ଆଇପିଏଲ୍‌ ମହାସଂଗ୍ରାମ: ଆଜି କିଙ୍ଗ୍ସ-କେକେଆର୍‌ ଭେଟ

ଅହମ୍ମଦାବାଦ : ମୁମ୍ବାଇ ଇଣ୍ଡିଆନ୍ସକୁ ୯ ୱିକେଟ୍‌ରେ ହରାଇ ବିଜୟ ଧାରାକୁ ଫେରିଥିବା ପଞ୍ଜାବ କିଙ୍ଗ୍ସ ସୋମବାର ତାର ପରବର୍ତ୍ତୀ ମ୍ୟାଚ୍‌ରେ ପୂର୍ବ ବିଜେତା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌)କୁ ଭେଟିବ। ଲଗାତାର ତିନିଟି ପରାଜୟ ପରେ ବିଜୟର ମିଠାମିଠା‌ ସ୍ବାଦ ଚାଖିଥିବା କେଏଲ୍ ରାହୁଲଙ୍କ ଦଳ ନିଶ୍ଚିତ ଏହି ଧାରାକୁ ବଜାୟ ରଖିବାକୁ ଚାହିବ। ଅନ୍ୟପକ୍ଷରେ ଲଗାତାର ଚାରିଟି ପରାଜୟ ବରଣ କରିଥିବା କେକେଆର୍‌ ପାଇଁ ନିଜ ପ୍ଲେ ଅଫ୍ ଅଭିଯାନକୁ ଟ୍ରାକ୍‌ରେ ରଖିବା ଲାଗି ଏହି ମ୍ୟାଚ୍‌କୁ ଜିତିବାକୁ ପଡ଼ିବ। ଉଭୟ ଦଳରେ ଏକାଧିକ ପ୍ରତିଭାବାନ ଖେଳାଳି ଥିବାରୁ ଆସନ୍ତାକାଲିର ମ୍ୟାଚ୍‌ ବେଶ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ତେବେ ଉଭୟ ଦଳ ନିଜ ନିଜର ମୁମ୍ବାଇ ଓ ଚେନ୍ନାଇ ପର୍ଯ୍ୟାୟ ଲିଗ୍ ମ୍ୟାଚ୍‌କୁ ଶେଷ କରି ଅହମ୍ମଦାବାଦରେ ପ୍ରଥମ ଥର ଖେଳିବାକୁ ଯାଉଛନ୍ତି। ଆଉ ମ୍ୟାଚ୍ ନବନିର୍ମିତ ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ଷ୍ଟାଡିୟମ୍‌ର ପିଚ୍ ଓ ପରିବେଶ ଉଭୟ ଦଳ ପାଇଁ ନୂଆ ଆହ୍ବାନ ନେଇ ଆସିବ। ପଞ୍ଜାବ କିଙ୍ଗ୍ସ ତୃତୀୟ ଏବଂ କେକେଆର୍‌ ଦ୍ବିତୀୟ ବିଜୟ ଲାଗି ଲଢ଼େଇ କରିବ।

ପଞ୍ଜାବ କିଙ୍ଗ୍ସର ବ୍ୟାଟିଂ ବାହିନୀ କଥା ବିଚାରକୁ ନେଲେ ଅଧିନାୟକ ରାହୁଲ ହିଁ ଏହି ଦଳ ପକ୍ଷରୁ ସ୍ଥିର ପ୍ରଦର୍ଶନ ଦେଇଆସୁଛନ୍ତି। ଆଇପିଏଲ୍‌ର ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ବହୁମୂଲ୍ୟ ବିଜୟରେ ରାହୁଲ ପ୍ରମୁଖ ଯୋଗଦାନ ଦେଇଥିଲେ। ଚଳିତ ଋତୁରେ ତୃତୀୟ ଅର୍ଦ୍ଧଶତକ ଅର୍ଜନ କରିବା ସହ ୬୦ ରନ୍‌ର ଅପରାଜିତ ପାଳି ଖେଳିଥିଲେ। ମୟଙ୍କ ଅଗ୍ରୱାଲ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି। ତେବେ ପଞ୍ଜାବ କିଙ୍ଗ୍ସ ପାଇଁ ସବୁଠାରୁ ବଡ଼ ଭଲ ଖବର ହେଲା ୟୁନିଭର୍ସ ବସ୍ କ୍ରିସ୍‌ ଗେଲ୍ ଫର୍ମକୁ ଫେରିବା। ଚାରିଟି ଅସ୍ଥିର ପ୍ରଦର୍ଶନ ପରେ ଗେଲ୍ ମୁମ୍ବାଇ ବିପକ୍ଷରେ ୪୩ ରନ୍‌ର ଅପରାଜିତ ପାଳି ଖେଳିବା ଦଳର ଆତ୍ମବିଶ୍ବାସକୁ ନିଶ୍ଚିତ ବଢ଼ାଇଥିବ। ପଞ୍ଜାବକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ମାତ୍ର ଗୋଟିଏ ଅର୍ଦ୍ଧଶତକୀୟ ପାଳି ପରେ ଶାନ୍ତ ରହିଥିବା ଦୀପକ ହୁଦାଙ୍କ ବ୍ୟାଟ୍‌କୁ ପୁନର୍ବାର ଗର୍ଜିବାକୁ ପଡ଼ିବ। ପୂର୍ବ କିଛି ମ୍ୟାଚ୍‌ରେ ସେତେଟା ଭଲ ପ୍ରଦର୍ଶନ କରି ନଥିବା ପଞ୍ଜାବ ବୋଲରମାନେ ଗତ ମ୍ୟାଚ୍‌ରେ ଅପେକ୍ଷାକୃତ ଶୃଙ୍ଖଳିତ ଓ ସଠିକ୍ ବୋଲିଂ କରିଥିଲେ। ରବି ବିଷ୍ଣୋଇ (୨/୨୧) ଓ ବରିଷ୍ଠ ଦ୍ରୁତ ବୋଲର ମହମ୍ମଦ ସାମି (୨/୨୧)ଙ୍କ ସହ ଯୁବ ତାରକା ଅର୍ଶଦୀପ ସିଂହ ( ୫ ମ୍ୟାଚ୍‌ରୁ ୬ ୱିକେଟ୍) ମଧ୍ୟ ଶାଣିତ ବୋଲିଂ କରି ତାରକା ଖଚିତ ମୁମ୍ବାଇ ବ୍ୟାଟିଂକ୍ରମକୁ ଧରାଶାୟୀ କରିଥିଲେ। ସଂଘର୍ଷରତ କେକେଆର୍‌ ପାଇଁ କିନ୍ତୁ ସମସ୍ୟା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି।

