ଆଇପିଏଲ୍‌ ସେପ୍ଟେମ୍ବର ୧୯ରୁ ନଭେମ୍ବର ୮: ପଟେଲ

ମୋଟ ଦିନ ୫୧: ପ୍ରତି ଶନିବାର ଓ ରବିବାର ଦୁଇଟି ଲେଖାଏଁ ମ୍ୟାଚ୍‌

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବାତିଲ ହେବା ପରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ପାଇଁ ବାଟ ଫିଟିଛି। ତେବେ ଆଇପିଏଲ୍‌ କେଉଁଠାରେ ଏବଂ କେବେ ହେବ ସେନେଇ ପରିଚାଳନା ପରିଷଦ ଆସନ୍ତା ସପ୍ତାହ ବୈଠକରେ ସ୍ଥିର ହେବ। ବିଶେଷକରି ଏହା ସେପ୍ଟେମ୍ବର ୨୬ରୁ ଆରମ୍ଭ ହୋଇପାରେ ବୋଲି ବିସିସିଆଇ ସ୍ଥିର କରିଥିଲା। ହେଲେ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତକୁ ଦୃଷ୍ଟିରେ ରଖି ଆଇପିଏଲ୍‌କୁ ଗୋଟିଏ ସପ୍ତାହ ପୂର୍ବରୁ ଆୟୋଜନ କରିବାକୁ ଶୁକ୍ରବାର ଆପାତତଃ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। କାରଣ ଅଷ୍ଟ୍ରେଲିଆ ଗସ୍ତ ବେଳେ ଭାରତୀୟ ଦଳ ପାଇଁ ୧୪ ଦିନିଆ କ୍ବାରେଣ୍ଟାଇନ୍‌ ସମୟ ବାଧ୍ୟତାମୂଳକ ବୋଲି ସେଠା ସରକାରଙ୍କ ନିୟମ ରହିଛି। ଭାରତୀୟ ଦଳ ଆଇପିଏଲ୍‌ ପରେ ପରେ ଅଷ୍ଟ୍ରେଲିଆ ଯାଇ ସେଠାରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଖେଳିବ। ଏହି ଶୃଙ୍ଖଳା ଡିସେମ୍ବର ୩ ତାରିଖରୁ ବ୍ରିସ୍‌ବନ୍‌ରେ ଆରମ୍ଭ ହେବ। ତେଣୁ ଆଇପିଏଲ୍‌କୁ ସେପ୍ଟେମ୍ବର ୨୬ରୁ ଆରମ୍ଭ କଲେ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ବିଳମ୍ବ ହୋଇପାରେ। ଏହାକୁ ଏଡ଼ାଇବା ପାଇଁ ଏହି ଲୋଭନୀୟ ଟ୍ବେଣ୍ଟି-୨୦ ଲିଗ୍‌ ଚଳିତ ବର୍ଷ ସେପ୍ଟେମ୍ବର ୧୯ରୁ ନଭେମ୍ବର ୮ ତାରିଖ ମଧ୍ୟରେ ଆ‌‌ୟୋଜିତ ହେବ ବୋଲି ଶୁକ୍ରବାର ସୂଚନା ଦେଇଛନ୍ତି ଆଇପିଏଲ୍‌ ଅଧ୍ୟକ୍ଷ ବ୍ରିଜେଶ ପଟେଲ। ୟୁଏଇ (ୟୁନାଇଟେଡ୍‌ ଆରବ ଏମିରେଟ୍‌ସ)ରେ ଏହି ଲିଗ୍‌ ହେବ ଏବଂ ନଭେମ୍ବର ୮ ତାରିଖରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ ବୋଲି ପଟେଲ କହିଛନ୍ତି। ଏଭଳି ଯୋଜନା ସଂପର୍କରେ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ମଧ୍ୟ ଫ୍ରାଞ୍ଚାଇଜ୍‌ଗୁଡ଼ିକୁ ଅବଗତ କରାଇଥିବା କୁହାଯାଉଛି। ୟୁଏଇରେ ଆଇପିଏଲ୍‌ ମୋଟ ୫୧ ଦିନ ଧରି ଚାଲିବ। ପୂରା ୭ ସପ୍ତାହର ଲମ୍ବା ସମୟ ଧରି ପୂର୍ଣ୍ଣାଙ୍ଗ ଆଇପିଏଲ୍‌ ଆୟୋଜନ ଯୋଗୁଁ ପ୍ରସାରଣକାରୀ ସଂସ୍ଥାମାନେ ମଧ୍ୟ ଖୁସୀ ଅଛନ୍ତି। ତଥାପି ସବୁକିଛି ଯାଞ୍ଚ୍‌ କରିବା ପରେ ଚୂଡ଼ାନ୍ତ ସୂଚୀକୁ ପରିଚାଳନା ପରିଷଦ ମୋହର ମାରିବ ବୋଲି ପଟେଲ କହିଛନ୍ତି। ଆଇପିଏଲ୍‌ ଆୟୋଜନ ନେଇ ସରକାର ମଧ୍ୟ ଅନୁମୋଦନ ଦେବେ ବୋଲି ଆଶା ରଖିଥିବା କହିଛନ୍ତି ପଟେଲ। ପୂର୍ବରୁ ଆଇପିଏଲ୍‌ ସୂଚୀରେ ୫ ଡବଲ୍‌ ହେଡର୍‌ (ଦୈନିକ ୨ ଲେଖାଏଁ ମ୍ୟାଚ୍‌) ସ୍ଥାନ ପାଇଥିଲା ବେଳେ ନୂଆ ସୂଚୀରେ ଏହି ସଂଖ୍ୟା ୧୨କୁ ବୃଦ୍ଧି କରାଯାଇଛି। ଫଳରେ ପ୍ରତ୍ୟେକ ଶନିବାର ଓ ରବିବାର ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳାଯିବା‌ ନିଶ୍ଚିତ ହୋଇଯାଇଛି।

ସାଂପ୍ରତିକ କରୋନା ମହାମାରୀର ପ୍ରକୋପ ମଧ୍ୟରେ କିପରି ଆଇପିଏଲ୍‌ ପରିଚାଳନା କରାଯିବ ସେନେଇ ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର) ପ୍ରସ୍ତୁତି ହୋଇଛି ଏବଂ ବିସିସିଆଇ ଆନୁଷ୍ଠାନିକ ଭାବେ ୟୁଏଇକୁ ଲେଖି ଜଣାଇବ ବୋଲି ପଟେଲ କହିଛନ୍ତି। ଆମେ ଏସ୍‌ଓପି ତିଆରି କରୁଛୁ, ଏହା କିଛି ଦିନ ମଧ୍ୟରେ ପ୍ରସ୍ତୁତ ହୋଇଯିବ। ପଡ଼ିଆ ଭିତରକୁ ଦର୍ଶକଙ୍କୁ ଅନୁମତି ମିଳିବ ନା ନାହିଁ ତାହା ୟୁଏଇ ସରକାରଙ୍କ ଉପରେ ନିର୍ଭର କରିବ। ଯାହା ହେଲେବି ସାମାଜିକ ଦୂରତା ବଜାୟ ରହିବ। ଏସଂପର୍କିତ ନିଷ୍ପତ୍ତିକୁ ଆମେ ୟୁଏଇ ସରକାରଙ୍କ ଉପରେ ଛାଡ଼ିଦେଇଛୁ। ଆମେ ମଧ୍ୟ ୟୁଏଇ ବୋର୍ଡକୁ ଆନୁଷ୍ଠାନିକ ଭାବେ ଲେଖିବୁ ବୋଲି ପଟେଲ କହିଛନ୍ତି। ୟୁଏଇରେ ଆଇପିଏଲ୍‌ ପାଇଁ ତିନିଟି ପଡ଼ିଆ ଉପଲବ୍‌ଧ ରହିଛି। ଦୁବାଇ ଇଣ୍ଟରନାସ୍‌ନାଲ୍‌ ଷ୍ଟାଡିୟମ୍‌, ଆବୁଧାବିର ସେଖ୍ ଜୟେଦ୍‌ ଷ୍ଟାଡିୟମ୍‌ ଏବଂ ସାର୍‌ଜା ଗ୍ରାଉଣ୍ଡ୍‌ରେ ମ୍ୟାଚ୍‌ ସବୁ ଖେଳାଯିବ। ଏହାବାଦ୍‌ ଦଳମାନଙ୍କ ପ୍ରସ୍ତୁତି ତଥା ଅଭ୍ୟାସ ପାଇଁ ବିସିସିଆଇ ମଧ୍ୟ ଆଇସିସି ଏକାଡେମିକୁ ଭଡ଼ାରେ ନେବ ବୋଲି ଜଣାପଡ଼ିଛି। ଆଇସିସି ଏକାଡେମିରେ ଦୁଇଟି ପୂର୍ଣ୍ଣ ଆକାରଣ ପଡ଼ିଆ ରହିଛି। ଯେଉଁଥିରେ ୩୮ ଟର୍ଫ ପିଚ୍‌, ୬ ଇନ୍‌ଡୋର ପିଚ୍‌, ୫୭୦୦ ବର୍ଗଫୁଟର ଆଉଟ୍‌ଡୋର୍‌ କଣ୍ଡିସନିଂ ଏରିଆ ସହିତ ଫିଜିଓଥେରାପି ଓ ମେଡିସିନ୍‌ ଏରିଆ ମଧ୍ୟ ରହିଛି।

