ଆଇପିଏଲ୍‌ ମହାସଂଗ୍ରାମ: ଆଜି ରୟାଲ୍ସ-ନାଇଟ୍ ରାଇଡର୍ସ

ମୁମ୍ବାଇ : ଚଳିତ ଆଇପିଏଲ୍‌ରେ ଶନିବାର ଦୁଇ ସଂଘର୍ଷରତ ପୂର୍ବ ବିଜେତା ଦଳ ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହେବେ। ଉଭୟ ଦଳ ୪ ଲେଖାଏଁ ମ୍ୟାଚ୍‌ ଖେଳିସାରିଥିଲେ ମଧ୍ୟ ମାତ୍ର ଗୋଟିଏ ଲେଖାଏଁ ଜିତି ପଏଣ୍ଟ୍ ଟେବୁଲ୍‌ର ନିମ୍ନ ଭାଗରେ ରହିଛନ୍ତି। ଗୁରୁବାର ରାତିରେ ଆର୍‌ସିବି ନିକଟରୁ ୧୦ ୱିକେଟ୍‌ରେ ହାରିଯିବା ପରେ ରାଜସ୍ଥାନ ରୟାଲ୍ସର ଆତ୍ମବିଶ୍ବାସ ଅଧିକ ଖରାପ ହୋଇଯାଇଛି। ସଞ୍ଜୁ ସାମ୍‌ସନ୍‌ଙ୍କ ଦଳର ନେଟ୍‌ ରନ୍‌ ରେଟ୍ (ଏନ୍‌ଆର୍‌ଆର୍‌) ମଧ୍ୟ ବିଯୁକ୍ତ ୧.୦୦୧ରେ ରହିବା ଅଧିକ ଚିନ୍ତାର କାରଣ ହୋଇଛି। ସେହିଭଳି ଗତ ମ୍ୟାଚ୍‌ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ କଡ଼ା ଟକ୍କର ଦେଇଥିଲେ ମଧ୍ୟ କୋଲକାତା ନାଇଟ୍ ରାଇଡର୍ସ ୧୮ ରନ୍‌ରେ ହାରିଯାଇଥିଲା। ୩୧ ରନ୍‌ରେ ୫ ୱିକେଟ୍‌ ହରାଇବା ପରେ ଇଅନ ମୋର୍ଗାନ୍‌ଙ୍କ ଦଳ ୨୦୨ ରନ୍‌ କରି କେବଳ ସମ୍ମାନ ରଖିଥିଲା। ମୁହାଁମୁହିଁ ମୁକାବିଲା ହେଉ ଅବା ବର୍ତମାନର ପ୍ରଦର୍ଶନରେ ରାଜସ୍ଥାନ ତୁଳନାରେ କେକେଆର୍‌ ସୁବିଧା ସ୍ଥିତିରେ ରହିଛି।

