ଆଇପିଏଲ୍‌ ମହାସଂଗ୍ରାମ: ଦିଲ୍ଲୀ‌ରେ ଆଜି ମୁମ୍ବାଇ-ଚେନ୍ନାଇ ମୁକାବିଲା

ନୂଆଦିଲ୍ଲୀ : ଶନିବାର ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଖେଳାଯିବ ଆଇପିଏଲ୍‌ର ଏକ ହାଇଭୋ‌ଲଟେଜ୍‌ ମୁକାବିଲା। ଆଇପିଏଲ୍‌ ଇତିହାସର ଦୁଇ ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ରହିଛି ଚେନ୍ନାଇ ସୁପର୍‌ କିଙ୍ଗ୍ସ। ଏହି ମୁକାବିଲାକୁ ବହୁ ପ୍ରଶଂସକ ଅପେକ୍ଷା କରିଥା’ନ୍ତି। କାରଣ ଉଭୟ ଦଳର ବଡ଼ ପ୍ରଶଂସକ ‌ଗ୍ରୁପ୍‌ ରହିଛନ୍ତି। ପ୍ରାଧାନ୍ୟ ବିସ୍ତାର କରିଆସୁଥିବା ଏହି ଦୁଇ ଦଳର ଲଢ଼େଇ ମଧ୍ୟ ରୋମାଞ୍ଚ, ଉତ୍କଣ୍ଠା ଓ ନାଟକୀୟ ମୁହୂର୍ତମାନ ଦେଖାଇବାର ପ୍ରତିଶ୍ରୁତି ରଖିଛନ୍ତି। ରୋହିତ ଶର୍ମା ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଚଳିତ ବର୍ଷ ଭଲ ସମୟ ଦେଇ ଗତି କରୁଛନ୍ତି। କେବଳ ରୋହିତ ଶର୍ମାଙ୍କ ଦଳ ସାମାନ୍ୟ ଅସ୍ଥିର ରହି ୬ରୁ ୩ ମ୍ୟାଚ୍‌ ଜିତିଥିବା ବେଳେ ‌ଧୋନି ବାହିନୀ ପ୍ରଥମ ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ହରିବା ପରଠାରୁ କ୍ରମାଗତ ୫ ମ୍ୟାଚ୍‌ ଜିତିସାରିଛି। ଚେନ୍ନାଇ ଏକ୍ସପ୍ରେସ୍‌କୁ ରୋହିତ ଶର୍ମାଙ୍କ ଦଳ ରୋକିପାରିବ କି ନା ଦେଖିବାର ଅଛି। ଉଭୟ ଦଳ ନିଜ ନିଜ ଗତ ମ୍ୟାଚ୍‌ରେ ସମାନ ୭ ୱିକେଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ରାଜସ୍ଥାନ ରୟାଲ୍ସକୁ ଏବଂ ଚେନ୍ନାଇ ସୁପର୍‌ କିଙ୍ଗ୍ସ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଥିଲା। ସେହି ଦୃଷ୍ଟିରୁ ଉଭୟ ଦଳ ବିଜୟ ଧାରାକୁ ଆଗକୁ ନେବାକୁ ଚାହିଁବେ।

