ଆଇପିଏଲ୍‌ ମହାସଂଗ୍ରାମ: ଇଣ୍ଡିଆନ୍ସକୁ ଅଟକାଇ ପାରିବ କି କ୍ୟାପିଟାଲ୍ସ?

ଚେନ୍ନାଇ : ମଙ୍ଗଳବାର ଖେଳାଯିବାକୁ ଥିବା ଚଳିତ ଆଇପିଏଲ୍‌ର ଏକମାତ୍ର ମ୍ୟାଚ୍‌ରେ ପାଞ୍ଚ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ ଆତ୍ମବିଶ୍ବାସଭରା ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେବେ। ଉଭୟ ଦଳ ତିନିଟି ଲେଖାଏଁ ମ୍ୟାଚ୍‌ରୁ ଦୁଇଟି ଲେଖାଏଁ ବିଜୟ ହାସଲ କରିଛନ୍ତି। ଉଭୟ ଦଳରେ ମଧ୍ୟ ବହୁ ପ୍ରତିଭାବାନ ଓ ଦକ୍ଷ ଖେଳାଳି ଅଛନ୍ତି। ସେହିଦୃଷ୍ଟିରୁ ଏହି ମ୍ୟାଚ୍ ବେଶ୍ ରୋମାଞ୍ଚଭରା ଓ ଉତ୍କଣ୍ଠାପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ଲଗାତାର ସପ୍ତମ ଋତୁ ପାଇଁ ମୁମ୍ବାଇ ତା’ର ପ୍ରଥମ ମ୍ୟାଚ୍ ହାରିବା ପରେ ଲଗାତାର ଦୁଇଟି ବିଜୟ ହାସଲ କରିଛି। ଏଣୁ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଏବେ ହ୍ୟାଟ୍ରିକ୍ ବିଜୟ ହାସଲ ଲକ୍ଷ୍ୟରେ ରହିଛି । ଅନ୍ୟପକ୍ଷରେ ନୂଆ ଅଧିନାୟକ ଋଷଭ ପନ୍ତଙ୍କ ନେତୃତ୍ବରେ ଦିଲ୍ଲୀ ତାର ପ୍ରଥମ ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇବା ପରେ ଦ୍ବିତୀୟ ମୁକାବିଲାରେ ରାଜସ୍ଥାନ ରୟାଲ୍ସଠାରୁ ହାରି ଯାଇଥିଲା। ତେବେ ତୃତୀୟ ମ୍ୟାଚ୍‌ରେ କେଏଲ୍ ରାହୁଲଙ୍କ ପଞ୍ଜାବ କିଙ୍ଗ୍ସକୁ ୬ ୱିକେଟ୍‌ରେ ପରାସ୍ତ କରି ବିଜୟଧାରାକୁ ଫେରିବା ସହ ଆତ୍ମବିଶ୍ବାସରେ ଭରପୁର ରହିଛି।