ମୁମ୍ବାଇର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ ପିଚ୍‌ ବୋଲରଙ୍କ ପାଇଁ ବିଶେଷ କିଛି ରଖୁନଥିବାରୁ ଶନିବାର ମ୍ୟାଚ୍‌ ମଧ୍ୟ ବଡ଼ ସ୍କୋର୍‌ ପ୍ରଦାନ କରିବ ବୋଲି ବିଶ୍ବାସ କରାଯାଉଛି। ପିଚ୍‌ର ପ୍ରକୃତି ବି ପରିବର୍ତନର ନା ଧରୁନାହିଁ। ଦ୍ବିତୀୟ ପାଳିରେ ବ୍ୟା ଟିଂ କରୁଥିବା ଦଳ ନିଶ୍ଚିତ ଫାଇଦାରେ ରହିବେ। ୱାଙ୍ଖ୍‌ଡେ ଆକାଶରେ ମେଘ ରହିଥିଲେ ମଧ୍ୟ ବର୍ଷାର ସମ୍ଭାବନା କମ୍‌ ବୋଲି ପୂର୍ବାନୁମାନ କରାଯାଇଛି। ଚଳିତ ବର୍ଷ ପ୍ରଥମ ୮ ମ୍ୟାଚ୍‌ ସୁଦ୍ଧା ୱାଙ୍ଖ୍‌ଡେର ହାରାହାରି ପ୍ରଥମ ପାଳି ସ୍କୋର୍‌ ୧୮୦ ରନ୍‌ ରହିଛି। ଏଥି ମଧ୍ୟରୁ ପଶ୍ଚାତଧାବନ କରିଥିବା ଦଳ ୫ଟି ଜିତିଥିବା ବେଳେ ୩ଟି ହାରିଛି।
ମୁହାଁମୁହିଁ: ରାଜସ୍ଥାନ ରୟାଲ୍‌ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ପରସ୍ପର ସହିତ ପୂର୍ବରୁ ୨୩ ଥର ଖେଳିଛନ୍ତି। କୋଲକାତା ନାଇଟ୍ ରାଇଡର୍ସ ୧୨ ଏବଂ ରାଜସ୍ଥାନ ରୟାଲ୍‌ସ ୧୦ ଜିତିଥିବା ବ‌େଳେ ଗୋଟିଏରୁ ଫଳାଫଳ ବାହାରିପାରିନି। ନିରପେକ୍ଷ ଭେନ୍ୟୁରେ ଦୁଇ ଦଳ ୮ ଥର ମୁହାଁମୁହିଁ ହୋଇଥିବା ବେଳେ କେକେଆର୍‌ ୩ ଓ ରାଜସ୍ଥାନ ରୟାଲ୍‌ସ ୫ ଜିତିଛି।

ନଜରରେ: ଏହି ମ୍ୟାଚ୍‌ ଅବସରରେ ରାଜସ୍ଥାନ ରୟାଲ୍ସର ଜୋସ୍‌ ବଟଲରଙ୍କ ଫର୍ମ ନିଶ୍ଚିତ ନଜରରେ ରହିବ। ଅଦ୍ୟାବଧି ସେ ସର୍ବାଧିକ ୪୯ ରନ୍‌ ସହିତ ମୋଟ ୮୪ ରନ୍ କରିଛନ୍ତି। ଷ୍ଟ୍ରାଇକ୍ ରେଟ୍‌ ୧୩୩.୩୩ ରହିଛି। କେକେଆର୍‌ ବିପକ୍ଷରେ ଫର୍ମକୁ‌ ‌ଫେରିବା ଆଶାରେ ରହିଛନ୍ତି। କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ବଟ୍ଟଲର୍‌ ୩୪.୨୯ ହାର ଓ ୧୪୦.୩୫ ଷ୍ଟ୍ରାଇକ୍ ରେଟ୍‌ରେ ୨୪୦ ରନ୍‌ କରିଥିଲେ ମଧ୍ୟ କେବେ ଅର୍ଦ୍ଧଶତକ ହାସଲ କରିପାରିନାହାନ୍ତି। ବୋଲିଂରେ ୪ ମ୍ୟାଚ୍‌ରୁ ମାତ୍ର ୪ ୱିକେଟ୍ ନେଇଥିବା କେକେଆର୍‌ର ପ୍ୟାଟ୍ କମିନ୍ସଙ୍କ ଉପରେ ନିଶ୍ଚିତ ଶନିବାର ନଜର ରହିବ। ବୋଲିଂରେ ପ୍ରଭାବହୀନ ରହୁଥିଲେ ମଧ୍ୟ ବ୍ୟାଟିଂରେ ଗତ ମ୍ୟାଚ୍‌ରେ ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରି କୋଲକାତାକୁ ବିଜୟର ନିକଟତର କରାଇଥିବାରୁ ତାଙ୍କ ମନୋବଳ ବଢ଼ିଯାଇଛି। ରାଜସ୍ଥାନ ରୟାଲ୍ସ ବିପକ୍ଷରେ କିନ୍ତୁ ତାଙ୍କ ପ୍ରଦର୍ଶନ ଭଲ ରହିଛି। ୭ ଓଭର ବୋଲିଂ କରି ସେ ୫ ୱିକେଟ୍‌ ନେଇଛନ୍ତି।

