ଆଇପିଏଲ୍‌ ମହାସଂଗ୍ରାମ: ଆଜି ଧୋନି-ୱାର୍ଣ୍ଣର ମୁହାଁମୁହିଁ

ନୂଆଦିଲ୍ଲୀ : ତିନି ଥର ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ ବୁଧବାରଠାରୁ ଚଳିତ ଆଇପିଏଲ୍‌ ଅଭିଯାନର ଦିଲ୍ଲୀ ପର୍ଯ୍ୟାୟ ଆରମ୍ଭ କରିବ। ଆଉ ନୂଆଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଏହି ମୁକାବିଲାରେ ଅନ୍ୟତମ ପୂର୍ବ ବିଜେତା ସନ୍‌ରାଇଜର୍ସ ହାଇଦ୍ରାବାଦର ମୁକାବିଲା କରିବ। ଉଭୟ ଦଳକୁ ଆଇପିଏଲ୍ ଆରମ୍ଭ ପୂର୍ବରୁ ଟାଇଟଲ ଦାବିଦାର ମାନ୍ୟତା ମିଳିଥିଲା। ହେଲେ ପ୍ରତିଯୋଗିତା ଆରମ୍ଭ ହେବା ପରେ ଉଭୟ ଦଳର ଅଭିଯାନ ବିପରୀତଧର୍ମୀ ରହିଛି। ଚେନ୍ନାଇ ୫ମ୍ୟାଚ୍‌ରୁ ଲଗାତାର ୪ ବିଜୟ ସହ ୮ ପଏଣ୍ଟ ଅର୍ଜନ କରି ଦୃଢ଼ ସ୍ଥିତିରେ ରହିଛି। ଅନ୍ୟପକ୍ଷରେ ସେହି ୫ ମ୍ୟାଚ୍‌ରୁ ମାତ୍ର ଗୋଟିଏ ବିଜୟ ହାସଲ କରି ହାଇଦ୍ରାବାଦ ସବା ଶେଷ ସ୍ଥାନରେ ଲଟକି ରହିଛି। ଚେନ୍ନାଇ ଓ ହାଇଦ୍ରାବାଦ କିନ୍ତୁ ଆଇପିଏଲ୍‌ରେ ସବୁବେଳେ ସ୍ଥିର ପ୍ରଦର୍ଶନ ଦେଇ ଆସିଛନ୍ତି। ଦୁଇଟି ଯାକ ଦଳ ୨୦୧୮ ମସିହା ଫାଇନାଲ୍‌ରେ ମୁହାଁମୁହିଁ ହୋଇଥିଲେ। ସେହି ଟ୍ରଫି ଟକ୍କର ମ୍ୟାଚ୍‌ରେ ବିଜୟୀ ହୋଇ ଚେନ୍ନାଇ ତୃତୀୟ ଥର ପାଇଁ ବିଜେତା ଆଖ୍ୟା ଅର୍ଜନ କରିଥିଲା।

ୟୁଏଇରେ ଖେଳା ଯାଇଥିବା ଗତ ସଂସ୍କରଣରେ ଅବଶ୍ୟ ପରସ୍ପର ବିପକ୍ଷରେ ଖେଳିଥିବା ଦୁଇଟି ମ୍ୟାଚ୍‌ରୁ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ବରାବର ସ୍ଥିତିରେ ରହିଥିଲେ ଚେନ୍ନାଇ ଓ ହାଇଦ୍ରାବାଦ। ୨୦୨୦ ଆଇପିଏଲ୍‌ର ପ୍ରଥମ ମୁକାବିଲାକୁ ହାଇଦ୍ରାବାଦ ରୋମାଞ୍ଚକର ଭାବେ ଜିତି ନେଇଥିଲା। ଅନ୍ୟପକ୍ଷରେ ଦ୍ବିତୀୟ ମ୍ୟାଚ୍‌କୁ ସହଜରେ ଜିତି ଚେନ୍ନାଇ ଏହାର ମଧୁର ପ୍ରତିଶୋଧ ନେଇଥିଲା। ଚଳିତବର୍ଷ ମୁମ୍ବାଇରେ ଖେଳିଥିବା ନିଜ ପ୍ରଥମ ୫ ମ୍ୟାଚ୍‌ରୁ ଚେନ୍ନାଇ ୪ଟିରେ ବିଜୟୀ ହୋଇଥିବାରୁ ଦିଲ୍ଲୀରେ ମଧ୍ୟ ଏହି ଧାରା ବଜାୟ ରଖିବାକୁ ଚାହିବ। ସେପଟେ ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ର ମନ୍ଥର ଓ ଆହ୍ବାନଭରା ପିଚ୍‌ରେ ଖେଳିଥିବା ୫ ମ୍ୟାଚ୍‌ରୁ ୪ଟିରେ ପରାଜିତ ହୋଇଛି ହାଇଦ୍ରାବାଦ। ସେଥିପାଇଁ ଦିଲ୍ଲୀରେ ଖେଳାଯିବାକୁ ଥିବା ପରବର୍ତ୍ତୀ ୫ ମ୍ୟାଚ୍‌ରୁ ଅଧିକରୁ ଅଧିକ ମ୍ୟାଚ୍ ଜିତି ପ୍ଲେ ଅଫ୍ ଦୌଡ଼ରେ ସାମିଲ ହେବାକୁ ହାଇଦ୍ରାବାଦ ନିଶ୍ଚିତ ଭାବେ ବ୍ୟଗ୍ର ଥିବ। ବିଶେଷ କରି ଗତ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ସୁପର ଓଭରରେ ହାରିବାର ଦୁଃଖକୁ ଦୂର କରିବାକୁ ଅଧିନାୟକ ଡେଭିଡ୍ ୱାର୍ଣ୍ଣର ସଂକଳ୍ପବଦ୍ଧ ଥି‌ବେ। କ୍ୟାପଟେନ୍ କୁଲ୍ ମହେନ୍ଦ୍ର ‌ସିଂହ ‌ଧୋନିଙ୍କ ରଣନୀତିକୁ ନବୁଝି ପାରିଲେ ବୁଧବାର ମ୍ୟାଚ୍ ଜିତିବା ମଧ୍ୟ ୱାର୍ଣ୍ଣରଙ୍କ ପାଇଁ ନିଶ୍ଚିତ ଭାବେ କଷ୍ଟକର ହୋଇଯିବ।

ସିଏସ୍‌କେ ସପକ୍ଷରେ ପୂର୍ବ ପରିସଂଖ୍ୟାନ
ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ଓ ସନରା‌ଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ପୂର୍ବ ମ୍ୟାଚ୍‌ଗୁଡ଼ିକୁ ବିଚାରକୁ ନେଲେ ସିଏସ୍‌କେ ଢେର ଆଗରେ ରହିବ। ଆଇପିଏଲ୍‌ରେ ଉଭୟ ଦଳ ପୂର୍ବରୁ ୧୫ ଥର ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ସିଏସ୍‌କେ ୧୧ଟିରେ ବିଜୟୀ ‌ହୋଇଥିଲା ବେଳେ ସନ୍‌ରାଇଜର୍ସ ହାଇଦ୍ରାବାଦ ମାତ୍ର ୪ଟି ମ୍ୟାଚ୍ ଜିତିଛି। ବୁଧବାର ଖେଳାଯିବାକୁ ଥିବା ମ୍ୟାଚ୍ ଉଭୟ ଦଳର ଷୋଡ଼ଶ ମୁକାବିଲା ହେବ। ସିଏସ୍‌କେ-ସନ୍‌ରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍‌ର ସିଏସ୍‌କେ ପକ୍ଷରୁ ସୁରେଶ ରାଇନା ସର୍ବାଧିକ ୪୧୮ ରନ୍ କରିଥିଲା ବେଳେ ଡ୍ବେନ୍ ବ୍ରଭୋ ସର୍ବାଧିକ ୧୭ ୱିକେଟ୍ କରାୟତ୍ତ କରିଛନ୍ତି। ସନ୍‌ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଅଧିନାୟକ ଡେଭିଡ୍ ୱାର୍ଣ୍ଣର ସର୍ବାଧିକ ୩୪୮ ରନ୍ କରିଛନ୍ତି। ଭୁବନେଶ୍ବର କୁମାର ସର୍ବାଧିକ ୮ ୱିକେଟ୍ କରାୟତ କରିଛନ୍ତି। ହେଲେ ଭୁବନେଶ୍ବର ଶତ ପ୍ରତିଶତ ଫିଟ୍ ନଥିବାରୁ ବୁଧବାର ମ୍ୟାଚ୍ ଖେଳିବା ନେଇ ଆଶଙ୍କା ରହିଛି।