ଇଂଲଣ୍ଡର ବିଶ୍ବକପ୍ ବିଜୟୀ ଦଳର ଅଧିନାୟକ ଇଅନ ମୋର୍ଗାନଙ୍କ ଅଧିନାୟକତ୍ବରେ ଖେଳୁଥିବା କେକେଆର ନିଜ ପ୍ରଥମ ପାଞ୍ଚଟି ମ୍ୟାଚ୍‌ରୁ ମାତ୍ର ଗୋଟିଏ ବିଜୟ ହାସଲ କରି ପଏଣ୍ଟ ତାଲିକାର ସବାଶେଷ ସ୍ଥାନରେ ରହିଛି। ଦଳର ପ୍ରଦର୍ଶନ ମଧ୍ୟ ଲଗାତାର ଖରାପ ହୋଇଚାଲିଛି। ଦଳର ଶୀର୍ଷ ୫ ବ୍ୟାଟର୍‌ କ୍ରମାଗତ ଭାବେ ସଂଘର୍ଷ କରୁଛନ୍ତି। କେବଳ ନୀତୀଶ ରାଣା (୨ ଅର୍ଦ୍ଧଶତକ) ଓ ଦୀନେଶ କାର୍ତ୍ତିକ ନିଜ କର୍ତ୍ତବ୍ୟ ଠିକ୍ ଭାବେ ତୁଲାଇଛନ୍ତି। ଅଲରାଉଣ୍ଡର ପ୍ୟାଟ୍ କମିନ୍ସ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ୬୬ ରନ୍‌ର ଅତୁଳନୀୟ ପାଳି ଖେଳିଥିଲେ। ଏହା ସତ୍ତ୍ବେ କେକେଆର୍‌ ଏହି ମ୍ୟାଚ୍‌କୁ ୧୮ ରନ୍‌ରେ ହାରି ଯାଇଥିଲା। ନିଜେ ମୋର୍ଗାନ ଅନ୍ୟନ୍ତ ଖରାପ ପ୍ରଦର୍ଶନ କରିଥିଲା ବେଳେ ଯୁବ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶୁବମନ ଗିଲ୍ ମଧ୍ୟ ନିରାଶ କରିଛନ୍ତି। ଗିଲ୍ ଗତ ୫ ପାଳିରୁ ୮୦ ରନ୍ କରିଥିବା ବେଳେ ମୋର୍ଗାନ କେବଳ ୪୫ ରନ୍ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ସ୍ପିନର ସୁନିଲ ନାରାୟଣ ଖେଳିଥିବା ଦୁଇଟି ମ୍ୟାଚ୍‌ରେ ଯଥାକ୍ରମେ ୪ ଓ ୬ ରନ୍ କରିଛନ୍ତି। ବୋଲିଂ ବିଭାଗରେ ଆନ୍ଦ୍ରେ ରସେଲ, ବରୁଣ ଚକ୍ରବର୍ତ୍ତୀ ଓ ପ୍ରସିଦ୍ଧକୃଷ୍ଣ ବହୁତ ଭଲ ନହେଲେ ମଧ୍ୟ ଯଥାକ୍ରମେ ୭, ୬, ୫ ୱିକେଟ୍ ନେଇ ନିଜ ନିଜ ଦାୟିତ୍ବ ଠିକ୍ ଭାବେ ତୁଲାଉଛନ୍ତି। ଦଳର ସବୁଠାରୁ ମହଙ୍ଗା ଓ ଦାମୀ ବୋଲର କମିନ୍ସ ୫ ମ୍ୟାଚ୍‌ରୁ ୪ ୱିକେଟ୍ ନେଇ ଏପର୍ଯ୍ୟନ୍ତ ଦକ୍ଷତା ମୁତାବକ ପ୍ରଦର୍ଶନ ଦେଇ ପାରିନାହାନ୍ତି। ଏସବୁ ଦୋଷ ଦୁର୍ବଳତା ଦୂର କରିପାରିଲେ ହିଁ କେକେଆର୍‌ ପୁଣି ଥରେ ବିଜୟ ଧାରାକୁ ଫେରିପାରିବ। ପୂର୍ବ ପ୍ରଦର୍ଶନକୁ ବିଚାରକୁ ନେଲେ ଉଭୟ ଦଳ ଆଇପିଏଲ୍‌ର ଗତ ୧୩ ସଂସ୍କରଣରେ ପରସ୍ପର ବିପକ୍ଷରେ ୨୭ ମ୍ୟାଚ୍ ଖେଳିଛନ୍ତି। ସେଥିମଧ୍ୟରୁ କେକେଆର୍‌ ୧୮ ମ୍ୟାଚ୍ ଜିତିଥିଲା ବେଳେ ପଞ୍ଜାବ କିଙ୍ଗ୍ସ ତାର ଅଧା ଅର୍ଥାତ୍ ମାତ୍ର ୯ ମ୍ୟାଚ୍ ଜିତିଛି। ୟୁଏଇରେ ଖେଳାଯାଇଥିବା ଆଇପିଏଲ୍‌ର ଗତ ସଂସ୍କରଣରେ ଦୁଇ ଦଳ ଦୁଇଟି ମ୍ୟାଚ୍‌ରେ ଭେଟାଭେଟି ହୋଇଥିଲେ। ସେଥିମଧ୍ୟରୁ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ବରାବର ସ୍ଥିତିରେ ରହିଥିଲେ।

