ମୁମ୍ବାଇ: ପହଲଗାମ୍ ଉଗ୍ରବାଦୀ ଆକ୍ରମଣ‌ ପରେ ଭାରତୀୟ ସେନାଙ୍କ ଅପରେସନ୍‌ ସିନ୍ଦୁର ଅଭିଯାନକୁ ସମ୍ମାନ ଜଣାଇ ବିସିସିଆଇ ଆଇପିଏଲ୍‌ ଫାଇନାଲ୍ ମ୍ୟାଚ୍‌ ଅବସରରେ ସେନା ବାହିନୀକୁ ସମ୍ବର୍ଦ୍ଧିତ କରିବ। ଭାରତୀୟ ସେନାର ୩ ମୁଖ୍ୟଙ୍କୁ ଜୁନ୍‌ ୩ ତାରିଖର ଫାଇନାଲ୍ ମ୍ୟାଚ୍‌ ପାଇଁ ନିମନ୍ତ୍ରଣ କରାଯାଇଛି ବୋଲି ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ ପ୍ରକାଶ କରିଛନ୍ତି। ସ୍ଥଳ ସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀ, ନୌସେନା ମୁଖ୍ୟ ଆଡମିରାଲ୍‌ ଦୀନେଶ କେ ତ୍ରିପାଠୀ, ବାୟୁ ସେନା ମୁଖ୍ୟ ଅମର ପ୍ରୀତ୍ ସିଂହଙ୍କ ସହ ବହୁ ଶୀର୍ଷ ଅଧିକାରୀ ଏବଂ ସେନାଙ୍କୁ ବି ନିମନ୍ତ୍ରଣ କରାଯାଇଛି। ଆଇପିଏଲ୍‌ ଉଦ୍‌ଯାପନୀ ଉତ୍ସବରେ ସେନାଙ୍କ ‘ସାହସିକ ପ୍ରୟାସ’କୁ ଶ୍ରଦ୍ଧାଞ୍ଜଳି ଜଣାଇ ସମ୍ମାନିତ କରାଯିବ। କ୍ରିକେଟ୍ ପୂର୍ବଭଳି ଜାତୀୟ ଭାବନା ହୋଇ ରହିଥିଲେ ବି ଦେଶର ସାର୍ବଭୌମତ୍ବ, ଅଖଣ୍ଡତା ଓ ସୁରକ୍ଷାଠାରୁ କିଛି ବି ଉର୍ଧ୍ବରେ ନୁହେଁ ବୋଲି ସାଇକିଆ ପ୍ରକାଶ କରିଥିଲେ।

Advertisment

ସୂଚନାଯୋଗ୍ୟ, ଏପ୍ରିଲ୍‌ ୨୨ ତାରିଖରେ ପହଲଗାମ୍‌ରେ ଧର୍ମ ପଚାରି ୨୬ ଜଣ ପର୍ଯ୍ୟଟକଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଭାରତ ଏହା ବିରୋଧରେ ନିର୍ଣ୍ଣାୟକ ଲଢ଼େଇ କରି ମେ’ ୭ ତାରିଖରେ ଅପରେସନ୍‌ ସିନ୍ଦୁର ଅଭିଯାନ ଜରିଆରେ ପାକିସ୍ତାନର ଉଗ୍ରପନ୍ଥୀ ଆଡ଼ା ଉପରେ ଆକ୍ରମଣ କରି ୧୦୦ରୁ ଉର୍ଧ୍ବଙ୍କୁ ମାରିଥିଲା। ଯେଉଁଥିରେ ଜୈସ ଇ ମହମ୍ମଦ, ଲସ୍କର ଇ ତୋଇବା, ହିଜବୁଲ୍‌ ମୁଜାହୁଦ୍ଦିନ୍‌ ଆଦି କୁଖ୍ୟାତ ଆତଙ୍କୀ ସଂଗଠନର ଆଡ଼ା ସାମିଲ ଥିଲା। ପାକିସ୍ତାନର ୧୧ଟି ଏୟାରଫିଲ୍ଡକୁ ନଷ୍ଠ କରିବା ସହ ବ୍ୟାପକ କ୍ଷୟକ୍ଷତି କରିଥିଲା। ପାକିସ୍ତାନ ପ୍ରତି ଆକ୍ରମଣରେ ନିୟମିତ ସୀମା ଉଲ୍ଲଂଘନ କରିବା ସହ ଡ୍ରୋନ୍ ଆକ୍ରମଣ କରିଥିଲେ ମଧ୍ୟ ଭାରତୀୟ ସେନା ସେସବୁକୁ ପଣ୍ଡ କରି ଦେଇଥିଲେ। ଶେଷରେ ପାକିସ୍ତାନର ଅନୁରୋଧ କ୍ରମେ ମେ’ ୧୦ ତାରିଖରେ ଉଭୟ ଦେଶର ସାମରିକ ଲଢ଼େଇରୁ ଦୂରେଇ ଅସ୍ତ୍ରବିରତିରେ ସହମତ ହୋଇଥିଲେ। ଭାରତରେ ଆଇପିଏଲ୍‌ ଏବଂ ପାକିସ୍ତାନରେ ପିଏସ୍‌ଏଲ୍ ମଧ୍ୟ ଗୋଟିଏ ଲେଖାଏଁ ସପ୍ତାହ ଅଟକିଯିବା ପରେ ପୁଣି ଆରମ୍ଭ ହୋଇଥିଲା।