ଆଇପିଏଲ୍: ଦିଲ୍ଲୀକୁ ଜିତାଇଲେ ୱାର୍ଣ୍ଣର-ପାୱେଲ

ମୁମ୍ବାଇ: ଗୁରୁବାରର ଏକମାତ୍ର ଆଇପିଏଲ୍ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୨୧ ରନ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ତା’ ସହ ଦଶମ ମ୍ୟାଚ୍‌ରୁ ପଞ୍ଚମ ବିଜୟ ହାସଲ କରି ସପ୍ତମରୁ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ପରାଜିତ ସନ୍‌ରାଇଜର୍ସ ହାଇଦ୍ରାବାଦ ସେହି ଦଶମ ମ୍ୟାଚ୍‌ରୁ ପଞ୍ଚମ ପରାଜୟ ବରଣ କରି ପଞ୍ଚମରୁ ଷଷ୍ଠ ସ୍ଥାନକୁ ଖସିଛି। ୯୨ ରନ୍‌ କରି ଅପରାଜିତ ଥିବା ଡେଭିଡ୍‌ ୱାର୍ଣ୍ଣର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସ୍ଥାନୀୟ ବ୍ରାବର୍ଣ୍ଣ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୨୦୮ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ସନ୍‌ରାଇଜର୍ସ ହାଇଦ୍ରାବାଦ ୩୭ ରନ୍‌ରେ ୩ ୱିକେଟ୍ ହରାଇ ପ୍ରଥମ ୭ ଓଭର ଭିତରେ ହିଁ ଏକପ୍ରକାର ମ୍ୟାଚ୍ ହାତଛଡ଼ା କରିଥିଲା। ପାଳି ଶେଷ ଆଡ଼କୁ ଏଦେନ ମର୍କରାମ ଏବଂ ନିକୋଲାସ ପୂରନ ଜୋରଦାର ଲଢ଼େଇ କରିଥିଲେ। ତଥାପି ସନ୍‌ରାଇଜର୍ସ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୮୬ ରନ୍ କରିପାରିଥିଲା। ଦିଲ୍ଲୀ ବୋଲରଙ୍କ ମାପଚୁପ ଏବଂ ଶାଣିତ ବୋଲିଂ ସହ ବଡ଼ ବିଜୟ ଲକ୍ଷ୍ୟ ପାଇଁ ସନ୍‌ରାଇଜର୍ସ ହାଇଦ୍ରାବାଦ ଗୋଟିଏ ପରେ ଗୋଟିଏ ୱିକେଟ୍ ହରାଇ ଚାଲିଥିଲା। ସେଥିପାଇଁ ବିଜୟ ଲକ୍ଷ୍ୟର ନିକଟତର ହୋଇ ପାରି ନଥିଲା।
ଦିଲ୍ଲୀ ଗୁରୁବାର ଚାରିଟି ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଥିଲା।