ମୁମ୍ବାଇ ପାଇଁ ସବୁଠାରୁ ବଡ଼ କଥା ହେଉଛି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ କ୍ବିଣ୍ଟନ୍ ଡି’କକ୍‌ ଫର୍ମକୁ ଫେରିବା। ରାଜସ୍ଥାନ ରୟାଲ୍‌ସ ବିପକ୍ଷରେ ସେ ବିସ୍ଫୋରକ ୭୦ ରନ୍‌ କରିଥିଲେ। ବିଗିଡି ଯାଉଥିବା ମୁମ୍ବାଇର ମଧ୍ୟକ୍ରମ ମଧ୍ୟ ଏହି ମ୍ୟାଚ୍‌ରେ ସଜାଡି ହୋଇଯିବା ଭଳି ବିଶ୍ବାସ ଦେଇଛି। ସୂର୍ଯ୍ୟକୁମାର ଯାଦବ ତାଙ୍କ ଭଲ ଆରମ୍ଭକୁ ବଡ଼ ପାଳିରେ ପରିଣତ କରିବାର ଆବଶ୍ୟକତା ରହିଛି। କ୍ରୁନାଲ ପାଣ୍ଡ୍ୟା ମଧ୍ୟ ରାଜସ୍ଥାନ ବିପକ୍ଷରେ ଛୋଟ କିନ୍ତୁ ଉପ‌ଯୋଗୀ ପାଳି ଖେଳିଥିଲେ। କିରଣ ପୋଲାର୍ଡ ମଧ୍ୟ ଭଲ ବ୍ୟାଟିଂ କରି ମ୍ୟାଚ୍‌ ଫିନିସ୍‌ କରିଥିଲେ। ଚେନ୍ନାଇ ପିଚ୍‌ରେ ସଂଘର୍ଷ କରୁଥିବା ମୁମ୍ବାଇ ଦିଲ୍ଲୀର ବ୍ୟାଟିଂ ଟ୍ରାକ୍‌ରେ ନିଶ୍ଚିତ ବଡ଼ ସ୍କୋର୍‌ କରିବାର ଦକ୍ଷତା ରଖିଛି। ଦଳର ଦୁଇ ଦ୍ରୁତ ବୋଲର ଯଶ୍‌ପ୍ରୀତ୍‌ ବୁମରା ଏବଂ ଟ୍ରେଣ୍ଟ୍ ବୋଲ୍ଟ ମଧ୍ୟ ପ୍ରଭାବୀ ରହିଛନ୍ତି। ବିଶେଷ କରି ଡେଥ୍‌ ଓଭର ଗୁଡିକରେ ଚମତ୍କାର ପ୍ରଦର୍ଶନ କରୁଥିବାରୁ ଚେନ୍ନାଇ ସୁପର୍‌ କିଙ୍ଗ୍ସ ବ୍ୟାଟରକୁ ଅଡୁଆରେ ପକାଇବାର କ୍ଷମତା ରଖିଛନ୍ତି। ଲେଗ୍‌ସ୍ପିନର୍‌ ରାହୁଲ ଚହର ୧୧ ୱିକେଟ୍ ସହ ଦଳର ଅଗ୍ରଣୀ ୱିକେଟ୍‌ଦଖଲକାରୀ ରହିଛନ୍ତି। ତାଙ୍କ ସ୍ପିନ୍‌ ସାଥୀ କ୍ରୁନାଲ୍‌ ଓ ଜୟନ୍ତ ଯାଦବ କିନ୍ତୁ ପ୍ରଭାବୀ ହୋଇପାରିନାହାନ୍ତି। ଗତ ମ୍ୟାଚ୍‌ରେ ନାଥନ୍ କୁଲଟର୍‌ ନାଇଲଙ୍କୁ ମୁମ୍ବାଇ ଈଶାନ କିଶନଙ୍କ ବଦଳରେ ଖେଳାଇଥିଲା। ଈଶାନଙ୍କୁ ପ୍ରତ୍ୟାବର୍ତନ ସୁଯୋଗ ମିଳିଲେ ପୋଲାର୍ଡଙ୍କୁ ନିଶ୍ଚିତ କିଛି ଓଭର ବୋଲିଂ କରିବାକୁ ପଡ଼ିବ।

ଅନ୍ୟପକ୍ଷରେ ଚେନ୍ନାଇ ସୁପର୍ କିଙ୍ଗ୍ସର ପ୍ରାରମ୍ଭିକ ଯୋଡ଼ି ଫାପ୍ ଡୁ ପ୍ଲେସିସ୍‌ (୨୭୦ ରନ୍‌) ଓ ଋତୁରାଜ ଗାଏକ୍ବାଡ (୧୯୨ ରନ୍‌) ଭଲ ଫର୍ମରେ ଥିବାରୁ ଦଳ ୬ରୁ ୫ ବିଜୟ ପାଇଛି। ଉଭୟ ଯଦି ଦଳକୁ ପୁଣି ଥରେ ଭଲ ଆରମ୍ଭ ଦେଉଛନ୍ତି ମୁ୍ମ୍ବାଇ ପାଇଁ କଷ୍ଟକର ହେବ। ପିଞ୍ଚ୍‌ ହିଟର୍‌ ଭୂମିକାକୁ ମୋଇନ୍ ଅଲୀ ଭଲ ଭାବେ ଉପଯୋଗ କରି ୧୫୫ ଷ୍ଟ୍ରାଇକ୍ ରେଟରେ ୧୪୮ ରନ୍‌ ସଂଗ୍ରହ କରିଛନ୍ତି। ସୁରେଶ ରାଇନା, ଅମ୍ବାତି ରାୟୁଡୁ, ରବୀନ୍ଦ୍ର ଜାଦେଜା ଦଳର ମଧ୍ୟକ୍ରମ ସମ୍ଭାଳିବାକୁ ଢେର ଦକ୍ଷତା ରଖିଛନ୍ତି। ମହେନ୍ଦ୍ର ସିଂହ ଧୋନି ଏବଂ ସାମ୍ କରନଙ୍କ ବ୍ୟାଟିଂ ଏତେ ପରୀକ୍ଷାରେ ପଡ଼ିନାହିଁ। ଦଳର ୬ ମ୍ୟାଚ୍‌ରୁ ଧୋନି ଗୋଟିଏ ବି ଭଲ ପାଳି ଖେଳିପାରିନାହାନ୍ତି। ରବୀନ୍ଦ୍ର ଜାଦେଜାଙ୍କ ବ୍ୟାଟିଂ ଷ୍ଟ୍ରାଇକ୍ ରେଟ୍‌ (୧୮୪) ମଧ୍ୟ ଏବି ଡି’ଭିଲିୟର୍ସ ଓ ଆନ୍ଦ୍ରେ ରସେଲଙ୍କଠାରୁ ଆଗରେ ରହିଛି। ବୋଲିଂ ବିଭାଗରେ କିନ୍ତୁ ଦୀପକ ଚହର, ସାମ୍ କରନ୍‌ ନୂଆ ବଲ୍‌କୁ ଭଲ ଉପଯୋଗ କରିଛନ୍ତି। ମୁମ୍ବାଇର ମଧ୍ୟକ୍ରମ ବ୍ୟାଟିଂ ଦୁର୍ବଳତାକୁ ଏମାନେ ପଦାରେ ପକାଇ ଫାଇଦା ଉଠାଇବେ ବୋଲି ଆଶା କରାଯାଉଛି। ଦୁଇ ଦଳର ମୋଟ ୩୦ ଥର ମୁହାଁମୁହିଁ ମୁକାବିଲାରୁ ମୁମ୍ବାଇ ୧୮ ଜିତିଥିବାରୁ ରୋହିତ ଶର୍ମାଙ୍କ ପାଖରେ କିନ୍ତୁ ଆତ୍ମବିଶ୍ବାସ ଅଧିକ ରହିବ।

