ମୁମ୍ବାଇ : ଆଇପିଏଲ୍-୨୦୨୧ରେ ରବିବାର ଡବଲ୍ ଧମାଲ ଦେଖିବାକୁ ମିଳିବ। ସୁପରସଣ୍ଡେରେ ବହୁ ପ୍ରତୀକ୍ଷିତ ଧୋନି-କୋହଲି ମହାମୁକାବିଲା ସହ ଦିଲ୍ଲୀର ଉତ୍ସାହୀ ଅଧିନାୟକ ଋଷଭ ପନ୍ତଙ୍କ ସାମ୍ନାରେ ଅଷ୍ଟ୍ରେଲୀୟ ଡେଭିଡ୍ ୱାର୍ନର ରହିବେ। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ଚେନ୍ନାଇ ସୁପରକିଙ୍ଗ୍ସ ଓ ବିରାଟ କୋହଲିଙ୍କ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଲଢ଼େଇ ଅପରାହ୍ଣ ୩ଟା ୩୦ରୁ ଆରମ୍ଭ ହୋଇଯିବ। ଅନ୍ୟପକ୍ଷରେ ସାଢେ ସାତରୁ ଖେଳାଯିବାକୁ ଥିବା ରାତି ମ୍ୟାଚ୍ରେ ଋଷଭଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଓ ୱାର୍ନରଙ୍କ ସନ୍ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ। ଉଭୟ ମ୍ୟାଚ୍ ବେଶ୍ ରୋମାଞ୍ଚକର ଓ ଉତ୍କଣ୍ଠାଭରା ହେବ ବୋଲି ଆଶା କରାଯାଉଛି। ତେବେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଅପରାଜେୟ ଧାରାକୁ ଚେନ୍ନାଇ ସୁପରକିଙ୍ଗ୍ସ ରୋକିପାରିବ କି? ହ୍ୟାଟ୍ରିକ୍ ପରାଜୟ ପରେ ବିଜୟର ମିଠାମିଠା ସ୍ବାଦ ଚାଖିଥିବା ସନ୍ରାଇଜର୍ସ ହାଇଦ୍ରାବାଦ ପନ୍ତଙ୍କ ଯୁବ ଦଳକୁ ପରାସ୍ତ କରିପାରିବ କି? ସେ ଚର୍ଚ୍ଚା ଏବେ ସବୁଆଡ଼େ ଚାଲିଛି। ହେଲେ ସବୁକିଛି ଦଳୀୟ ସ୍କୋର ଉପରେ ନିର୍ଭର କରିବ।
ମୁମ୍ବାଇର ପ୍ରସିଦ୍ଧ ୱାଙ୍ଖଡ଼େ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ଚେନ୍ନାଇ-ମୁମ୍ବାଇ ମ୍ୟାଚ୍ ହାଇସ୍କୋରିଂ ହୋଇପାରେ। ଚେନ୍ନାଇର ଏମଏ୍ ଚିଦାମ୍ବରମ୍ ଷ୍ଟାଡିୟମ୍ରେ କିନ୍ତୁ ଦିଲ୍ଲୀ ଓ ହାଇଦ୍ରାବାଦ ବ୍ୟାଟର୍ଙ୍କୁ ଜୋସ୍ ପରିବର୍ତ୍ତେ ହୋସ୍ ଉପରେ ଅଧିକ ଧ୍ୟାନ ଦେବାକୁ ହେବ। କାରଣ ଚିଦାମ୍ବରମ୍ ପିଚ୍ ଲଗାତାର ଭାବେ ବୋଲରଙ୍କୁ ସୁହାଉଥିଲା ବେଳେ ଏଠାରେ ବଡ଼ ସଟ୍ ଖେଳିବା ଆଦୌ ସହଜ ହେଉନି। ଏପରିକି ଏହି ପିଚ୍କୁ ବହୁ ଖେଳାଳି ସମାଲୋଚନା କରିସାରିଲେଣି।
ପଏଣ୍ଟ୍ ତାଲିକାର ପ୍ରଥମ ଦୁଇ ସ୍ଥାନରେ ଥିବା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ଓ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍କେ) ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍ରେ ଭାରତୀୟ କ୍ରିକେଟ୍ର ଦୁଇ ମହାରଥୀ ଧୋନି ଓ କୋହଲି ଚଳିତ ଋତୁରେ ପରସ୍ପରକୁ ପ୍ରଥମ ଥର ପାଇଁ ଭେଟିବେ। ଆର୍ସିବି ନିଜ ପ୍ରଥମ ଚାରିଟି ମ୍ୟାଚ୍ରେ ଲଗାତାର ବିଜୟ ହାସଲ କରି ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ଥିଲା ବେଳେ ନିଜ ପ୍ରଥମ ମ୍ୟାଚ୍କୁ ହାରିବା ପରେ ହ୍ୟାଟ୍ରିକ୍ ବିଜୟ ସହ ସିଏସ୍କେ ଦ୍ବିତୀୟ ସ୍ଥାନରେ ଅଛି। ଆର୍ସିବି ତାର ପୂର୍ବ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସକୁ ୧୦ ୱିକେଟ୍ରେ ଧରାଶାୟୀ କରିଛି। ସେପଟେ ସିଏସ୍କେ ମଧ୍ୟ ଉଚ୍ଚକୋଟୀର କ୍ରିକେଟ୍ ଖେଳି ଗତ ତିନିଟି ଯାକ ମ୍ୟାଚ୍ରେ ଆତ୍ମବିଶ୍ବାସଭରା ବିଜୟ ହାସଲ କରିଛି।
ଆର୍ସିବି ପାଇଁ ସବୁଠାରୁ ଭଲ ଖବର ହେଲା କରୋନା ମୁକ୍ତ ହୋଇ ଦଳ ସହ ଯୋଗ ଦେବା ପରେ ଦୁଇଟି ପାଳିରେ ଅପେକ୍ଷାକୃତ ବଡ଼ ସ୍କୋର କରି ପାରିନଥିବା ଯୁବ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଦେବଦତ୍ତ ପଡ଼ିକଲ ପ୍ରଥମ ବିଜେତା ରାଜସ୍ଥାନ ବିପକ୍ଷରେ ଶତକୀୟ ପାଳି ଖେଳିଛନ୍ତି। ଅଧିନାୟକ କୋହଲି ବି ପୂରା ଫର୍ମରେ ଅଛନ୍ତି। ମିଷ୍ଟର ଥ୍ରୀ ସିକ୍ସଷ୍ଟି ଏବି ଡି’ ଭିଲିୟର୍ସ ଧମାକାଦାର ବ୍ୟାଟିଂ କରି ସମସ୍ତଙ୍କ ମନ ଜିତି ନେଇଛନ୍ତି। ଗତ ଋତୁରେ ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରି ପଞ୍ଜାବ କିଙ୍ଗ୍ସରୁ ବିଦା ହେବା ପରେ ଅଷ୍ଟ୍ରେଲୀୟ ଅଲ୍ରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଭାଗ୍ୟ ଯେମିତି ବଦଳି ଯାଇଛି। ଆର୍ସିବିର ଚାରିଟି ଯାକ ମ୍ୟାଚ୍ରେ ସେ ବହୁତ ଭଲ ବ୍ୟାଟିଂ କରିଛନ୍ତି। ଆର୍ସିବିର ଶକ୍ତିଶାଳୀ ବ୍ୟାଟିଂ ବାହିନୀକୁ କିନ୍ତୁ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଚାରିଟି ୱିକେଟ୍ ନେଇଥିବା ଚେନ୍ନାଇ ବୋଲର ଦୀପକ ଚହରଙ୍କୁ ପ୍ରତିହତ କରିବାକୁ ପଡ଼ିବ। କାରଣ ଗତ ତିନିଟି ଯାକ ମ୍ୟାଚ୍ରେ ଚହରଙ୍କ ଚମକ ହିଁ ସିଏସ୍କୁ ହ୍ୟାଟ୍ରିକ୍ ବିଜୟ ଦେଇଛି।
ଅନୁରୂପ ଭାବେ ସିଏସ୍କେର ଯୁବ ପ୍ରାରମ୍ଭିକ ବ୍ୟାଟର୍ ଋତୁରାଜ ଗାଏକ୍ବାଡ୍ ମଧ୍ୟ ଫର୍ମକୁ ଫେରିଛନ୍ତି। ଫାଫ୍ ଡୁ’ପ୍ଲେସିସ୍ ଓ ଋତୁରାଜ ମିଳିତ ଭାବେ ସିଏସ୍କେ ପାଇଁ ଦୃଢ଼ ମୂଳଦୁଆ ପକାଇବାକୁ ସଂପୂର୍ଣ୍ଣ ସକ୍ଷମ। ତୃତୀୟ ସ୍ଥାନରେ ଅଲରାଉଣ୍ଡର ମୋଇନ ଅଲ୍ଲୀ ଓ ଚତୁର୍ଥରେ ସୁରେଶ ରାଇନା ଥିବାରୁ ସିଏସ୍କେ ବ୍ୟାଟିଂ ମଧ୍ୟ ଆର୍ସିବି ତୁଳନାରେ କୌଣସି ଗୁଣରେ କମ୍ ନୁହେଁ। ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ମଧ୍ୟ ସିଏସ୍କେର ଆଉ ଏକ ଟ୍ରମ୍ପକାର୍ଡ। ତାଙ୍କ ଆଗରୁ ରନ୍ ନେବା ଆର୍ସିବି ବ୍ୟାଟ୍ସମ୍ୟାନ୍ଙ୍କ ପାଇଁ ଆଦୌ ସହଜ ହେବନି। କୁଶଳୀ ଦ୍ରୁତ ବୋଲର ମହମ୍ମଦ ସିରାଜ ବି କୋହଲି ବାହିନୀକୁ ପରୀକ୍ଷାରେ ପକାଇବାର ଦମ୍ଭ ରଖନ୍ତି। ମହଙ୍ଗା ସାବ୍ୟସ୍ତ ହେଉଥିବା ଅନ୍ୟତମ ଦ୍ରୁତ ବୋଲର ଶାର୍ଦୁଳ ଠାକୁରଙ୍କୁ ଅବଶ୍ୟ ତାଙ୍କ ପୁରୁଣା ଚମକ ଦେଖାଇବାକୁ ହେବ। ଦୁଇଟି ଯାକ ଦଳର ପୂର୍ବ ପ୍ରଦର୍ଶନକୁ ତର୍ଜମା କଲେ ଆର୍ସିବିଠାରୁ ସିଏସ୍କେ ଢେର ଆଗରେ ରହିବ। ଉଭୟ ଦଳ ଆଇପିଏଲ୍ର ଗତ ୧୩ ସଂସ୍କରଣରେ ପରସ୍ପର ବିପକ୍ଷରେ ୨୭ ମ୍ୟାଚ୍ ଖେଳିଛନ୍ତି। ସେଥିମଧ୍ୟରୁ ସିଏସ୍କେ ପାଖପାଖି ଦୁଇଗୁଣା ଅର୍ଥାତ୍ ୧୭ ମ୍ୟାଚ୍ ଜିତିଥିଲା ବେଳେ ଆର୍ସିବି ମାତ୍ର ୯ ମ୍ୟାଚ୍ରେ ବିଜୟୀ ହୋଇଛି। ଗୋଟିଏ ମ୍ୟାଚ୍ର ଫଳାଫଳ ମିଳିନି। ୟୁଏଇରେ ଖେଳାଯାଇଥିବା ଗତ ଋତୁରେ ଉଭୟ ଦୁଇଟି ମ୍ୟାଚ୍ରେ ମୁହାଁମୁହିଁ ହୋଇ ଗୋଟିଏ ଲେଖାଏଁ ବିଜୟ ସହ ବରାବର ସ୍ଥିତିରେ ଥିଲେ।
ଚେନ୍ନାଇ ସୁପର୍ କିଙ୍ଗ୍ସ ଦଳ: ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ସୁରେଶ ରାଇନା, ଅମ୍ବାତି ରାୟୁଡୁ, କେଏମ୍ ଆସିଫ, ଦୀପକ ଚହର, ଡ୍ବେନ୍ ବ୍ରାଭୋ, ଫାଫ୍ ଡୁ’ପ୍ଲେସିସ୍, ଇମ୍ରାନ ତାହିର, ଏନ୍ ଜଗଦୀଶାନ, କର୍ଣ୍ଣ ଶର୍ମା, ଲୁଙ୍ଗି ଏନ୍ଗିଡ଼ି, ମିଚେଲ ସାଣ୍ଟନର, ରବୀନ୍ଦ୍ର ଜାଦେଜା, ଋତୁରାଜ ଗାଏକ୍ବାଡ୍, ଶାର୍ଦୁଳ ଠାକୁର, ସାମ୍ କରନ, ଆର ସାଇକିଶୋର, ମୋଇନ ଅଲ୍ଲୀ, କେ ଗୌତମ, ଚେତେଶ୍ବର ପୂଜାରା, ହରିଶଙ୍କର ରେଡ୍ଡୀ, ଭଗତ ବର୍ମା, ସି ହରି ନିଶାନ୍ତ।
ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍: ବିରାଟ କୋହଲି (ଅଧିନାୟକ), ଏବି ଡି’ଭିଲିୟର୍ସ, ଆଦାମ ଜାମ୍ପା, ଦେବଦତ୍ତ ପଡିକଲ, କେନ୍ ୱିଲିୟମସନ୍, ମହମ୍ମଦ ସିରାଜ, ନଭଦୀପ ସୈନି, ପବନ ଦେଶପାଣ୍ଡେ, ସାହାବାଜ ଅହମ୍ମଦ, ୱାସିଂଟନ୍ ସୁନ୍ଦର, ୟୁଝବେନ୍ଦ୍ର ଚହଲ, ଡାନିଏଲ୍ ସାମ୍ସ, ହର୍ଷଲ ପଟେଲ୍, ଗ୍ଲେନ ମ୍ୟାକ୍ସୱେଲ, ସଚିନ ବେବି, ରଜତ ପଟିଦାର, ମହମ୍ମଦ ଆଝାରୁଦ୍ଦିନ୍, କାଏଲ୍ ଜାମିସନ୍, ଡାନ୍ କ୍ରିଷ୍ଟିଆନ୍, ସୂୟାଶ ପ୍ରଭୂଦେଶାଇ, କେଏସ୍ ଭାରତ, ଫିନ୍ ଆଲେନ୍।