ରାଜସ୍ଥାନ ରୟାଲ୍‌ସ ପାଇଁ ଜୋଫ୍ରା ଆର୍ଚର, ବେନ୍‌ ଷ୍ଟୋକ୍ସ ଏବଂ ଲିଆମ୍‌ ଲିଭିଙ୍ଗଷ୍ଟୋନ ଉପଲବ୍‌ଧ ନଥିବାରୁ ଚିନ୍ତା ବଢ଼ିଛି। କ୍ରିସ୍ ମୋରିସ୍‌, ମୁସ୍ତାଫିଜୁର ରହମାନ, ଶୁଭମନ ଗିଲ ଭଲ ଖେଳୁନଥିବାରୁ କେକେଆର୍‌ ମଧ୍ୟ ଚାପରେ ରହିଛି। ତଥାପି ଶନିବାର ମ୍ୟାଚ୍‌ରେ କେକେଆର୍‌ ପଲା ଭାରି ରହିବ ବୋଲି କ୍ରିକେଟ୍‌ ବିଶାରଦ ମାନେ ପୂର୍ବାନୁମାନ କରିଛନ୍ତି।

କୋଲକାତା ନାଇଟ୍ ରାଇଡର୍ସ ଦଳ: ଇଅନ୍ ମୋର୍ଗାନ୍ (ଅଧିନାୟକ), ଦୀନେଶ କାର୍ତ୍ତିକ, ଶୁବମନ ଗିଲ୍‌, ନୀତିଶ ରାଣା, ଟିମ୍ ସିଫର୍ଟ, ରିଙ୍କୁ ସିଂହ, ଆନ୍ଦ୍ରେ ରସେଲ, ସୁନିଲ ନାରାୟଣ, କୁଲଦୀପ ଯାଦବ, ଶିଭମ ମାଭି, ଲୋକି ଫର୍ଗୁସନ୍, ପ୍ୟାଟ୍ କମିନ୍ସ, କମଲେଶ ନାଗରକୋଟି, ସନ୍ଦୀପ ୱାରିୟର୍, ପ୍ରସିଦ୍ଧ କୃଷ୍ଣ, ରାହୁଲ ତ୍ରିପାଠୀ, ବରୁଣ ଚକ୍ରବର୍ତ୍ତୀ, ସକିବ୍ ଅଲ୍ ହାସନ୍‌, ସେଲଡନ୍‌ ଜ୍ୟାକସନ୍‌, ‌ବୈଭବ ଆରୋରା, ହରଭଜନ ସିଂହ, କରୁଣ ନାୟାର୍‌, ବେନ୍‌ କଟିଂ, ଭେଙ୍କଟେଶ ଆୟର୍‌, ପବନ ନେଗି।

ରାଜସ୍ଥାନ ରୟାଲ୍ସ ଦଳ: ସଂଜୁ ସାମସନ୍‌ (ଅଧିନାୟକ ଓ ୱିକେଟରକ୍ଷକ), ଜୋସ୍ ବଟ୍ଟଲର୍‌, ଯଶସ୍ବୀ ଜୟସ୍ବାଲ, ମନନ ଭୋରା, ଅନୂଜ ରାୱତ, ରିୟାନ୍ ପରାଗ, ଡେଭିଡ୍‌ ମିଲର୍‌, ରାହୁଲ ତିୱାତିଆ, ମହିପାଲ୍‌ ଲୋମରର, ଶ୍ରେୟସ ଗୋପାଳ, ମୟଙ୍କ ମାର୍କେଣ୍ଡେ, ଅଣ୍ଡ୍ରିଉ ଟାଇ, ଜୟଦେବ ଉନାଦକତ୍‌, କାର୍ତିକ ତ୍ୟାଗୀ, ଶିଭମ ଦୁବେ, କ୍ରିସ୍‌ ମୋରିସ୍‌, ମୁସ୍ତାଫିଜୁର ରହମାନ, ଚେତନ ସାକାରିଆ, କେସି କାରିଆପ୍ପା, କୁଲଦୀପ ଯାଦବ, ଆକାଶ ସିଂହ ।

ସମ୍ବନ୍ଧିତ ଖବର