ଆଇପିଏଲ୍‌ର ଅଲୋଡା କୀର୍ତି: ୭ ବଲ୍‌, ଶୂନ ରନ୍‌, ୫ ୱିକେଟ୍‌

ନୂଆଦିଲ୍ଲୀ: ୭ ବଲ୍‌ରେ କୌଣସି ରନ୍‌ କରିନପାରି ୫ ୱିକେଟ୍‌ ହରାଇବା ଭଳି ଘଟଣା କେବେ ବି ପୂର୍ବରୁ ଆଇପିଏଲ୍‌ ଇତିହାସରେ ଦେଖାଯାଇନଥିଲା। ହେଲେ ମହିଳା ଆଇପିଏଲ୍‌ (ଟ୍ବେଣ୍ଟି-୨୦ ଚ୍ୟାଲେଞ୍ଜ୍‌)ର ଭେଲୋସିଟି ଓ ଟ୍ରେଲ୍‌ବ୍ଲେଜର୍ସ ମ୍ୟାଚ୍‌ରେ ଏଭଳି ଏକ ଅଲୋଡା ନୂଆ କୀର୍ତିମାନ ଦେଖିବାକୁ ମିଳିଛି। ଜୟପୁରର ସୱାଇ ମାନ୍‌ସିଂହ ଷ୍ଟାଡିୟମ୍‌ ହିଁ ଆଇପିଏଲ୍‌ରେ ଏଭଳି ନିଆରା ଇତିହାସ ସୃଷ୍ଟି କରିଛି।

ଏହି ମ୍ୟାଚ୍‌ରେ ଟ୍ରେଲ୍‌ବ୍ଲେଜର୍ସ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ବିନିମୟରେ ୧୧୨ ରନ୍‌ କରିଥିଲା। ଫଳରେ ଭେଲୋସିଟି ସମ୍ମୁଖରେ ୧୧୩ ରନ୍‌ର ଲକ୍ଷ୍ୟ ରହିଥିଲା। ଏହାକୁ ପିଛା କରି ଭେଲୋସିଟି ଏକ ସମୟରେ ୧୬.୪ ଓଭରରେ ୧୧୧ ରନ୍‌ରେ ମାତ୍ର ୨ ୱିକେଟ୍‌ ହରାଇ ବିଜୟ ଆଡ଼କୁ ଅଗ୍ରସର ହୋଇଥିଲା। ବିଜୟ ପାଇଁ ଆଉ ୨୦ ବଲ୍‌ ବାକି ଥିଲା ବେଳେ ଭେଲୋସିଟିକୁ ମାତ୍ର ୨ ରନ୍‌ ଦରକାର ଥିଲା। ହେଲେ ସପ୍ତଦଶ ଓ ଅଷ୍ଟାଦଶ ଓଭରରେ ହିଁ ଅବିଶ୍ବସନୀୟ ଭାବେ ଭେଲୋସିଟି ଦଳର ପାଳି ବିଗିଡ଼ିବାକୁ ଲାଗିଥିଲା। ରାଜେଶ୍ବରୀ ଗାଏକ୍ବାଡ ସପ୍ତଦଶ ଓଭରର ପଞ୍ଚମ ବଲ୍‌ରେ ଡାନିଏଲା ୱାଟ୍‌ (୪୬)ଙ୍କୁ ଆଉଟ୍‌ କରିଦେଇଥିଲା ବେଳେ ପରବର୍ତୀ ବଲ୍‌ରେ ଭେଦା କୃଷ୍ଣମୂର୍ତ୍ତି (୦) ରନ୍‌ ଆଉଟ୍‌ ହୋଇଥିଲେ। ଏହାପରେ ଅଷ୍ଟାଦଶ ଓଭର ବୋଲିଂ କରିବାକୁ ଆସିଥିବା ଦୀପ୍ତି ଶର୍ମା ପ୍ରଥମ ବଲ୍‌ରେ ମିତାଲି ରାଜ୍‌ (୧୭), ତୃତୀୟ ବଲ୍‌ରେ ଶିଖା ପାଣ୍ଡେ (୦) ଓ ପଞ୍ଚମ ବଲ୍‌ରେ ଆମେଲି କେର୍‌ (୦)ଙ୍କୁ ପାଭିଲିୟନ୍‌ ପଠାଇ ଦେଇଥିଲେ। ଏପରିକି ଏହି ଓଭରର ଦ୍ବିତୀୟ ଓ ଚତୁର୍ଥ ବଲ୍‌ରେ ମଧ୍ୟ ଦୀପ୍ତି କୌଣସି ରନ୍‌ ଦେଇନଥିଲେ। ତେବେ ଓଡ଼ିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ ଭେଲୋସିଟି ପକ୍ଷରୁ ଏହି ଧାରା ରୋକିଥିଲେ। ସେ କ୍ରିଜ୍‌କୁ ଆସି ସାମ୍‌ନା କରିଥିବା ପ୍ରଥମ (ଅଷ୍ଟାଦଶ ଓଭରର ଶେଷ ବଲ୍‌)ରୁ ହିଁ ୨ ରନ୍‌ ଅଦାୟ କରି ଭେଲୋସିଟିକୁ ୧୨ ବଲ୍‌ ପୂର୍ବରୁ ବିଜୟ ଭେଟି ଦେଇଥିଲେ। ଏହାସତ୍ତ୍ବେ ଆଇପିଏଲ୍‌ ଇତିହାସରେ ୭ ବଲ୍‌ରୁ କୌଣସି ବି ରନ୍‌ କରିନପାରି ୫ ୱିକେଟ୍‌ ହରାଇବାର ନୂଆ ଅଲୋଡା କୀର୍ତିମାନ ଭେଲୋସିଟି ଦଳ ନାମରେ ଲିପିବଦ୍ଧ ହୋଇ ରହିଗଲା।

ସମ୍ବନ୍ଧିତ ଖବର