ଦୁବାଇରେ କରୋନା ମହାମାରୀକୁ ନେଇ ଏବର ପ୍ରୋଟୋକଲ୍‌ ଅନୁଯାୟୀ ଯେଉଁମାନଙ୍କର କୋଭିଡ୍‌-୧୯ ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ରହିବ ସେମାନେ କ୍ବାରେଣ୍ଟାଇନ୍‌ରେ ରହିବାର ଆବଶ୍ୟକତା ପଡ଼ିବନି। ଆଉ ଯାହାର ନେଗେଟିଭ୍‌ ନଥିବ ସେମାନଙ୍କୁ ପରୀକ୍ଷା ଦେବାକୁ ପଡ଼ିବ। ପୁଣି ପ୍ରତି ଦଳ ପ୍ରଶିକ୍ଷଣ ପାଇଁ ଅତିକମ୍‌ରେ ଏକମାସ ସମୟ ଦରକାର କରିବେ। ତେଣୁ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ଗୁଡ଼ିକ ଅଗଷ୍ଟ ୨୦ ସୁଦ୍ଧା ନିଜ ନିଜ ମୂଳସ୍ଥାନ ଛାଡ଼ିଦେବେ। ଫଳରେ ସେମାନଙ୍କୁ ପ୍ରସ୍ତୁତି ପାଇଁ ଠିକ୍‌ ୪ ସପ୍ତାହ ସମୟ ମିଳିଯିବ ବୋଲି କୁହାଯାଇଛି।