ମଧ୍ୟକ୍ରମକୁ ନେଇ ଚିନ୍ତାରେ ରୋହିତ
ଉଭୟ ଦଳର ବ୍ୟାଟିଂ ଦକ୍ଷତାକୁ ଦେଖିଲେ କେହି କାହାରିକୁ କମ୍‌ ନୁହନ୍ତି। ତେବେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଏବଂ ତାଙ୍କ ଓପନିଂ ପାର୍ଟନର କ୍ବିଣ୍ଟିନ୍ ଡି’ କକ୍ ସମ୍ଭବତଃ ନିଜ ଦକ୍ଷତା ମୂଳକ ବ୍ୟାଟିଂ କରି ନାହାନ୍ତି। ଏଣୁ ମଙ୍ଗଳବାର ଦୁଇ ଜଣଯାକ ନିର୍ଣ୍ଣାୟକ ପାଳି ଖେଳିବା ଆଶାରେ ରହିବେ। ସେହିଭଳି ଗତ ଋତୁରେ ଧମାକାଦାର ବ୍ୟାଟିଂ କରି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିବା ଝାଡ଼ଖଣ୍ଡ ହିରୋ ଈଶାନ କିଶନଙ୍କ ସମେତ ପାଣ୍ଡ୍ୟା ଭାଇ ହାର୍ଦିକ ଓ କ୍ରୁନାଲ ବି ନିଜ ନିଜ ଫର୍ମରେ ସୁଧାର ଆଣିବାକୁ ଚେଷ୍ଟିତ ହେବେ। ସୂର୍ଯକୁମାର ଯାଦବ ନିଜ ତେଜର ଆଶିଂକ ଝଲକ ଦେଖାଇଥିଲେ ମଧ୍ୟ ତାଙ୍କୁ ଏହାକୁ ଆହୁରି ପ୍ରଖର କରିବାକୁ ପଡ଼ିବ। ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇବାକୁ ହେଲେ କିନ୍ତୁ ମୁମ୍ବାଇକୁ ତାର ମଧ୍ୟକ୍ରମକୁ ସଜାଡ଼ିବାକୁ ହେବ। ଦଳର ବୋଲିଂ ବାହିନୀ କିନ୍ତୁ ଚମତ୍କାର ପ୍ରଦର୍ଶନ ଦେଇ ଆସୁଛି। ଯଶପ୍ରୀତ ବୁମ୍‌ରା ଓ ଟ୍ରେଣ୍ଟ ବୋଲ୍ଟ (ନ୍ୟୁଜିଲାଣ୍ଡ) ଶେଷ ଓଭରଗୁଡ଼ିକରେ ଯାଦୁଗରୀ ବୋଲିଂ କରି ୧୫୦, ୧୫୨ ରନ୍‌ର ଛୋ‌ଟିଆ ସ୍କୋରକୁ ସଫଳତାର ସହ ଡିଫେଣ୍ଡ କରି ପାରିଛନ୍ତି। ଲେଗ୍ ସ୍ପିନର ରାହୁଲ ଚହର ଏପର୍ଯ୍ୟନ୍ତ ୭ଟି ୱିକେଟ୍ ନେଇ ସାରିଲେଣି। କ୍ରୁନାଲ ପାଣ୍ଡ୍ୟା ମଧ୍ୟ ଦଳର ଆବଶ୍ୟକତା ଅନୁଯାୟୀ ୱିକେଟ୍ ନେଉଛନ୍ତି। ଗତମ୍ୟାଚ୍‌ରେ ଆଦାମ ମିଲନେଙ୍କୁ ନେଇଥିବା ମୁମ୍ବାଇ ପିଚ୍‌ର ଚରିତ୍ରକୁ ଦେଖି ଜୟନ୍ତ ଯାଦବଙ୍କୁ ଖେଳାଇପାରେ।

ଅଧିନାୟକତ୍ବକୁ ଉପଭୋଗ କରୁଛି: ପନ୍ତ
ମୁମ୍ବାଇ : ଶ୍ରେୟସ୍ ଆୟର ଆହତ ହୋଇ ଆଇପିଏଲ୍‌ରୁ ବାଦ୍‌ ବଡ଼ିବା ପରେ ଦଳର ଏକାଧିକ ଅଭିଜ୍ଞ ଖେଳାଳିଙ୍କୁ ଅଣଦେଖା କରି ଯୁବ ୱିକେଟ୍ ରକ୍ଷକ ଋଷବ ପନ୍ତଙ୍କୁ ନେତୃତ୍ବଭାର ପ୍ରଦାନ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ୨୩ ବର୍ଷୀୟ ପନ୍ତଙ୍କୁ ନେଇ ସମସ୍ତଙ୍କ ମନରେ ଦ୍ବନ୍ଦ୍ବ ଓ ସଂଶୟ ଥିଲା। ଆଗରୁ କୌଣସି ଦଳର ଅଧିନାୟକ ଦାୟିତ୍ବ ତୁଲାଇବାର ଅଭିଜ୍ଞତା ନଥିବାରୁ ତାଙ୍କୁ ନେଇ ନାନା ଆଲୋଚନା ପର୍ଯ୍ୟାଲୋଚନା ହେଉଥିଲା। ମାତ୍ର ତିନିଟି ମ୍ୟାଚ୍ ଭିତରେ କିନ୍ତୁ ଏହି ଧାରଣାକୁ ଭୁଲ ପ୍ରମାଣିତ କରିଛନ୍ତି ସେ। ଛୋଟ ମୋଟ ତ୍ରୁଟି ଛାଡ଼ିଲେ ଅଧିନାୟକ ହେବାର ଆଦ୍ୟ ପାଳିରେ ପନ୍ତ ପ୍ରାୟତଃ ଭଲ କରିଛନ୍ତି। ଏବେ ସେ ଏହାକୁ ଉପଭୋଗ କରିବା ଆରମ୍ଭ କରିଛନ୍ତି। ଏକଥା ସେ ନିଜେ ଏକ ସାକ୍ଷାତକାର ଅବସରରେ କହିଛନ୍ତି। ରବିବାର ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌କୁ ୬ ୱିକେଟ୍‌ରେ ଜିତିବା ପରେ ପନ୍ତ କହିଥିଲେ ପରାଜୟର ପର ମ୍ୟାଚ୍ ଜିତିବା ସବୁବେଳେ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ମୁଁ ଅଧିନାୟକତ୍ବକୁ ଉପଭୋଗ କରିବା ଆରମ୍ଭ କରି ଦେଲିଣି। ଯଥାସମ୍ଭବ ଦଳର ମାହୋଲକୁ ହାଲ୍‌କା ଓ ସକାରାତ୍ମକ ରଖିବାକୁ ଚେଷ୍ଟା କରୁଛି। ଆମ ଖେଳାଳିମାନେ ଯେମିତି ନିଜ ସ୍ବାଭାବିକ ଖେଳ ଖେଳିବେ ଏବଂ କ୍ରିକେଟ୍‌କୁ ମନଭରି ଉପ‌ଭୋଗ କରିବେ ତାକୁ ଗୁରୁତ୍ବ ଦେଉଛି।