ସାର୍‌ଙ୍କ ‘ସୋ’ ଅପେକ୍ଷାରେ ପ୍ରଶଂସକ
ରୟାଲ ଚାଲେଞ୍ଜର୍ସ ବିପକ୍ଷ ପୂର୍ବ ମ୍ୟାଚ୍‌ରେ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଏକାକି ସିଏସ୍‌କେକୁ ବିଜୟୀ କରାଇଥିଲେ। ବ୍ୟାଟିଂ, ବୋଲିଂ, କ୍ଷେତ୍ରରକ୍ଷଣ ତିନିଟି ଯାକ ଦିଗରେ ଆଖିଦୃଶିଆ ପ୍ରଦର୍ଶନ କରି ଆର୍‌ସିବିକୁ ପୂରା ଘାଇଲା କରି ଦେଇଥିଲେ। ସାଥୀ ଖେଳାଳିମାନେ ସ୍ନେହରେ ‘ସାର୍ ଜାଦେଜା’ ଡାକୁଥିବା ରବୀନ୍ଦ୍ରଙ୍କ ପ୍ରେମରେ ପ୍ରତିପକ୍ଷ ଅଧିନାୟକ ବିରାଟ କୋହଲି ମଧ୍ୟ ପଡ଼ି ଯାଇଥିଲେ। ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ସେ ଏହି ପ୍ରଦର୍ଶନକୁ ଦୋହରାଇବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ସିଏସ୍‌କେର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଫାଫ୍ ଡୁ’ପ୍ଲେସିସ୍ ଓ ଋତୁରାଜ ଗାଏକ୍ବାଡ୍ ମଧ୍ୟ ଭଲ ଫର୍ମରେ ଅଛନ୍ତି। ତୃତୀୟ ସ୍ଥାନରେ ବ୍ୟାଟିଂ କରୁଥିବା ମୋଇନ ଅଲ୍ଲୀ ଓ ଚତୁର୍ଥରେ ଆସୁଥିବା ସୁରେଶ ରାଇନାଙ୍କର ଯେ କୌଣସି ମ୍ୟାଚ୍‌ର ଗତିପଥ ବଦଳାଇ ଦେବାର ପୂରା ଦକ୍ଷତା ରହିଛି। ସନ୍‌ରାଇଜର୍ସ ସ୍ପିନର ରସିଦ ଖାନ୍ ଏମାନଙ୍କ ପାଇଁ ବିପଦ ହୋଇ ପାରନ୍ତି। ହେଲେ ରସିଦଙ୍କୁ ଛାଡ଼ିଦେଲେ ଏହି ଦଳର ବୋଲିଂ ବାହିନୀ ସେତେଟା ଶକ୍ତିଶାଳୀ ମନେ ହେଉନି। ଭୁବନେଶ୍ବରଙ୍କୁ ନେଇ ଆଶଙ୍କା ଲାଗି ରହିଛି। ଟି. ନଟରାଜନ ପୂରା ଋତୁରୁ ବାଦ ପଡ଼ିସାରିଛନ୍ତି। ସନ୍‌ରାଇଜର୍ସର ବ୍ୟାଟିଂ ମଧ୍ୟ ୱାର୍ଣ୍ଣର, ଜନି ବେୟାରଷ୍ଟୋ ଓ କେନ୍ ୱିଲିୟମସନ୍‌ଙ୍କ ଉପରେ ପୂରା ନିର୍ଭରଶୀଳ। ଚେନ୍ନାଇ ପାଖରେ କିନ୍ତୁ ବେଶ୍ ଦକ୍ଷ ବୋଲର ରହିଛନ୍ତି। ଦୀପକ ଚହର, ସାମ୍ କରନ ଦ୍ରୁତ ବୋଲିଂ ବିଭାଗକୁ ସମ୍ଭାଳୁଥିଲା ବେଳେ ଜାଦେଜା ଓ ତାହିର ଯେ କୌଣସି ବ୍ୟାଟିଂ କ୍ରମକୁ ଧ୍ବସ୍ତ କରିବାର ଦକ୍ଷତା ରଖନ୍ତି। ଅଧିନାୟକ ଧୋନିଙ୍କ ବ୍ୟାଟ୍ ଏବେ ସୁଦ୍ଧା ଶାନ୍ତ ରହିବା ତାଙ୍କ ପ୍ରଶଂସକଙ୍କୁ ଅବଶ୍ୟ ଟିକିଏ ନିରାଶ କରିଛି। ଅଲରାଉଣ୍ଡର ଡ୍ବେନ୍ ବ୍ରଭୋ ବି ସେତେଟା ସୁଯୋଗ ପାଇ ନାହାନ୍ତି। ସନ୍‌ରାଇଜର୍ସ ବିପକ୍ଷରେ ଉଭୟ ନିଜ ପୁରୁଣା କମାଲ ଦେଖାଇବା ଆଶାରେ ରହିବେ।