ପଞ୍ଜାବ କିଙ୍ଗ୍ସ: କେଏଲ୍ ରାହୁଲ୍ (ଅଧିନାୟକ ଓ ୱିକେଟରକ୍ଷକ), ମୟଙ୍କ ଅଗ୍ରୱାଲ, କ୍ରିସ୍‌ ଗେଲ୍‌, ମନଦୀପ ସିଂହ, ପ୍ରବସିମ୍ରନ ସିଂହ, ନିକୋଲାସ୍‌ ପୂରନ (ୱିକେଟରକ୍ଷକ), ସର୍ଫରାଜ ଖାନ୍, ଦୀପକ ହୁଦା, ମୁରୁଗାନ ଅଶ୍ବିନ, ରବି ବିଷ୍ଣୋଇ, ହରପ୍ରୀତ୍ ବ୍ରାର୍‌, ମହମ୍ମଦ ସାମି, ଅର୍ଶଦୀପ ସିଂହ, ଇଶାନ ପୋରେଲ, ଦର୍ଶନ ନାଲକାଣ୍ଡେ, କ୍ରିସ୍‌ ଜୋର୍ଡାନ, ଦାୱିଦ ମଲାନ, ଝାଏ ରିଚାର୍ଡସନ୍‌, ଶହାରୁଖ୍‌ ଖାନ୍‌, ରିଲି ମେରେଡିଥ୍‌, ମୋଜେସ ହେନରିକ୍ସ, ଜଲଜ ସା‌କ୍ସେନା, ଉତ୍କର୍ଷ ସିଂହ, ଫାବିଏଁ ଆଲେନ,‌‌‌ ସୌରଭ କୁମାର।

କୋଲକାତା ନାଇଟ୍ ରାଇଡର୍ସ ଦଳ: ଇଅନ୍ ମୋର୍ଗାନ୍ (ଅଧିନାୟକ), ଦୀନେଶ କାର୍ତ୍ତିକ, ଶୁବମନ ଗିଲ୍‌, ନୀତିଶ ରାଣା, ଟିମ୍ ସିଫର୍ଟ, ରିଙ୍କୁ ସିଂହ, ଆନ୍ଦ୍ରେ ରସେଲ, ସୁନିଲ ନାରାୟଣ, କୁଲଦୀପ ଯାଦବ, ଶିଭମ ମାଭି, ଲୋକି ଫର୍ଗୁସନ୍, ପ୍ୟାଟ୍ କମିନ୍ସ, କମଲେଶ ନାଗରକୋଟି, ସନ୍ଦୀପ ୱାରିୟର୍, ପ୍ରସିଦ୍ଧ କୃଷ୍ଣ, ରାହୁଲ ତ୍ରିପାଠୀ, ବରୁଣ ଚକ୍ରବର୍ତ୍ତୀ, ସକିବ୍ ଅଲ୍ ହାସନ୍‌, ସେଲଡନ୍‌ ଜ୍ୟାକସନ୍‌, ‌ବୈଭବ ଆରୋରା, ହରଭଜନ ସିଂହ, କରୁଣ ନାୟାର୍‌, ବେନ୍‌ କଟିଂ, ଭେଙ୍କଟେଶ ଆୟର୍‌, ପବନ ନେଗି।

ସମ୍ବନ୍ଧିତ ଖବର