ନର୍ଖିୟାଙ୍କୁ ନେଇ ଦ୍ବନ୍ଦ୍ବରେ ଦିଲ୍ଲୀ
ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନଙ୍କ ବ୍ୟାଟ୍‌ରୁ ଲଗାତାର ବଡ଼ ପାଳି ବାହାରିବା ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ସବୁଠାରୁ ବଡ଼ ସକାରାତ୍ମକ କଥା। ୩ ମ୍ୟାଚ୍‌ରୁ ୧୮୬ ରନ୍ କରି ନାରଙ୍ଗୀ ‌ଟୋପି ନିଜ ପାଖରେ ରଖିଛନ୍ତି ସେ। ଧାୱନ ଓ ପୃଥ୍ବୀ ସ’ ଦିଲ୍ଲୀକୁ ଦ୍ରୁତ ଓ ଦୃଢ଼ ଆରମ୍ଭ ଦେଉଛନ୍ତି। ହେଲେ ପୃଥ୍ବୀଙ୍କୁ ୨୦,୩୦ ରନ୍‌ର ପାଳିକୁ ବଡ଼ ପାଳିରେ ରୂପାନ୍ତର କରିବାକୁ ହେବ। ଯୁବ ଅଧିନାୟକ ଋଷଭ ପନ୍ତ ମଧ୍ୟ ଯେ କୌଣସି ସମୟରେ ମ୍ୟାଚ୍‌ର ମୋଡ଼ ବଦଳାଇବାକୁ ପୂରା ସକ୍ଷମ। ଦିଲ୍ଲୀ ପାଖରେ ଲଳିତ ଯାଦବ ଓ ମାର୍କସ ଷ୍ଟୋଇନିସଙ୍କ ଭଳି ଅଲରାଉଣ୍ଡର ବି ଅଛନ୍ତି। କାଗିସୋ ରବାଦା,ଳ କ୍ରିସ୍ ଓକ୍ସ ଭଲ ବୋଲିଂ କରୁଛନ୍ତି। ଅନରିକ ନର୍ଖିୟା କୋଭିଡ୍ ନେଗେଟିଭ୍ ହେବା ପରେ ତାଙ୍କ ମଧ୍ୟ ପନ୍ତ ଅନ୍ୟତମ ବିକଳ୍ପ ଭାବେ ଦେଖି ପାରିବେ। ଆର ଅଶ୍ବିନଙ୍କ ସହ ଦିଲ୍ଲୀ ପାଖରେ ଅମିତ ମିଶ୍ରା, ପ୍ରବୀଣ ଦୁବେ, ସାମ୍ ମୁଲାନିଙ୍କ ଭଳି ସ୍ପିନର ବି ଅଛନ୍ତି।