ଦୈନିକ ଖେଳାଳିଙ୍କ କରୋନା ପରୀକ୍ଷା ‌ହେବା ଉଚିତ: ୱାଡିଆ
ମୋହାଲି: ଆଇପିଏଲ୍‌ର ଆଗାମୀ ତ୍ରୟୋଦଶ ସଂସ୍କରଣ ବେଳେ ପ୍ରତି ଖେଳାଳିଙ୍କ କୋଭିଡ୍‌-୧୯ ପରୀକ୍ଷା ଦୈନିକ ହେବା ଉଚିତ ବୋଲି ପ୍ରସ୍ତାବ ବାଢ଼ିଛନ୍ତି କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବର ସହ ମାଲିକା ନେସ୍‌ ୱାଡିଆ। ଏହି ଲିଗ୍‌ ସେପ୍ଟେମ୍ବର ୧୯ରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ୟୁଏଇରେ ହେବ ବୋଲି ଶୁକ୍ରବାର ଆଇପିଏଲ୍‌ ଅଧ୍ୟକ୍ଷ ବ୍ରିଜେଶ ପଟେଲ ସ୍ପଷ୍ଟ କରିବା ପରେ ୱାଡିଆ ଏଭଳି ପ୍ରସ୍ତାବ ରଖିଛନ୍ତି। ଆଇପିଏଲ୍‌ ଇତିହାସରେ ୟୁଏଇ ସଂସ୍କରଣ ସବୁଠୁ ଉପଭୋଗ୍ୟ ହେବ ବୋଲି ସେ କହିଛନ୍ତି। ଆଇପିଏଲ୍‌ ୟୁଏଇରେ କିପରି ନିରାପଦ ଓ ସଫଳତାର ସହ ଶେଷ ହେବ ସେନେଇ ବିସିସିଆଇର ଏସ୍‌ଓପି ପ୍ରମୁଖ ଭୂମିକା ନେବ। ସେଥିରେ କୌଣସିମତେ ବ୍ୟତିକ୍ରମ ପରିଲକ୍ଷିତ ହେବା ଉଚିତ ନୁ‌ହେଁ ବୋଲି ୱାଡିଆ କହିଛନ୍ତି। ମୋ ମତରେ ପ୍ରତିଦିନ ଖେଳାଳିମାନଙ୍କ କରୋନା ପରୀକ୍ଷା କରାଯାଉ। ଏପରିକି ମୋର ମଧ୍ୟ ଦୈନିକ ପରୀକ୍ଷା କରାଗଲେ ମୁଁ ଖୁସୀ ହେବି।

ଏହା କୌଣସି କ୍ଷତିକାରଣ ନୁହେଁ ବୋଲି ୱାଡିଆ କହିଛନ୍ତି। ଏନେଇ ବିସିସିଆଇ ସ୍ଥାନୀୟ ସରକାରଙ୍କ ସହାୟତା ନେବା ଉଚିତ। କୋଭିଡ୍‌ ସମୟରେ ୟୁଏଇରେ ଫୁଟ୍‌ବଲ୍‌ ମ୍ୟାଚ୍‌ ଖେଳାଯାଇଥିବାରୁ ସେଥିରୁ ଆୟୋଜକ ଜ୍ଞାନ ଆହରଣ କରିଛନ୍ତି। ତେଣୁ ଆଇପିଏଲ୍‌ ଆୟୋଜନ ବେଳେ ସେପରି କିଛି ଅସୁବିଧା ଉପୁଜିବନି ବୋଲି ୱାଡିଆ ଆଶା ରଖିଛନ୍ତି। ଅନ୍ୟପକ୍ଷରେ ଜୈବ ସୁରକ୍ଷିତ ପରିବେଶରେ ମ୍ୟାଚ୍‌ ଆୟୋଜନ ୟୁଏଇରେ ଆବଶ୍ୟକତା ରଖିବନି। ୮ ଦଳୀୟ ପ୍ରତିଯୋଗିତାରେ ଏହାକୁ ବଜାୟ ରଖିବା ସହଜ ହେବନି। ହେଲେ ବିସିସିଆଇର ଏସ୍‌ଓପିକୁ ଆମେ ଅପେକ୍ଷା କରିଛୁ ବୋଲି ସେ କହିଛନ୍ତି। ଯଦି ୟୁଏଇରେ ଫାଙ୍କା ଷ୍ଟାଡିୟମ୍‌ରେ ଆଇପିଏଲ୍‌ ଖେଳାଯାଏ ତାହାଲେ ବିସିସିଆଇ ସବୁ ଦଳର କ୍ଷତି ଭରଣା କରିବା ଉଚିତ ବୋଲି ୱାଡିଆ କହିଛନ୍ତି।

ସମ୍ବନ୍ଧିତ ଖବର