ଆଇପିଏଲ୍‌ କ୍ରମେ ଉତ୍ତମ ଏବଂ ଉନ୍ନତ ହେବାରେ ଲାଗିଛି, ସୁନିଲ ଗାଭାସ୍କର

ଏ ବର୍ଷର ଆଇପିଏଲ୍‌ ଅଦ୍ୟାବଧି ସମସ୍ତ ସଂସ୍କରଣ ମଧ୍ୟରେ ଶ୍ରେଷ୍ଠ। ଏତେ ସଂଖ୍ୟକ (୩୨ ମ୍ୟାଚ୍‌) ଶେଷ ଓଭର ଫଳାଫଳ ଏବଂ ୩୯ତମ ଓଭର ନିର୍ଣ୍ଣୟ ପ୍ରଶଂସକଙ୍କୁ ରୋମାଞ୍ଚର ପ୍ରମାଣ ଦେଇଛି। ଫାଇନାଲ୍ ମ୍ୟାଚ୍‌ ମଧ୍ୟ ଶେଷ ବଲ୍‌ରେ ସରିଛି। ପ୍ରତିଯୋଗିତା କ୍ରମେ ଉତ୍ତମ ଏବଂ ଉନ୍ନତ ହେବାରେ ଲାଗିଛି। ଏହା ନିଶ୍ଚିତ ଆମେ ସଦ୍ୟତମଟିକୁ ପୂର୍ବ ତୁଳନାରେ ଅଧିକ ମନେ ପକାଇଥାଉ, କିନ୍ତୁ ଏଥରର ପ୍ରତିଯୋଗିତା ସବୁଠୁ ଶ୍ରେଷ୍ଠ ଏଥିରେ ଅଦୌ ଦ୍ବନ୍ଦ୍ବ ନାହିଁ। ମୁମ୍ବାଇ ଇଣ୍ଡିଆନ୍ସକୁ ସର୍ବାଧିକ ୪ ଥର ବିଜେତା କରାଇବା ପରେ ରୋହିତ ଶର୍ମା ଆଇପିଏଲ୍ ଇତିହାସରେ ସବୁଠୁ ସଫଳ ଅଧିନାୟକ ହୋଇଛନ୍ତି। ଫାଇନାଲ୍ ମ୍ୟାଚ୍‌ ଦୁଇ ସଫଳ ଅଧିନାୟକଙ୍କ ମଧ୍ୟରେ ଥିଲା ଏବଂ ପ୍ରତି ଓଭର ଅନ୍ତରରେ ମ୍ୟାଚ୍‌ ଏପଟ ସେପଟ ହୋଇଥିଲା।

ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍‌ରେ ବିଜେତା ଏବଂ ନିରାଶ କରିଥିବା ବାଙ୍ଗା‌ଲୋର୍ ମ୍ୟାଚ୍‌ ସ୍ବଳ୍ପ ସ୍କୋରିଂରୁ ଆରମ୍ଭ ହୋଇଥିଲା। ତାରକା ଖଚିତ ଥ‌ିଲେ ବି ଶେଷ ସ୍ଥାନରେ ଥିବା ଦଳକୁ ପ୍ରଥମ ମ୍ୟାଚ୍‌ ଖେଳାଇବା ନେଇ ଏବେ ଆୟୋଜକ ଚିନ୍ତା କରିବେ। ବିଜେତା ଏବଂ ଉପ ବିଜେତା ଦଳକୁ ନେଇ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଗଲେ ଭଲ ହୁଅନ୍ତା। ଏହା ପ୍ରତିଯୋଗିତାକୁ ଆଗକୁ ନେବା ଲାଗି ହକ୍‌ଦାର। ଅନ୍ୟ ଯେଉଁ ଦିଗଟି ଆୟୋଜକମାନେ ନିଶ୍ଚିତ କରିବା କଥା ତାହ‌ା ହେଉଛି ମ୍ୟାଚ୍‌କୁ ନିର୍ଧାରିତ ସମୟରେ‌ ଶେଷ କରିବା। ଏଥର ବହୁ ମ୍ୟାଚ୍‌ ପ୍ରାୟ ୪ ଘଣ୍ଟା ଧରି ‌ଖେଳାଯାଇଛି, ଯାହାକି ଗ୍ରହଣୀୟ ନୁହେଁ। ବୁଝି ହେଉଛି ଯେ ଗରମ ଏବଂ ଝାଳୁଆ ପରିବେଶରେ ଏହା କରିବା ସହଜ ନୁହେଁ କିନ୍ତୁ ଟାଇମ୍‌ ଆଉଟ୍ ସବୁକୁ ନେଇ ସମ୍ପୂର୍ଣ୍ଣ ମ୍ୟାଚ୍‌ ୧୯୦ ମିନିଟ୍ ଭିତରେ କିମ୍ବା ୨୦୦ ମିନିଟ୍‌ ଭିତରେ ଶେଷ ହେବା କଥା। ନିର୍ଧାର‌ିତ ସମୟ ମଧ୍ୟରେ ବୋଲିଂ କରିପାରୁନଥିବା ଦଳ ଆର୍ଥିକ ଏବଂ କ୍ରିକେଟିଂ ଦଣ୍ଡ ଭୋଗିବା ଉଚିତ। ଯାହାକି ସେମାନଙ୍କ ପଏଣ୍ଟ ଓ ଖେଳରେ ଫରକ ପକାଇପାରନ୍ତା। ମୋ ଅପେକ୍ଷା ବହୁ ଉନ୍ନତ କ୍ରିକେଟ୍‌ ମସ୍ତିସ୍କ ବ୍ୟକ୍ତି ରହିଛନ୍ତି। ଖେଳକୁ ଅଧିକ ଗତିଶୀଳ କରିବା ଲାଗି ଉଦ୍ୟମ ହେବା ଆବଶ୍ୟକ। ୱିକେଟ୍ ପତନ ବେଳେ ୨ ମିନିଟ୍‌ ପରିବର୍ତେ ଏହାକୁ ୪୫‌ ସେକେଣ୍ଡ୍ କରାଯାଇପାରନ୍ତା। କାରଣ ଖେଳାଳି ଡଗ୍ ଆଉଟ୍‌ରେ ପ୍ରସ୍ତୁତ ହୋଇ ବସିଥାନ୍ତି। ଏପରିକି ଜଣେ ବୋଲର ଯଦି ନିଜ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ରନ୍‌ଅପ୍‌ ଆରମ୍ଭ କରିନାହିଁ ତେବେ ଅମ୍ପାୟାର୍ ପରବର୍ତୀ ବଲ୍‌ଟିକୁ ଫ୍ରିହିଟ୍ ଦେଇଦେବା ଉଚିତ୍। ଏ ବର୍ଷର ପିଚ୍‌ ଗୁଡ଼ିକ ଚିନ୍ତାର କାରଣ ଥିଲା, କିନ୍ତୁ ଫାଇନାଲ୍ ମ୍ୟାଚ୍‌ ଭଲ ପିଚ୍‌ରେ ଥିବାରୁ ଭଲ କ୍ରିକେଟ୍‌ ଦେଖିବାକୁ ମିଳିଲା। ପେସ୍‌ ଏବଂ ବାଉନ୍ସ ସହିତ ଟର୍ନ ବି ଦେଉଥିଲା। ଏଭଳି ପିଚ୍‌ ହିଁ ବ୍ୟାଟ୍ ଓ ବଲ୍ ମଧ୍ୟରେ ସନ୍ତୁଳନ ଆଣି ଦେଇଥାଏ। ମୋଟାମୋଟି ଭାବେ ଏବର୍ଷର ପ୍ରତିଯୋଗିତା ଚମତ୍କାର। ଯଦି ଉଲ୍ଲେଖ କରାଯାଇଥିବା ଉପରୋକ୍ତ ଦୁର୍ବଳତା ହଟାଯାଇପାରିଥାନ୍ତା ତେବେ ଅଧିକ ବିଜୁଳିମୟ ହୋଇଯାଇଥାନ୍ତା।

ସମ୍ବନ୍ଧିତ ଖବର