ମୁମ୍ବାଇ : ବିରାଟ କୋହଲିଙ୍କ ନେତୃତ୍ବାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ଏବଂ ସଞ୍ଜୁ ସାମ୍ସନ୍ଙ୍କ ନେତୃତ୍ବାଧୀନ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଆଜି (ଗୁରୁବାର) ଚଳିତ ଆଇପିଏଲ୍ ଚତୁର୍ଦ୍ଦଶ ସଂସ୍କରଣର ୧୬ତମ ମ୍ୟାଚ୍ରେ ମୁକାବିଲା ହେବ। ଚଳିତ ସଂସ୍କରଣରେ ଏପର୍ଯ୍ୟନ୍ତ ୩ ମ୍ୟାଚ୍ ଖେଳିସାରିଥିବା ବିରାଟ ବାହିନୀ ହ୍ୟାଟ୍ରିକ୍ ବିଜୟ ସହ ଅପରାଜେୟ ରହି ୬ ପଏଣ୍ଟ ସହ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ପ୍ରଥମ ଥର ନେତୃତ୍ବ ଭାର ପାଇଥିବା ସଞ୍ଜୁ ସାମ୍ସନ୍ଙ୍କ ଦଳ ସମାନ ୩ ମ୍ୟାଚ୍ରୁ ଗୋଟିଏ ବିଜୟ ଓ ୨ ପରାଜୟ ସହ ସପ୍ତମ ସ୍ଥାନରେ ରହିଛି। ତେଣୁ ଗୁରୁବାର ମ୍ୟାଚ୍କୁ ଜିତି ଅପରାଜେୟ ଧାରା ଜାରି ରଖିବା ଲାଗି ଆର୍ସିବି ଲକ୍ଷ୍ୟ ରଖିଥିଲା ବେଳେ ରାଜସ୍ଥାନ କିନ୍ତୁ ବିଜୟ ଧାରାକୁ ଫେରି ପଏଣ୍ଟ ତାଲିକାର ଉପରକୁ ଉଠିବାର ଲକ୍ଷ୍ୟ ରଖିଛି। ଆଇପିଏଲ୍ ଇତିହାସରେ ଉଭୟ ବାଙ୍ଗାଲୋର ଓ ରାଜସ୍ଥାନ ଏପର୍ଯ୍ୟନ୍ତ ୨୩ଥର ମୁହାଁମୁହିଁ ହୋଇଥିଲା ବେଳେ ୧୦ ଲେଖାଏଁ ବିଜୟ ହାସଲ କରି ସମତୁଲ ସ୍ଥିତିରେ ରହିଛନ୍ତି। ଉଭୟଙ୍କ ମଧ୍ୟରେ ୩ ମ୍ୟାଚ୍ ବିନା ଫଳାଫଳରେ ଶେଷ ହୋଇଛି।
ଚଳିତ ସଂସ୍କରଣରେ ପୂର୍ବତନ ବିଜେତା ଚେନ୍ନାଇ ସୁପର କିଙ୍ଗ୍ସକୁ ପ୍ରଥମ ମ୍ୟାଚ୍ରେ ପରାସ୍ତ କରି ଆର୍ସିବି ମନୋବଳ ଉଚ୍ଚା ରଖିଥିଲା। ଏହାପରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ କୋଲ୍କାତା ନାଇଟ୍ ରାଇଡର୍ସକୁ ମଧ୍ୟ ପରାସ୍ତ କରି ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ଏହାର ଦକ୍ଷିଣ ଆଫ୍ରିକୀୟ ମାରାତ୍ମକ ବ୍ୟାଟ୍ସମ୍ୟାନ୍ ଏବି ଡିଭିଲିୟର୍ସ ପୂରା ଫର୍ମରେ ରହିଛନ୍ତି। କୋହଲି ବଡ଼ ସ୍କୋର୍ କରିନପାରିଲେ ମଧ୍ୟ ଭଲ ଆରମ୍ଭ ଦେଉଛନ୍ତି। ଅବଶ୍ୟ ଗତ ସଂସ୍କରଣରେ ପ୍ରତି ମ୍ୟାଚ୍ରେ ପ୍ରାୟତଃ ପ୍ରଭାବୀ ପ୍ରଦର୍ଶନ କରିଥିବା ଓପ୍ନର ଦେବଦତ୍ତ ପଡ଼ିକଲ ଏଥର ଫର୍ମ ପାଇଁ ସଂଘର୍ଷ କରୁଛନ୍ତି। ପୁଣି ଦାମି ଖେଳାଳି ଗ୍ଲେନ୍ ମ୍ୟାକ୍ସୱେଲ ମଧ୍ୟ ଆର୍ସିବି ପାଇଁ ଶୁଭଙ୍କର ରହିଛନ୍ତି। ତାଙ୍କୁ ଓ ଡିଭିଲିୟର୍ସଙ୍କୁ ଅଟକାଇ ପାରିଲେ ହିଁ ରାଜସ୍ଥାନ ଫାଇଦାରେ ରହିପାରିବ। ଆର୍ସିବି ବୋଲିଂ ଆକ୍ରମଣ ମଧ୍ୟ ଶାଣିତ ରହିଛି। ହର୍ଷଲ ପଟେଲ ସବୁଠୁ ମାରାତ୍ମକ ସାବ୍ୟସ୍ତ ହେଉଥିଲା ବେଳେ ମହମ୍ମଦ ସିରାଜ, କାଇଲ ଜାମିସନ୍, ୟୁଜ୍ବେନ୍ଦ୍ର ଚହଲ, ୱାସିଂଟନ୍ ସୁନ୍ଦର ପ୍ରତିପକ୍ଷ ବ୍ୟାଟିଂକ୍ରମକୁ ରୋକିବାର ସାମର୍ଥ୍ୟ ରଖିଛନ୍ତି। ଏମାନଙ୍କ ବଳରେ ଆର୍ସିବି ଚଳିତ ସଂସ୍କରଣରେ ଅପରାଜିତ ସଫଳତା ଜାରି ରଖିଛି।
ଅନ୍ୟପକ୍ଷରେ ଚେନ୍ନାଇ ସୁପର କିଙ୍ଗ୍ସଠୁ ପୂର୍ବ ମ୍ୟାଚ୍ରେ ହାରିଯାଇଥିବା ରାଜସ୍ଥାନ ଗୁରୁବାର ଦଳର ଦ୍ବିତୀୟ ବିଜୟ ପାଇଁ ଦୃଢ଼ ଆଶା ବାନ୍ଧିଛନ୍ତି। ହେଲେ ରାଜସ୍ଥାନ ବିଶେଷକରି ବ୍ୟାଟିଂକୁ ନେଇ ଚିନ୍ତିତ ରହିଛି। ପଞ୍ଜାବ କିଙ୍ଗ୍ସ ବିପକ୍ଷ ନିଜର ପ୍ରଥମ ମ୍ୟାଚ୍ରେ ଅଧିନାୟକ ସଞ୍ଜୁ ସାମ୍ସନ୍ ଚିତାକର୍ଷକ ଶତକ ଜମାଇବା ସତ୍ତ୍ବେ ରାଜସ୍ଥାନ ପରାଜୟ ପଟେ ରହିଥିଲା। ତେବେ ଦୁଇ ଦକ୍ଷିଣ ଆଫ୍ରିକୀୟ ତାରକା ଡେଭିଡ୍ ମିଲର ଓ କ୍ରିସ୍ ମୋରିସ୍ ହିଁ ଦଳକୁ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଏକମାତ୍ର ବିଜୟ ଭେଟି ଦେଇଥିଲେ। ଜୟଦେବ ଉନାଦ୍କଟ, ମୁସ୍ତାଫିଜୁର ରହମନ୍ ଓ ଚେତନ ସାକାରିଆ ଚମତ୍କାର ବୋଲିଂ କରୁଛନ୍ତି। କିନ୍ତୁ ଜୋସ୍ ବଟ୍ଟଲର୍, ମନନ ଭୋରା, ଶିଭମ୍ ଦୁବେ ଓ ନିଜେ ସଞ୍ଜୁ ସାମ୍ସନ୍ଙ୍କ ଅସ୍ଥିର ପ୍ରଦର୍ଶନ ହିଁ ଦଳର ବ୍ୟାଟିଂ ଚିନ୍ତା ବଢ଼ାଉଛି। ପୁଣି ବେନ୍ ଷ୍ଟୋକ୍ସ ଆହତ ଯୋଗୁଁ ବାଦ୍ ପଡ଼ିବା ଏବଂ ଜୋଫ୍ରା ଆର୍ଚରଙ୍କ ଅନୁପସ୍ଥିତି ଦଳର ସଂକଟକୁ ପ୍ରମାଣିତ କରୁଛି। ତେଣୁ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍ରେ ବିଶେଷକରି ରାଜସ୍ଥାନକୁ ବ୍ୟାଟିଂରେ ଉନ୍ନତ ପ୍ରଦର୍ଶନ କରି ପ୍ରତିପକ୍ଷ ଉପରେ ଚାପ ପ୍ରୟୋଗ କରିବାକୁ ପଡ଼ିବ। ନହେଲେ ଦଳ ବିଜୟ ହାସଲ କରିବା ଅସମ୍ଭବ ହୋଇପଡ଼ିବ।
ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍: ବିରାଟ କୋହଲି (ଅଧିନାୟକ), ଏବି ଡି’ଭିଲିୟର୍ସ, ଆଦାମ ଜାମ୍ପା, ଦେବଦତ୍ତ ପଡିକଲ, କେନ୍ ୱିଲିୟମସନ୍, ମହମ୍ମଦ ସିରାଜ, ନଭଦୀପ ସୈନି, ପବନ ଦେଶପାଣ୍ଡେ, ସାହାବାଜ ଅହମ୍ମଦ, ୱାସିଂଟନ୍ ସୁନ୍ଦର, ୟୁଝବେନ୍ଦ୍ର ଚହଲ, ଡାନିଏଲ୍ ସାମ୍ସ, ହର୍ଷଲ ପଟେଲ୍, ଗ୍ଲେନ ମ୍ୟାକ୍ସୱେଲ, ସଚିନ ବେବି, ରଜତ ପଟିଦାର, ମହମ୍ମଦ ଆଝାରୁଦ୍ଦିନ୍, କାଏଲ୍ ଜାମିସନ୍, ଡାନ୍ କ୍ରିଷ୍ଟିଆନ୍, ସୂୟାଶ ପ୍ରଭୂଦେଶାଇ, କେଏସ୍ ଭାରତ, ଫିନ୍ ଆଲେନ୍।
ରାଜସ୍ଥାନ ରୟାଲ୍ସ ଦଳ: ସଂଜୁ ସାମସନ୍ (ଅଧିନାୟକ ଓ ୱିକେଟରକ୍ଷକ), ଜୋସ୍ ବଟ୍ଟଲର୍, ବେନ୍ ଷ୍ଟୋକ୍ସ, ଯଶସ୍ବୀ ଜୟସ୍ବାଲ, ମନନ ଭୋରା, ଅନୂଜ ରାୱତ, ରିୟାନ୍ ପରାଗ, ଡେଭିଡ୍ ମିଲର୍, ରାହୁଲ ତିୱାତିଆ, ମହିପାଲ୍ ଲୋମରର, ଶ୍ରେୟସ ଗୋପାଳ, ମୟଙ୍କ ମାର୍କେଣ୍ଡେ, ଅଣ୍ଡ୍ରିଉ ଟାଇ, ଜୟଦେବ ଉନାଦକତ୍, କାର୍ତିକ ତ୍ୟାଗୀ, ଶିଭମ ଦୁବେ, କ୍ରିସ୍ ମୋରିସ୍, ମୁସ୍ତାଫିଜୁର ରହମାନ, ଚେତନ ସାକାରିଆ, କେସି କାରିଆପ୍ପା, ଲିଆମ୍ ଲିଭିଙ୍ଗଷ୍ଟୋନ୍, କୁଲଦୀଦ ଯାଦବ, ଆକାଶ ସିଂହ।