ନୂଆଦିଲ୍ଲୀ: ବିରାଟ କୋହଲି ଦୀର୍ଘ ୧୮ ବର୍ଷର ଅପେକ୍ଷା ପରେ ଶେଷରେ ଆଇପିଏଲ ଟ୍ରଫି ଉଠାଇବାର ସୌଭାଗ୍ୟ ପାଇଛନ୍ତି।
ଅହମ୍ମଦାବାଦରେ ଖେଳାଯାଇଥିବା ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚରେ ଆରସିବି ପଞ୍ଜାବ କିଙ୍ଗସକୁ ୬ ରନରେ ପରାସ୍ତ କରି ଇତିହାସ ସୃଷ୍ଟି କରିଛି। ମ୍ୟାଚରେ ବିଜୟ ପରେ ବିରାଟ କୋହଲି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରଥମ ପୋଷ୍ଟ ସେୟାର କରିଛନ୍ତି।
ବିରାଟ କୋହଲି ସେୟାର କରିଥିବା ପୋଷ୍ଟରେ ଲେଖିଛନ୍ତି, ‘ଏହି ଦଳ ମୋ ସ୍ୱପ୍ନକୁ ପୂରଣ କରିଲା। ଏହା ଏମିତି ଏକ ସିଜନ ଯାହାକୁ ମୁଁ କେବେ ବି ଭୁଲିପାରିବି ନାହିଁ। ଆମେ ଗତ ୨.୫ ମାସର ଯାତ୍ରାକୁ ସମ୍ପୂର୍ଣ୍ଣ ଉପଭୋଗ କରିଛୁ।
ଆରସିବି ପ୍ରଶଂସକଙ୍କୁ ମୁଁ ଅଶେଷଅଶେଷ ଧନ୍ୟବାଦ ଜଣାଇବି କାରଣ ସେମାନେ ଆମର ଖରାପ ସମୟରେ ମଧ୍ୟ ଆମକୁ ଛାଡ଼ି ନାହାଁନ୍ତି। ବିଶ୍ବାସର ସହ ସମର୍ଥନ କରି ଆସିଛନ୍ତି। ମୋ ବନ୍ଧୁଙ୍କୁ ଉଠାଇ ଉତ୍ସବ ପାଳନ କରିବାକୁ ୧୮ ବର୍ଷ ଅପେକ୍ଷା କରିବାକୁ ପଡ଼ିଲା। ଯାହାବି ହେଉ ଏହା ଅପେକ୍ଷାର ଯୋଗ୍ୟ ଥିଲା।’
ଆରସିବି ଦଳ ଆଇପିଏଲରେ ପ୍ରଥମ ଟାଇଟଲ ଜିତିଛି। ପୂର୍ବରୁ ସେ ୨୦୦୯, ୨୦୧୧ ଏବଂ ୨୦୧୬ରେ ତିନିଥର ଆଇପିଏଲ ଫାଇନାଲରେ ପହଞ୍ଚିଥିଲା, କିନ୍ତୁ ତିନିଥର ନିରାଶଜନକ ପରାଜୟ ସ୍ବୀକାର କରିବାକୁ ପଡ଼ିଥିଲା।
୨୦୦୮ ମସିହାରୁ ଫ୍ରାଞ୍ଚାଇଜ୍ ପାଇଁ ପ୍ରତ୍ୟେକ ସିଜିନ୍ ଖେଳିଥିବା ବିରାଟ କୋହଲି ଆଇପିଏଲ ୨୦୨୫ ମ୍ୟାଚର ଶେଷ ବଲ୍ ପରେ ଭାବପ୍ରବଣ ହୋଇଯାଇଥିଲେ। ତାଙ୍କ ଆଖିରୁ ଆପଣାଛାଏଁ ଖୁସିର ଲୁହ ଝରି ପଡ଼ିଥିଲା।