ଆଇପିଏଲ୍‌ ସୁରୁଖୁରୁରେ ଚାଲିବ: ବିସିସିଆଇ

ମୁମ୍ବାଇ : କରୋନାର କ୍ରମବର୍ଦ୍ଧିଷ୍ଣୁ ମାମଲା ପରେ ଆଇପିଏଲ୍‌ ଉପରେ କଳା ବାଦଲ ମାଡ଼ି ଆସିଛି। କିନ୍ତୁ ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା ଆତ୍ମବିଶ୍ବାସର ସହ କହିଛନ୍ତି ଆଇପିଏଲ୍‌ ବିନା ପ୍ରତିବଂଧକରେ ଆୟୋଜିତ ହୋଇପାରିବ। ‘କରୋନା ସଂକ୍ରମଣ ବୃଦ୍ଧି ନିଶ୍ଚିତ ଚିନ୍ତାର କାରଣ। ଏଥିପାଇଁ ବିସିସିଆଇ ସବୁ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛି। କେବଳ ଏଥିପାଇଁ ମାତ୍ର ୬ଟି ଭେନ୍ୟୁରେ ପ୍ରତିଯୋଗିତାକୁ ଆୟୋଜିତ କରାଯାଇଛି। ଦଳର ଖେଳାଳିଙ୍କ ସଂଖ୍ୟା ବଢ଼ାଇ ଦିଆଯାଇଛି, ସମସ୍ତଙ୍କୁ ଜୈବ ବଳୟ ଭିତରେ ରଖାଯାଇଛି। ପରିସ୍ଥିତି ଅଧିକ ଖରାପ ହେଲେ ଅନ୍ୟାନ୍ୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବ’ ବୋଲି ଶୁକ୍ଳା କହିଛନ୍ତି। ଏପରିକି ପ୍ରତିଯୋଗିତା ମଧ୍ୟ ଦର୍ଶକବିହୀନ ହେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ଲିଗ୍‌ ନିର୍ଦ୍ଧାରିତ ସୂଚୀ ମୁତାବକ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ମୁମ୍ବାଇରେ ସଂକ୍ରମଣ ଅଧିକମାତ୍ରାରେ ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେଠାକାର ମ୍ୟାଚ୍‌କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇନାହିଁ। ସମସ୍ତ ଆୟୋଜନ ଶେଷ ହୋଇଥିବାରୁ ସ୍ଥାନାନ୍ତର ନିଷ୍ପତ୍ତି ‌ହୋଇପାରିନାହିଁ। ନିର୍ଧାରିତ ୬ ଭେନ୍ୟୁ ଛଡ଼ା ଲକ୍ଷ୍ନୌ, ହାଇଦ୍ରାଦାବ ଏବଂ ଇନ୍ଦୋରକୁ ଷ୍ଟାଣ୍ଡବାଇ ଭେନ୍ୟୁ ରଖାଯାଇଥିବା କଥା ମଧ୍ୟ ସେ ସୂଚନା ‌ଦେଇଥିଲେ। ଏପ୍ରିଲ୍‌ ୧୦ରୁ ୨୫ ତାରିଖ ମଧ୍ୟରେ ମୁମ୍ବାଇର ୱାଙ୍ଖ୍‌ଡେରେ ୧୦ ମ୍ୟାଚ୍‌ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏଠାରେ ପ୍ରଥମ ମ୍ୟାଚ୍‌ ଏପ୍ରିଲ୍‌ ୧୦ ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର୍‌ କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଏହି ଦୁଇ ଦଳ ସହ ପଞ୍ଜାବ କିