ହାଇଦ୍ରାବାଦ: ଭାରତୀୟ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବ ଫର୍ମକୁ ଫେରିଥିଲା ବେଳେ ତାଙ୍କ ଦଳ ୫ ଥର ଆଇପିଏଲ୍ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ଧାରାକୁ ବଜାୟ ରଖିବା ଲାଗି ମଙ୍ଗଳବାର ହାଇଦ୍ରାବାଦରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ଭେଟିବ। ମୁମ୍ବାଇ ଓ ହାଇଦ୍ରାବାଦ ପ୍ରତିଯୋଗିତା ଆରମ୍ଭରୁ ୨ ଲେଖାଏଁ ପରାଜୟ ପରେ ଲଗାତାର ୨ ଲେଖାଏଁ ବିଜୟ ପାଇଛନ୍ତି। ଉଭୟ ଦଳ ସମାନ ପଏଣ୍ଟ ପାଇଥିଲେ ମଧ୍ୟ ମୁମ୍ବାଇ ରନ୍ ରେଟ୍ରେ ଆଗରେ ରହି ଟେବୁଲର ଅଷ୍ଟମ ଏବଂ ହାଇଦ୍ରାବାଦ ନବମରେ ରହିଛି। ରବିବାର ଫର୍ମରେ ନଥିବା ସୂର୍ଯ୍ୟକୁମାର ୨୫ ବଲ୍ରେ ୪୩ ରନ୍ର ପାଳି ଖେଳି ଦଳକୁ କୋଲ୍କାତା ନାଇଟ୍ ରାଇଡର୍ସ ବିପକ୍ଷରେ ବିଜୟ ଦେବାରେ ପ୍ରମୁଖ ଭୂମିକା ନେଇଥିଲେ। ପ୍ରଥମ ଦୁଇ ମ୍ୟାଚ୍ରେ ସଂଘର୍ଷ କରିଥିବା ମୁମ୍ବାଇ ଦଳରେ ଏବେ ସୁନ୍ଦର ସନ୍ତୁଳନ ଦେଖିବାକୁ ମିଳିଛି। ତିଲକ ବର୍ମା ଭଲ କରୁଥିଲା ବେଳେ କାମେରୁନ୍ ଗ୍ରିନ ଓ ଟିମ୍ ଡେଭିଡଙ୍କ ପ୍ରଦର୍ଶନ ମଧ୍ୟ ଠିକ୍ ରହୁଛି। ବୋଲିଂରେ ଅଭିଜ୍ଞ ପୀୟୂଷ ଚାୱଲାଙ୍କ ସହ ହ୍ରିତିକ ସୋକିନ ସ୍ପିନ୍ରେ ବିପକ୍ଷ ବ୍ୟାଟର୍କୁ ବାନ୍ଧି ରଖିପାରୁଛନ୍ତି। ଜୋଫ୍ରା ଆର୍ଚରଙ୍କ ଅନୁପସ୍ଥିତରେ ରିଲେ ମେରେଡିଥ ଦ୍ରୁତ ବୋଲିଂ ୟୁନିଟ୍ ସମ୍ଭାଳୁଛନ୍ତି। ଅର୍ଜୁନ ତେନ୍ଦୁଲକର ଓ ଡୁଆନ୍ ଜାନସେନ ରବିବାର ଆଇପିଏଲ୍ ପଦାର୍ପଣ ସୁଯୋଗ ପାଇଥିଲେ।
ଅନ୍ୟପକ୍ଷରେ ହାଇଦ୍ରାବାଦକୁ ଗତ ଦୁଇ ମ୍ୟାଚ୍ରେ ବିଜୟ ଦେବାରେ ପ୍ରମୁଖ ଭୂମିକା ନେଇଥିବା ହାରି ବ୍ରୁକ୍ ଓ ଅଭିଷେକ ତ୍ରିପାଠୀ ନୂଆ ହିରୋ ଭାବେ ଉଭା ହୋଇଛନ୍ତି। କେକେଆର୍ ବିପକ୍ଷରେ ବ୍ରୁକ୍ ୫୫ ବଲ୍ରେ ୧୦୦ ରନ୍ ଏବଂ ପଞ୍ଜାବ ବିପକ୍ଷରେ ତ୍ରିପାଠୀ ୪୮ ବଲ୍ରେ ୭୪ ରନ୍ର ବିଜୟୀ ପାଳି ଖେଳିଥିଲେ। ଅଧିନାୟକ ଏଦେନ ମର୍କରାମ ଏହି ଦୁଇ ମ୍ୟାଚ୍ରେ ୫୦ ଓ ୩୭ ରନ୍ର ଉପଯୋଗୀ ପାଳି ଖେଳିଥିଲେ। ବୋଲିଂରେ ସ୍ପିନର ମୟଙ୍କ ମାର୍କଣ୍ଡେ (୬ ୱିକେଟ୍) ଦଳର ସର୍ବୋଚ୍ଚ ୱିକେଟ୍ ହାସଲକାରୀ ହୋଇଥିଲା ବେଳେ ଦ୍ରୁତ ବୋଲର ଉମ୍ରାନ ମଲ୍ଲିକ, ମାର୍କୋ ଜାନସେନ ଓ ଭୁବନେଶ୍ବର କୁମାର ମଧ୍ୟ ବିପକ୍ଷ ବ୍ୟାଟର୍ଙ୍କୁ ଅସୁବିଧାରେ ପକାଇବାର ସମ୍ଭାବନା ରହିଛି। ମଙ୍ଗଳବାର ଦୁଇ ଜାନସେନ ଭ୍ରାତା ଡୁଆନ ଓ ମାର୍କୋ ମଧ୍ୟରେ ଲଢ଼େଇ ହେବାର ସମ୍ଭାବନା ରହିଛି। ଯଦି ଉଭୟ ନିଜ ନିଜ ଦଳର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଆନ୍ତି ତେବେ ଏହି ଲଢ଼େଇ ଦେଖିବାକୁ ମିଳିବ।