ସନ୍‌ରାଇଜର୍ସ ହାଇଦ୍ରାବାଦ ଦଳ: ଡେଭିଡ୍ ୱାର୍ଣ୍ଣର (ଅଧିନାୟକ), କେନ୍ ୱିଲିୟମସନ୍, ବିରାଟ ସିଂହ, ମନୀଷ ପା‌ଣ୍ଡେ, ପ୍ରିୟମ ଗର୍ଗ, ରିଦ୍ଧିମାନ ସାହା, ଜନି ବେୟାରଷ୍ଟୋ, ଜାସନ ରୟ, ଶ୍ରୀବତ୍ସ ଗୋସ୍ବାମୀ, ବିଜୟ ଶଙ୍କର, ମହମ୍ମଦ ନବି, କେଦାର ଯାଦବ, ଜେ ସ୍କିଟ୍, ଜାସନ ହୋଲ୍ଡର, ଅଭିଷେକ ଶର୍ମା, ଅବଦୁଲ ସମାଦ, ଭୁବନେଶ୍ବର କୁମାର, ରସିଦ ଖାନ୍, ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ, ସିଦ୍ଧାର୍ଥ ‌‌କୌଲ, ବସିଲ ଥମ୍ପି, ଶାହବାଜ ନଦୀମ, ମୁଜିବ ଉର ରହମାନ।

ଚେନ୍ନାଇ ସୁପର୍‌ କିଙ୍ଗ୍ସ ଦଳ: ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ସୁରେଶ ରାଇନା, ଅମ୍ବାତି ରାୟୁଡୁ, କେଏମ୍ ଅସିଫ, ଦୀପକ ଚହର, ଡ୍ବେନ୍ ବ୍ରାଭୋ, ଫାଫ୍ ଡୁ’ପ୍ଲେସିସ୍, ଇମ୍ରାନ ତାହିର, ଏନ୍ ଜଗଦୀଶାନ, କର୍ଣ୍ଣ ଶର୍ମା, ଲୁଙ୍ଗି ଏନ୍‌ଗିଡ଼ି, ମିଚେଲ ସାଣ୍ଟନର, ରବୀନ୍ଦ୍ର ଜାଦେଜା, ଋତୁରାଜ ଗାଏକ୍ବାଡ୍, ଶାର୍ଦୁଳ ଠାକୁର, ସାମ୍ କରନ, ଆର ସାଇକିଶୋର, ମୋଇନ ଅଲ୍ଲୀ, କେ ଗୌତମ, ଚେତେଶ୍ବର ପୂଜାରା, ହରିଶଙ୍କର ରେଡ୍ଡୀ, ଭଗତ ବର୍ମା, ସି ହରି ନିଶାନ୍ତ।

ସମ୍ବନ୍ଧିତ ଖବର