ଆଇପିଏଲ୍‌ ମହାସଂଗ୍ରାମ: ଆଜି ପଞ୍ଜାବ-ବାଙ୍ଗାଲୋର ମୁହାଁମୁହିଁ, କୋହଲିଙ୍କୁ କାଟିପାରିବେ କି ରାହୁଲ?

ଅହମଦାବାଦ : ଆଇପିଏଲ୍‌-୨୦୨୧ର ଆଉ ଏକ ପ୍ରତୀକ୍ଷିତ ମ୍ୟାଚ୍‌ରେ ଶୁକ୍ରବାର ପ୍ରଥମ ଟ୍ରଫି ଲକ୍ଷ୍ୟରେ ଥିବା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ମୁକାବିଲା କରିବ ନୂଆ ନାଁ ନେଇ ଖେଳୁଥିବା ପଞ୍ଜାବ କିଙ୍ଗ୍ସ। ୬ ମ୍ୟାଚ୍‌ରୁ ୧୦ ପଏଣ୍ଟ ଅର୍ଜନ କରି ଦୃଢ଼ ସ୍ଥିତିରେ ଥିବା ଆର୍‌ସିବି ଅପେକ୍ଷା କେବଳ ଦୁଇଟି ବିଜୟ ସହ ୪ ପଏଣ୍ଟ ହାସଲ କରିଥିବା ପଞ୍ଜାବ କିଙ୍ଗ୍ସ ପାଇଁ ଏହି ମ୍ୟାଚ୍ ଅଧିକ ଗୁରୁତ୍ବ ବହନ କରିବ। ବିରାଟ ‌କୋହଲିଙ୍କ ନେତୃତ୍ବାଧୀନ ଆର୍‌ସିବି ଲଗାତାର ଚାରିଟି ବିଜୟ ହାସଲ କରିବା ପରେ ପଞ୍ଚମ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସଠାରୁ ୬୯ ରନ୍‌ରେ ହାରି ଯାଇଥିଲା। ତେବେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଗତ ମ୍ୟାଚ୍‌କୁ ରୋମାଞ୍ଚକର ଭାବେ ୧ ରନ୍‌ରେ ଜିତି ନେଇ ବିଜୟ ଧାରାକୁ ଫେରିଥିଲା। ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ବାଜି ମାରିବା ପରେ ଆର୍‌ସିବିର ଆତ୍ମବିଶ୍ବାସ ମଧ୍ୟ ଆହୁରି ଉଚ୍ଚରେ ଥିବ। ଅନ୍ୟପକ୍ଷରେ ସଠିକ୍ ସନ୍ତୁଳନ ପାଇଁ ସଂଘର୍ଷ କରୁଥିବା କେଏଲ୍ ରାହୁଲଙ୍କ ପଞ୍ଜାବ କିଙ୍ଗ୍ସ ତା’ର ପୂର୍ବ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସଠାରୁ ୫ ୱିକେଟ୍‌ରେ ପରାଜିତ ହୋଇଥିଲା। ସବୁଠାରୁ ବଡ଼ କଥା ହେଲା ଚଳିତ ଋତୁରେ ରାହୁଲଙ୍କ ଦଳ ଯେଉଁ ତିନି ଥର ପ୍ରଥମେ ବ୍ୟାଟିଂ କରିଛି, ସେଥିରେ ୧୦୬, ୧୨୦ ଓ ୧୨୩ ରନ୍‌ର ଛୋଟିଆ ସ୍କୋର କରିପାରିଛି। ତାଙ୍କ ଛଡ଼ା ଦଳର ଆପାତତଃ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ୍ ଅସ୍ଥିର ପ୍ରଦର୍ଶନ ଦେଇ ଆସୁଛନ୍ତି। ବୋଲିଂ ବାହିନୀ ମଧ୍ୟ ପ୍ରତିଶ୍ରୁତିଭରା ପ୍ରଦର୍ଶନ ଦେବାରେ ଏକପ୍ରକାର ବିଫଳ ହୋଇଛି। ଏସବୁ କଥାକୁ ବିଚାରକୁ ନେଲେ ପଞ୍ଜାବ କିଙ୍ଗ୍ସ ଆସନ୍ତା ମ୍ୟାଚ୍‌ରେ କଠିନ ପରୀକ୍ଷାର ସମ୍ମୁଖୀନ ହେବା ପୂରା ନିଶ୍ଚିତ। ସେଥିପାଇଁ ବଳିଷ୍ଠ ଲୟରେ ଥିବା ଆର୍‌ସିବିକୁ ହରାଇବାକୁ ହେଲେ ଏହି ଦଳକୁ ଅତ୍ୟନ୍ତ ଉଚ୍ଚକୋଟୀର କ୍ରିକେଟ୍ ଖେଳିବାକୁ ହେବ। ଏଥିପାଇଁ ମଧ୍ୟ ଆର୍‌ସିବି ଶୁକ୍ରବାର ଫେବରିଟ୍ ଦଳ ଭାବେ ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌କୁ ଓହ୍ଲାଇବ।