ମୁମ୍ବାଇ ଇଣ୍ଡିଆନ୍ସ ଦଳ: ରୋହିତ ଶର୍ମା (ଅଧିନାୟକ), ଈଶାନ କିଶନ, କ୍ବିଣ୍ଟନ୍ ଡି’କକ୍‌, ରାହୁଲ ଚହର, ସୌରଭ ତିୱାରୀ, ସୂର୍ଯ୍ୟକୁମାର ଯାଦବ, ଟ୍ରେଣ୍ଟ୍ ବୋଲ୍ଟ, ଆଦାମ ମିଲନେ, ନାଥନ୍ କୁଲଟର୍ ନାଇଲ, ପୀୟୂଷ ଚାୱଲା, ଜିମ୍ମି ନିସାମ, ଆଦିତ୍ୟ ତାରେ, କ୍ରୁନାଲ ପାଣ୍ଡ୍ୟା, ‌ମୋହସିନ୍‌ ଖାନ୍‌, ଅନୁକୂଳ ରାୟ, ଅନମୋଲପ୍ରୀତ୍ ସିଂହ, କ୍ରିସ୍‌ ଲିନ୍, ଧବଲ କୁଲକର୍ଣ୍ଣି, ହାର୍ଦିକ ପାଣ୍ଡ୍ୟା, ଯଶପ୍ରୀତ୍ ବୁମରା, ଜୟନ୍ତ ଯାଦବ, କିରଣ ପୋଲାର୍ଡ, ଯୁଦ୍ଧବୀର ଚରକ, ମାର୍କୋ ଜେନସେନ୍‌, ଅର୍ଜୁନ ତେନ୍ଦୁଲକର।

ଚେନ୍ନାଇ ସୁପର୍‌ କିଙ୍ଗ୍ସ ଦଳ: ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ସୁରେଶ ରାଇନା, ଅମ୍ବାତି ରାୟୁଡୁ, କେଏମ୍ ଆସିଫ, ଦୀପକ ଚହର, ଡ୍ବେନ୍ ବ୍ରାଭୋ, ଫାଫ୍ ଡୁ’ପ୍ଲେସିସ୍, ଇମ୍ରାନ ତାହିର, ଏନ୍ ଜଗଦୀଶାନ, କର୍ଣ୍ଣ ଶର୍ମା, ଲୁଙ୍ଗି ଏନ୍‌ଗିଡ଼ି, ମିଚେଲ ସାଣ୍ଟନର, ରବୀନ୍ଦ୍ର ଜାଦେଜା, ଋତୁରାଜ ଗାଏକ୍ବାଡ୍, ଶାର୍ଦୁଳ ଠାକୁର, ସାମ୍ କରନ, ଆର ସାଇକିଶୋର, ମୋଇନ ଅଲ୍ଲୀ, କେ ଗୌତମ, ଚେତେଶ୍ବର ପୂଜାରା, ହରିଶଙ୍କର ରେଡ୍ଡୀ, ଭଗତ ବର୍ମା, ସି ହରି ନିଶାନ୍ତ।

ସମ୍ବନ୍ଧିତ ଖବର