ମୁମ୍ବାଇ ସହ ହାର୍ଦ୍ଦିକଙ୍କ ୬ ବର୍ଷ
ଚେନ୍ନାଇ : ଭାରତୀୟ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସୋମବାର ମୁମ୍ବାଇ ଇଣ୍ଡିଆନ୍ସ ସହ ୬ ବର୍ଷ ପୂରଣ କରିଛନ୍ତି। ୬ ବର୍ଷର ଏହି ଅସାଧାରଣ ଯାତ୍ରା ପାଇଁ ହାର୍ଦ୍ଦିକ ଦଳୀୟ ଅଧିକାରୀ, ଷ୍ଟାଫ୍‌, ସାଥୀ ଖେଳାଳି ଏବଂ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୨୦୧୫ ‌ଏପ୍ରିଲ ୧୯ ତାରିଖରେ ହାର୍ଦ୍ଦିକ ମୁମ୍ବାଇ ପକ୍ଷରୁ ଆଇପିଏଲ୍‌ ପଦାର୍ପଣ କରିଥିଲେ। ଏହା ପରଠୁ ସେ ଦଳର ଜଣେ ନିର୍ଭରଯୋଗ୍ୟ ଖେଳାଳି ଭାବେ ଗଣତି ‌ହେଉଛନ୍ତି। ‘‘ଏକ ସ୍ମୃତିର ଗଳିରେ ଚାଲିବା ଏବଂ ୬ ଅସାଧାରଣ ବର୍ଷରେ ଦଳ ମୋ ହୃଦୟ ସହିତ ରହିଛି। ଏଥିପାଇଁ ଦଳର ଅଧିକାରୀ, ଷ୍ଟାଫ୍‌, ସାଥୀ ଖେଳାଳି ଏବଂ ପ୍ରଶଂସକଙ୍କ ସହ ଯେଉଁମାନେ ଏହି ଯାତ୍ରାରେ ମୋ ସହ ଅଛନ୍ତି, ସେମାନଙ୍କୁ ମୋର ହୃଦୟର ଅନ୍ତରରୁ ଧନ୍ୟବାଦ।’’ ହାର୍ଦ୍ଦିକ ଟ୍ୱିଟର୍‌ରେ ପ୍ରକାଶ କରିଛନ୍ତି। ପଦାର୍ପଣ ମ୍ୟାଚ୍‌ରେ ହାର୍ଦ୍ଦିକ ୬ ବଲ୍‌ରୁ‌ ୧୬ ରନ୍ ସଂଗ୍ରହ କରିଥିଲେ ଏବଂ ତାଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ୧୮ ରନ୍‌ରେ ପରାସ୍ତ କରିଥିଲା। ଅଦ୍ୟାବଧି ହାର୍ଦିକ ୮୩ ଆଇପିଏଲ୍‌ ମ୍ୟାଚ୍‌ରୁ ୧୩୮୪ ରନ୍‌ ଏବଂ ୪୨ ୱିକେଟ୍ ନେଇଛନ୍ତି।

ସମ୍ଭାବ୍ୟ ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (ଅଧିନାୟକ), କ୍ବିଣ୍ଟନ୍ ଡି’ କକ୍, ସୂର୍ଯ୍ୟକୁମାର ଯାଦବ, ଈଶାନ କିଶନ, କିରଣ ପୋଲାର୍ଡ, ହାର୍ଦିକ ପାଣ୍ଡ୍ୟା କ୍ରୁନାଲ ପାଣ୍ଡ୍ୟା, ରାହୁଲ ଚହର, ଟ୍ରେଣ୍ଟ୍‌ ବୋଲ୍ଟ, ଯଶପ୍ରୀତ ବୁମ୍‌ରା, ଜୟନ୍ତ ଯାଦବ, ନାଥନ କୁଲଟର ନାଇଲ୍, ଆଦାମ ମିଲନେ, ଆଦିତ୍ୟ ତାରେ, ଅନମୋଲପ୍ରୀତ ସିଂହ, ଅନୁକୁଲ ରାୟ, ଅର୍ଜୁନ ତେନ୍ଦୁଲକର, କ୍ରିସ୍ ଲିନ୍, ଧବଲ କୁଲକର୍ଣ୍ଣି।

ସମ୍ଭାବ୍ୟ ଦିଲ୍ଲୀ କ୍ୟାପିଟାଲ୍ସ: ଋଷଭ ପନ୍ତ (ଅଧିନାୟକ), ଶିଖର ଧାୱନ, ପୃଥ୍ବୀ ସ’,ମାର୍କସ ଷ୍ଟୋଇନିସ୍, କ୍ରିସ୍ ଓକ୍ସ, ଆର ଅଶ୍ବିନ, ଅମିତ ମିଶ୍ରା, କାଗିସୋ ରବାଦା, ଅଭେସ ଖାନ୍, ଷ୍ଟିଭେନ୍ ସ୍ମିଥ୍, ଲକମନ ମେରିୱାଲ, ସାମ୍ ବିଲିଙ୍ଗ୍ସ, ଆଦିତ୍ୟ ତାରେ, ପ୍ରବୀଣ ଦୁବେ, ଉମେଶ ଯାଦବ, ଟମ୍ କିନ, ସାମ୍ସ ମୁଲାନି, ଅନରିକ ନର୍ଖିୟା।

ସମ୍ବନ୍ଧିତ ଖବର