ପଞ୍ଜାବ କିଙ୍ଗ୍ସ ବ୍ୟାଟିଂ ବାହିନୀକୁ ବିଚାରକୁ ନେଲେ ମୟଙ୍କ ଅଗ୍ରୱାଲ ପାଉଥିବା ଆରମ୍ଭକୁ ବଡ଼ ସ୍କୋର୍‌ରେ ରୂପାନ୍ତର କରିବାରେ ଲଗାତାର ବିଫଳ ହେଉଛନ୍ତି। ୟୁନିଭର୍ସ ବସ୍ ତଥା ଲିଗ୍‌ର ଅନ୍ୟତମ ଲୋକପ୍ରିୟ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ୬ ମ୍ୟାଚ୍‌ରୁ ମାତ୍ର ଦୁଇଟିରେ ଭଲ କରିଛନ୍ତି। ତାଙ୍କ ଜାତୀୟ ଦଳ (ୱେଷ୍ଟଇଣ୍ଡିଜ୍) ସାଥୀ ନିକୋଲାସ୍ ପୂରନଙ୍କ ବ୍ୟାଟ୍‌ ଅପ୍ରତ୍ୟାଶିତ ଭାବେ ଶାନ୍ତ ରହିଛି। ୫ ମ୍ୟାଚ୍‌ରୁ ୩ ବତକ (ଶୂନରେ ଆଉଟ୍ ହେବା) ସହ ମାତ୍ର ୨୮ ରନ୍ କରିଛନ୍ତି। ଆଶ୍ଚର୍ଯ୍ୟଜନକ ଭାବେ ଏହି ଯୁବ ତାରକାଙ୍କ ବ୍ୟକ୍ତିଗତ ସର୍ବୋଚ୍ଚ ସ୍କୋର ମାତ୍ର ୧୯ ରହିଛି। ଶୁକ୍ରବାର ପଞ୍ଜାବ କିଙ୍ଗ୍ସ ତାଙ୍କ ସ୍ଥାନରେ ଇଂଲଣ୍ଡର ଦାୱିଦ ମଲାନଙ୍କୁ ଖେଳାଇପାରେ। ମଲାନ ମଧ୍ୟ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ବିଫଳ ହୋଇଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ବ୍ୟାଟର୍‌ ୧୯୫ ରନ୍‌ର ସମ୍ମାନ ଜନକ ସ୍କୋର କରିଥିଲେ। ବୋଲର କିନ୍ତୁ ପ୍ରତିପକ୍ଷ ବିଜୟକୁ ରୋକି ପାରିନଥିଲେ। ସେହିଭଳି ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୨୨୧ ରନ୍ ବ୍ୟୟ କରିଥିଲେ। ଆର୍‌ସିବି ପାଇଁ ଏବର ବି ମିଷ୍ଟର ଥ୍ରୀ ସିକ୍ସଷ୍ଟି ଏବି ଡି’ ଭିଲିୟର୍ସ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହେଉଛନ୍ତି। ମହମ୍ମଦ ସିରାଜ, ହର୍ଷଲ ପଟେଲଙ୍କ ବିଭିଧତାଭରା ‌ବୋଲିଂକୁ ସାମ୍ନା କରିବା ଅଧିକାଂଶ ପ୍ରତିପକ୍ଷଙ୍କ ପାଇଁ ସହଜ ହେଉନି। ବିପଜ୍ଜନକ ଋଷଭ ପନ୍ତ ଓ ସିମରନ୍ ହେଟମେୟର କ୍ରିଜ୍‌ରେ ଥିଲେ ମଧ୍ୟ ସିରାଜ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୩ ରନ୍‌ରେ ‌ରୋକି ନିଜ ଦଳକୁ ଉତ୍କଣ୍ଠାପୂର୍ଣ୍ଣ ବିଜୟ ଉପହାର ଦେଇଥିଲେ। ଏମାନଙ୍କ ଛଡ଼ା ଦେବଦତ୍ତ ପଡ଼ିକଲ ଓ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ ବହୁତ ଭଲ କ୍ରିକେଟ୍ ଖେଳୁଛନ୍ତି। ଅଧିନାୟକ ବିରାଟ କୋହଲି ଗତକିଛି ମ୍ୟାଚ୍‌ରେ ଆଶାଜନକ ପ୍ରଦର୍ଶନ କରି ନଥିବାରୁ ଶୁକ୍ରବାର ଏକ ବଡ଼ ପାଳି ଖେଳିବା ଆଶାରେ ଥିବେ। ଆଇପିଏଲ୍‌ରେ ଉଭୟ ଦଳ ପରସ୍ପର ବିପକ୍ଷରେ ୨୬ ମ୍ୟାଚ୍ ଖେଳିଥିଲା‌ ବେଳେ ପଞ୍ଜାବ ୧୪ ମ୍ୟାଚ୍ ଜିତି ସାମାନ୍ୟ ଆଗୁଆ ଅଛି। ଅପରପକ୍ଷରେ ଆର୍‌ସିବି ୧୨ ମ୍ୟାଚ୍ ଜିତି ଟିକେ ପଛୁଆ ରହିଛି।

ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌: ବିରାଟ କୋହଲି (ଅଧିନାୟକ), ଏବି ଡି’ଭିଲିୟର୍ସ, ଦେବଦତ୍ତ ପଡିକଲ, କେନ୍‌ ୱିଲିୟମସନ୍‌, ମହମ୍ମଦ ସିରାଜ, ନଭଦୀପ ସୈନି, ପବନ ଦେଶପାଣ୍ଡେ, ସାହାବାଜ ଅହମ୍ମଦ, ୱାସିଂଟନ୍ ସୁନ୍ଦର, ୟୁଝବେନ୍ଦ୍ର ଚହଲ, ଡାନିଏଲ୍ ସାମ୍ସ, ହର୍ଷଲ ପଟେଲ୍‌, ଗ୍ଲେନ ମ୍ୟାକ୍ସୱେଲ, ସଚିନ ବେବି, ରଜତ ପଟିଦାର, ମହମ୍ମଦ ଆଝାରୁଦ୍ଦିନ୍‌, କାଏଲ୍ ଜାମିସନ୍‌, ଡାନ୍ କ୍ରିଷ୍ଟିଆନ୍‌, ସୂୟାଶ ପ୍ରଭୂଦେଶାଇ, କେଏସ୍ ଭାରତ, ଫିନ୍‌ ଆଲେନ୍‌।

ପଞ୍ଜାବ କିଙ୍ଗ୍ସ: କେଏଲ୍ ରାହୁଲ୍ (ଅଧିନାୟକ ଓ ୱିକେଟରକ୍ଷକ), ମୟଙ୍କ ଅଗ୍ରୱାଲ, କ୍ରିସ୍‌ ଗେଲ୍‌, ମନଦୀପ ସିଂହ, ପ୍ରବସିମ୍ରନ ସିଂହ, ନିକୋଲାସ୍‌ ପୂରନ (ୱିକେଟରକ୍ଷକ), ସର୍ଫରାଜ ଖାନ୍, ଦୀପକ ହୁଦା, ମୁରୁଗାନ ଅଶ୍ବିନ, ରବି ବିଷ୍ଣୋଇ, ହରପ୍ରୀତ୍ ବ୍ରାର୍‌, ମହମ୍ମଦ ସାମି, ଅର୍ଶଦୀପ ସିଂହ, ଇଶାନ ପୋରେଲ, ଦର୍ଶନ ନାଲକାଣ୍ଡେ, କ୍ରିସ୍‌ ଜୋର୍ଡାନ, ଦାୱିଦ ମଲାନ, ଝାଏ ରିଚାର୍ଡସନ୍‌, ଶହାରୁଖ୍‌ ଖାନ୍‌, ରିଲି ମେରେଡିଥ୍‌, ମୋଜେସ ହେନରିକ୍ସ, ଜଲଜ ସା‌କ୍ସେନା, ଉତ୍କର୍ଷ ସିଂହ, ଫାବିଏଁ ଆଲେନ,‌‌‌ ସୌରଭ କୁମାର।

ସମ୍ବନ୍ଧିତ ଖବର