ପୃଥ୍ବୀ ସ’ଙ୍କ ବଦଳରେ ଡେଭିଡ୍ ୱାର୍ଣ୍ଣରଙ୍କ ଓପନିଂ ଯୋଡ଼ିଦାର ଭାବେ ଆସିଥିବା ମନଦୀପ ସିଂହ (୦) କିନ୍ତୁ ଖାତା ଖୋଲି ପାରି ନଥିଲେ। ମ୍ୟାଚ୍‌ର ପଞ୍ଚମ ବଲ୍‌ରେ ଭୁବନେଶ୍ବର କୁମାର ତାଙ୍କୁ ୱିକେଟ୍ ରକ୍ଷକ ନିକୋଲାସ ପୂରନଙ୍କ ହାତରେ କ୍ୟାଚ୍ କରାଇ ନେଇଥିଲେ। ଏହି ଓଭରରେ ଭୁବି ମଧ୍ୟ କୌଣସି ରନ୍ ଖର୍ଚ୍ଚ କରି ନଥିବାରୁ ୱିକେଟ୍ ମେଡେନ୍‌ରୁ ଦିଲ୍ଲୀର ପାଳି ଆରମ୍ଭ ହୋଇଥିଲା। ସେହିଭଳି ଅଲରାଉଣ୍ଡର ମିଚେଲ ମାର୍ସଙ୍କୁ ସନ୍‌ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ପ୍ରଥମ ମ୍ୟାଚ୍ ଖେଳୁଥିବା ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ସିନ୍ ଆବୋଟ ନିଜ ଫଲୋ ଥ୍ରୁରେ କଟ୍ ଆଣ୍ଡ ବୋଲ୍ଡ କରି ୩୭ ରନ୍‌ରେ ଦିଲ୍ଲୀକୁ ଦ୍ବିତୀୟ ଝଟ୍‌କା ଦେଇଥ‌ିଲେ। ଅଧିନାୟକ ଋଷଭ ପନ୍ତଙ୍କ ବ୍ୟାଟ୍ ଚଳିତ ଋତୁର ଅଧିକାଂଶ ମ୍ୟାଚ୍‌ରେ ଆପାତତଃ ଶାନ୍ତ ରହିଛି। ଆଜି ମଧ୍ୟ ସେ ଅତ୍ୟନ୍ତ ମନ୍ଥର ଆରମ୍ଭ କରି ୧୧ ବଲ୍‌ରୁ ୬ ରନ୍ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ସନ୍‌ରାଇଜର୍ସ ସ୍ପିନର ଶ୍ରେୟସ୍ ଗୋପାଳକୁ ହ୍ୟାଟ୍ରିକ୍ ଛକା ଓ ଗୋଟିଏ ଚୌକା ମାରି ବଡ଼ ପାଳି ଖେଳିବାର ଆଭିମୁଖ୍ୟକୁ ସ୍ପଷ୍ଟ କରି ଦେଇଥିଲେ। ତେବେ ସେହି ଓଭରର ଶେଷ ବଲ୍‌ରେ ଗୋପାଳ ତାଙ୍କୁ ଆ‌ଉଟ୍ କରି ଏହାର ମଧୁର ପ୍ରତିଶୋଧ ନେଇଥିଲେ।

ତିନି ଶୀର୍ଷକ୍ରମ ବ୍ୟାଟର୍‌ଙ୍କୁ ସଅଳ ହରାଇବାର ଚାପ କିନ୍ତୁ ଅନ୍ୟତମ ଓପନର ଡେଭିଡ୍ ୱାର୍ଣ୍ଣରଙ୍କ ପ୍ରତି ଆକ୍ରମଣକୁ ରୋକି ପାରି ନଥିଲା। ତାଙ୍କ ସହ ଯୋଗ ଦେଇଥିବା ରୋଭମନ ପାୱେଲ୍ ମଧ୍ୟ ଧୂଆଁଧାର ବ୍ୟାଟିଂ କରିଥିଲେ। ଉଭୟ ଚୌକା ଛକା ବର୍ଷା କରି ଅବିଭାଜିତ ଚତୁର୍ଥ ୱିକେଟ୍‌ରେ ମାତ୍ର ୬୬ ବଲ୍ ଖେଳି ୧୨୨ ରନ୍ ଅମଳ କରିଥିଲେ। ଫଳରେ ଦିଲ୍ଲୀ ୨୦୭/୩ କରିଥିଲା। ଶେଷ ଓଭରର ୬ଟି ଯାକ ବଲ୍ ପାୱେଲ ଖେଳିବାରୁ ୱାର୍ଣ୍ଣର ଶତକରୁ ବଞ୍ଚିତ ହୋଇଥିଲେ। ତେବେ ୱାର୍ଣ୍ଣର ଟ୍ବେଣ୍ଟି-୨୦ରେ ୪୦୦ ଛକା ପୂରଣ କରିବାର କୀର୍ତ୍ତିମାନ କରିଥିଲେ। ନିଜ ଦ୍ରୁତ ଗତି ପାଇଁ ଚର୍ଚ୍ଚାରେ ଥିବା ଉମ୍ରାନ ମଲ୍ଲିକଙ୍କ ୨୦ତମ ଓଭରରୁ ୧୯ ରନ୍ ନେଇ ପାୱେଲ ନିଜ ଅର୍ଦ୍ଧଶତକ ପୂରଣ କରିଥିଲେ। ୧୫୭ କିଲୋମିଟରରୁ ଅଧିକ ବେଗରେ ବୋଲିଂ କରିଥିବା ଉମ୍ରାନ ୪ ଓଭରରେ ୫୨ ରନ୍ ବ୍ୟୟ କରି ୱିକେଟ୍ ଶୂନ୍ୟ ରହିଥିଲେ।

ସମ୍ବନ୍ଧିତ ଖବର