ନୂଆଦିଲ୍ଲୀ: ଗୋଟିଏ ସପ୍ତାହ ତଳେ ଗୁଜରାଟ ଟାଇଟନ୍ସ ଆଇପିଏଲ୍ ବିଜେତା ହୋଇଥିଲା। ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟ୍ ଓ ବଲ୍ରେ ଚମତ୍କାର ପ୍ରଦର୍ଶନ ଯୋଗୁଁ ପଦାର୍ପଣରେ ଦଳ ଟ୍ରଫି କରାୟତ୍ତ କରିବାକୁ ସକ୍ଷମ ହୋଇଥିଲା। ହାର୍ଦିକଙ୍କ ବାଦ୍ ଶୁବମନ ଗିଲ, ରସିଦ ଖାନ, ମହମ୍ମଦ ସାମି ଓ ରାହୁଲ ତିୱାତିଆ ମଧ୍ୟ ଚମତ୍କାର ପ୍ରଦର୍ଶନ ଦେଇଥିଲେ। ଏହି ଦଳରେ ଥିବା ଦକ୍ଷିଣ ଆଫ୍ରିକାର ଡେଭିଡ ମିଲର ୧୬ ମ୍ୟାଚ୍ ଖେଳି ୬୮.୭୧ ହାରାହରି ଓ ୧୪୩ ଷ୍ଟ୍ରାଇକରେଟ୍ରେ ୪୮୧ ରନ୍ କରିଥିଲେ। ଭାରତ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ୯ ତାରିଖରୁ ଆରମ୍ଭ ହେଉଛି। ଏହି ଶୃଙ୍ଖଳାରେ ମିଲରଙ୍କ ସମେତ ଆଇପିଏଲ୍ ଖେଳି ଭାରତୀୟ ପରିବେଶରେ ଯଥେଷ୍ଟ ଅଭିଜ୍ଞତା ସାଉଁଟି ସାରିଥିବା କ୍ବିଣ୍ଟନ ଡି’କକ୍, ଏଦେନ୍ ମର୍କରା ଏବଂ କାଗିସୋ ରବାଦା ଆଗାମୀ ଭାରତ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଦକ୍ଷିଣ ଆଫ୍ରିକା ପାଇଁ ଚମତ୍କାର ପ୍ରଦର୍ଶନ କରିବେ ବୋଲି ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବଭୁମା ଆଶା ରଖିଛନ୍ତି।
ଲକ୍ଷ୍ନୌ ସୁପର ଜାଏଣ୍ଟସ୍ରୁ ଖେଲୁଥିବା ଡି’କକ୍ ୩୬.୨୮ ହାରାହାରି ଓ ୧୪୮.୯୭ ଷ୍ଟ୍ରାଇକ୍ରେଟ୍ରେ ୫୦୮ ରନ୍ କରିବା ସହ ଅଗ୍ରଣୀ ରନ୍ ସ୍କୋରର୍ଙ୍କ ମଧ୍ୟରେ ତୃତୀୟରେ ରହିଥିଲେ। କୋଲ୍କାତା ନାଇଟ୍ ରାଇଡର୍ସ ବିପକ୍ଷରେ ସେ ୧୪୦ ରନ୍ର ଅପରାଜିତ ପାଳି ଖେଳିଥିଲେ। ସନ୍ରାଇଜର୍ସ ପକ୍ଷରୁ ଖେଳୁଥିବା ଏଦେନ ମର୍କରାମ ୪୭.୬୨ ହାରାହାରି ଓ ୧୩୯.୦୫ ଷ୍ଟ୍ରାଇକ୍ରେଟ୍ରେ ୩୮୧ ରନ୍ କରିଥିଲେ। ଆଇପିଏଲ୍ ଅଗ୍ରଣୀ ୱିକେଟ୍ ହାସଲକାରୀ ତାଲିକାରେ ତୃତୀୟରେ ଥିବା ଗୁଜରାଟ ଟାଇଟନ୍ସ ଦ୍ରୁତ ବୋଲର କାଗିସୋ ରବାଦା ୧୩ ମ୍ୟାଚ୍ ଖେଳି ୧୭.୬୫ ହାରାହାରି ଓ ୮.୪୫ ଇକୋନୋମିରେ ୨୩ ୱିକେଟ୍ ଦଖଲ କରିଥିଲେ। ଏମାନେ ମଧ୍ୟ ଭାରତ ବିପକ୍ଷରେ ଭଲ କରିବେ ବୋଲି ଅଶା ରଖିଛନ୍ତି ବଭୁମା।