ମାର୍ଚ୍ଚ ୨୨ରେ କୋଲକାତାର ଇଡେନ୍‌ ଗାର୍ଡେନ୍‌ରେ କୋଲାକାତା ନାଇଟ୍‌ ରାଇଡର୍ସର ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର ସହ ଖେଳି ୨୦୨୫ ଅଭିଯାନ ଆରମ୍ଭ କରିବ।