ଚେନ୍ନାଇ: ଶୁକ୍ରବାର ଆଇପିଏଲ୍ର ୨୯ତମ ମ୍ୟାଚ୍ରେ ଚେନ୍ନାଇ ସୁପରକିଙ୍ଗ୍ସ ୭ ୱିକେଟ୍ରେ ସନରାଇଜର୍ସ ହାଇଦ୍ରାବାଦ୍କୁ ପରାସ୍ତ କରିଛି। ଏମ୍ଏ ଚିଦାମ୍ବରମ ଷ୍ଟାଡିୟମ୍ରେ ପ୍ରଥମେ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଯୋଗୁଁ ହାଇଦ୍ରାବାଦ ପାଳିକୁ ୧୩୪/୭ରେ ସୀମିତ ରଖିବା ପରେ ଡେଭନ କନୱେ ଓ ଋତୁରାଜ ଗାଏକ୍ବାଡଙ୍କ ୮୭ ରନ୍ର ଭାଗୀଦାରି ଦଳ ବିଜୟକୁ ସହଜ କରିଦେଇଥିଲା। ଶେଷରେ କନ୍ୱେଙ୍କ ୫୭ ବଲ୍ରୁ ଅପରାଜିତ ୭୭ ରନ୍ ବଳରେ ଚେନ୍ନାଇ ୧୮.୪ ଓଭରରେ ୩ ୱିକେଟ୍ ବିନିମୟରେ ମ୍ୟାଚ୍ ଜିତି ନେଇଥିଲା। ଗାଏକ୍ବାଡ଼-କନ୍ୱେ ଆରମ୍ଭରୁ ଆକ୍ରମଣାତ୍ମକ ଖେଳୁଥିଲା ବେଳେ ପାୱାରପ୍ଲେ ମଧ୍ୟରେ ୧୦.୦୦ ହାରରେ ରନ୍ ସଂଗ୍ରହ କରିଥିଲେ।
ହେଲେ ଦୁର୍ଭାଗ୍ୟବଶତଃ ଗାଏକ୍ବାଡ଼ ରନ୍ଆଉଟ୍ ହୋଇଯାଇଥିଲେ। ଉମ୍ରାନ ମଲ୍ଲିକଙ୍କୁ କନୱେ ସିଧା ଖେଳିଥିଲା ବେଳେ ବଲ୍ ଉମ୍ରାନଙ୍କ ଆଙ୍ଗୁଠି ଛୁଇଁ ଷ୍ଟମ୍ପରେ ବାଜିଥିଲା। ସେତେବେଳକୁ ଋତୁରାଜ କ୍ରିଜ୍ ବାହାରକୁ ଆସିଯାଇଥିବାରୁ ରନ୍ଆଉଟ୍ ହୋଇଯାଇଥିଲେ। ତେବେ ବିଜୟ ପାଇଁ ପଥ ପରିସ୍କାର କରିସାରିଥିଲେ ସୁଦ୍ଧା ଆଜିଙ୍କ୍ୟ ରାହାଣେ, ଅମ୍ବାତି ରାୟୁଡୁ ଦୁଇ ଓଭର ବ୍ୟବଧାନରେ ମୟଙ୍କ ମାର୍କଣ୍ଡେୟଙ୍କ ଦ୍ବାରା ଆଉଟ୍ ହୋଇଯିବାରୁ ଚେନ୍ନାଇ ପାଇଁ ବିଜୟ ବିଳମ୍ବିତ ହୋଇଥିଲା। ହେଲେ ୱାସିଂଟନ୍ ସୁନ୍ଦରଙ୍କୁ ଚୌକା ମାରି ମୋଇନ୍ ଅଲ୍ଲୀ ୮ ବଲ୍ ପୂର୍ବରୁ ବିଜୟ ମୁଣ୍ଡି ମାରିଥିଲେ। ସର୍ବାଧିକ ୱିକେଟ୍ ନେଇଥିବା ରବୀନ୍ଦ୍ର ଜାଦେଜା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ହୋଇଥିଲେ।
ଏଥିପୂର୍ବରୁ ଦୁଇ ସଫଳ ବୋଲର ତୁଷାର ଦେଶପାଣ୍ଡେ ଓ ମୋଇନ୍ ଅଲ୍ଲୀ ଯଦିଓ ଏହି ମ୍ୟାଚ୍ରେ ୱିକେଟ୍ ପାଇନଥିଲେ ତେବେ ରବୀନ୍ଦ୍ର ଜାଦେଜା (୩/୨୨)ଙ୍କ ସହ ଆକାଶ ସିଂହ, ମହେଶ ତୀକ୍ଷ୍ଣା, ମଥିସା ପଥିରଣାଙ୍କ ଶୃଙ୍ଖଳିତ ବୋଲି ଯୋଗୁଁ ସନରାଇଜର୍ସ ବ୍ୟାଟର ହାତଖୋଲା ସଟ୍ ଖେଳିପାରିନଥିଲେ। ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ସନରାଇଜର୍ସ ପାଇଁ ଶତକୀୟ ବ୍ୟାଟର ହାରି ବ୍ରୁକ୍, ରାହୁଲ ତ୍ରିପାଠୀ, ଏଦେନ୍ ମାରକ୍ରମ, ହେନରିକ କ୍ଲାସେଁ ରକ୍ଷଣାତ୍ମକ ଖେଳିବାରୁ ରନ୍ ହାର ବଢ଼ିପାରିନଥିଲା। ଅଭିଷେକ ଶର୍ମାଙ୍କ ୩୪ ରନ୍ ଦଳର ସମ୍ମାନ ରଖିଥିଲା। ପାୱାରପ୍ଲେ ମଧ୍ୟରେ ୪୫ ରନ୍ କରିଥିବା ହାଇଦ୍ରାବାଦ୍କୁ ୫୦ ରନ୍ ଛୁଇଁବାକୁ ମୋଟ ୩୭ ବଲ୍ ଖେଳିବାକୁ ପଡ଼ିଥିଲା ବେଳେ ପରବର୍ତ୍ତୀ ୫୦ ରନ୍ ପାଇଁ ମଧ୍ୟକ୍ରମ ବ୍ୟାଟର ଆଉ ୫୦ ବଲ୍ ଖେଳିଥିଲେ। ହାଇଦ୍ରାବାଦ ପାଳିରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୨ଟି ଡିସ୍ମିସାଲ କରି କ୍ବିଣ୍ଟନ ଡି’ କକ୍ଙ୍କ ରେକର୍ଡକୁ ପଛରେ ପକାଇ ଦେଇଥିଲେ।