୨୦୨୨ରୁ ଆଇପିଏଲରେ ୧୦ଟି ଟିମ୍ ଖେଳିବେ, ବିସିସିଆଇର ସବୁଜ ସଂକେତ

ଅହମଦାବାଦ : ଆସନ୍ତା ୨୦୨୨ ସିଜିନରୁ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରେ ୧୦ଟି ଟିମ ଖେଳିବେ । ଏ ନେଇ ଏକ ପ୍ରସ୍ତାବକୁ ବିସିସିଆଇ ପକ୍ଷରୁ ନୀତିଗତ ମଂଜୁରୀ ଦିଆଯାଇଛି ।

ଅହମଦାବାଦଠାରେ ଚାଲିଥିବା ବିସିସିଆଇର ୮୯ତମ ବାର୍ଷିକ ସାଧାରଣ ବୈଠକରେ ଦୁଇଟି ନୂଆ ଟିମକୁ ଖେଳାଇବା ଉପରେ ସହମତି ହୋଇଥିଲା । ଏହି ଦୁଇଟି ନୂଆ ଟିମର ଗଠନ ଓ ଆଇପିଏଲରେ ସାମିଲ କରିବା ସମ୍ପର୍କିତ ପ୍ରକ୍ରିୟା ଚୂଡ଼ାନ୍ତ କରିବାକୁ ବିସିସିଆଇ ପକ୍ଷରୁ ଆଇପିଏଲ ଗଭର୍ଣ୍ଣିଂ କାଉନସିଲକୁ କୁହାଯାଇଛି ।

ଆଇପିଏଲରେ ଏବେ ୮ଟି ଟିମ ଖେଳୁଛନ୍ତି । ସେଗୁଡ଼ିକ ହେଲେ ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପରକିଙ୍ଗସ, ରାଜସ୍ଥାନ ରୟାଲ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, କୋଲକତା ନାଇଟରାଇଡର୍ସ, ଦିଲ୍ଲୀ କ୍ୟାପିଟାଲ୍ସ, କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ସନରାଇଜର୍ସ ହାଇଦ୍ରାବାଦ ।

ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ, ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ ଟି-୨୦ କ୍ରିକେଟକୁ ସାମିଲ କରିବାକୁ ଆଇସିସିର ଉଦ୍ୟମକୁ ବିସିସିଆଇ ସମର୍ଥନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏ ବାବଦରେ ଆଇଆଇସିଠାରୁ ଆବଶ୍ୟକ ସ୍ପଷ୍ଟୀକରଣ ମିଳିବାପରେ ବିସିସିଆଇ ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାକୁ ସମର୍ଥନ କରିବ । ଅନ୍ୟପକ୍ଷରେ ଆଇସିସି ବୋର୍ଡରେ ବିସିସିଆଇ ଅଧ୍ୟକ୍ଷ ଜଣେ ନିର୍ଦ୍ଦେଶକଭାବେ ବଜାୟ ରହିବେ ।

ସମ୍ବନ୍ଧିତ ଖବର