‌ବେଙ୍ଗାଲୁରୁ: ‘ଅପରେସନ୍‌ ସିନ୍ଦୁର’ ଯୋଗୁଁ ବନ୍ଦ ରହିଥିବା ଆଇପିଏଲ୍‌ ଶନିବାରଠୁ ନୂଆ ସୂଚୀରେ ପୁନଃ ଆରମ୍ଭ ହେବାକୁ ଯାଉଛି। ଏହି ପୁନଃ ଆରମ୍ଭର ପ୍ରଥମ ମ୍ୟାଚ୍‌ ବେଙ୍ଗାଲୁରୁସ୍ଥିତ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଖେଳାଯିବ। ଏଥିରେ ଘରୋଇ ଦଳ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଓ କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌) ମୁହାଁମୁହିଁ ହେବେ। ମ୍ୟାଚ୍‌ ରାତି ୭.୩୦ରେ ଖେଳାଯିବ। ଆର୍‌ସିବି ସଂପ୍ରତି ୧୧ ମ୍ୟାଚ୍‌ ଖେଳି ୮ ବିଜୟ ଓ ୩ ପରାଜୟରୁ ୧୬ ପଏଣ୍ଟ୍‌ ପାଇ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି। ଏଥିସହ ପ୍ରାୟତଃ ପ୍ଲେ ଅଫ୍‌ର ଦ୍ବାର ଦେଶରେ ପହଞ୍ଚିଯାଇଛି। ‌କେକେଆର୍‌ ବିପକ୍ଷ ଏହି ମ୍ୟାଚ୍‌ ଜିତିଲେ ଏହାର ପ୍ଲେ ଅଫ୍‌ ଖେଳିବା ନିଶ୍ଚିତ ହୋଇଯିବ। ଅନ୍ୟପକ୍ଷରେ କେକେଆର୍‌ ପାଇଁ ଏହି ମ୍ୟାଚ୍‌ ଜିତିବା ଅତ୍ୟନ୍ତ ଜରୁରି ହୋଇପଡ଼ିଛି। ଗତ ସଂସ୍କରଣ ବିଜେତା ଏହି ଦଳ ସଂପ୍ରତି ୧୨ ମ୍ୟାଚ୍‌ ଖେଳି ୫ ବିଜୟ, ୬ ପରାଜୟ ଓ ଗୋଟିଏ ନିଷ୍ଫଳରୁ ୧୧ ପଏଣ୍ଟ ପାଇ ଷଷ୍ଠ ସ୍ଥାନରେ ରହିଛି। ଏହି ମ୍ୟାଚ୍‌ ଜିତିଲେ ହିଁ ଦଳର ପ୍ଲେ ଅଫ୍‌ ଆଶା ବଳବତ୍ତର ରହିବ।

Advertisment

କେ‌କେଆର୍‌ ବିସ୍ମୟ ସ୍ପିନର୍‌ ବରୁଣ ଚକ୍ରବର୍ତ୍ତୀଙ୍କ ବଳରେ ବିଜୟ ଆଶା ରଖିଛି। ଚଳିତ ଋତୁରେ ବରୁଣ ୧୨ ମ୍ୟାଚ୍‌ ଖେଳି ୧୭ ୱିକେଟ୍‌ ଅକ୍ତିଆର କରିବା ସହ ବିଭିନ୍ନ ପରିସ୍ଥିତିରେ ଦଳକୁ ବିଜୟ ଦେଇଛନ୍ତି। ସେ ଚଳିତ ଆଇପିଏଲ୍‌ରେ ଡାହାଣହାତୀ ବ୍ୟାଟର୍‌ଙ୍କୁ ବହୁଥର ଆଉଟ୍‌ କରିଛନ୍ତି। ସେ ୧୩.୨୭ ଷ୍ଟ୍ରାଇକ୍‌ରେଟ୍‌ରେ ୧୫ ଜଣ ଡାହାଣହାତୀ ବ୍ୟାଟର୍‌ଙ୍କୁ ପ୍ୟାଭିଲିୟନ୍‌ ପଠାଇଛନ୍ତି। ଅନ୍ୟପକ୍ଷରେ ଆର୍‌ସିବିରେ କେବଳ କ୍ରୁନାଲ ପାଣ୍ଡ୍ୟା, ଜାକବ ବେଥେଲ ଓ ମୋନଜ ଭଣ୍ଡାଗେ ବାମହାତୀ ବ୍ୟାଟର୍‌ ଅଛନ୍ତି। ଫଳରେ ଏହି ଦଳ ବିପକ୍ଷରେ ବରୁନଙ୍କ ଯାଦୁ ଚାଲିବାର ସମ୍ଭାବନା ଅଧିକ ରହିଛି। ଆହତ ଦେବଦତ୍ତ ପଡ଼ିକଲଙ୍କ ବଦଳରେ ମୟଙ୍କ ଅଗ୍ରୱାଲ ସ୍ଥାନ ପାଇଛନ୍ତି। କୋହଲି, ପଟିଦାର, ଡେଭିଡ୍‌ ଓ ସଲ୍ଟଙ୍କୁ ନେଇ ଏହି ଦଳର ବ୍ୟାଟିଂ ଲାଇନ୍‌ ବହୁତ ଦୃଢ଼ ରହିଛି। କେକେଆର୍‌ ଦଳର ବ୍ୟାଟିଂକୁ ଅଧିନାୟକ ଅଜିଙ୍କ୍ୟ ରାହାଣେ, କ୍ବିଣ୍ଟନ ଡି’କକ୍‌, ସୁନୀଲ ନାରାୟଣ, ଅଙ୍ଗକ୍ରୀଶ ରଘୁବଂଶୀ ଦୃଢ଼ ରଖିଛନ୍ତି।

ସମ୍ଭାବ୍ୟ କେକେଆର୍‌: କ୍ବିଣ୍ଟନ ଡି’କକ୍‌ (ୱିକେଟ୍‌ରକ୍ଷକ), ସୁନିଲ ନାରାୟଣ, ଅଜିଙ୍କ୍ୟ ରାହାଣେ (ଅଧିନାୟକ), ଅଙ୍ଗକ୍ରୀଶ ରଘୁବଂଶୀ, ମନୀଷ ପାଣ୍ଡେ, ରିଙ୍କୁ ସିଂହ, ଆନ୍ଦ୍ରେ ରସେଲ, ରମଣଦୀପ ସିଂହ, ହର୍ଷିତ ରାଣା, ବୈଭବ ଅରୋରା, ଅନରିଖ ନର୍ଖିୟା, ବରୁଣ ଚକ୍ରବର୍ତ୍ତୀ। 

ସମ୍ଭାବ୍ୟ ଆର୍‌ସିବି: ବିରାଟ କୋହଲି, ଫିଲ୍‌ ସଲ୍ଟ, ମନୋଜ ଭଣ୍ଡାଗେ, ରଜତ ପଟିଦାର, ଜିତେଶ ଶର୍ମା (ୱିକେଟ୍‌ରକ୍ଷକ), ଟିମ୍‌ ଡେଭିଡ୍‌, ରୋମାରିଓ ସେଫର୍ଡ, କ୍ରୁନାଲ ପାଣ୍ଡ୍ୟା, ଭୁବନେଶ୍ବର କୁମାର, ସୁୟାଶ ଶର୍ମା, ଲୁଙ୍ଗି ଏନ୍‌ଗିଡ଼ି, ୟଶ୍‌ ଦୟାଲ।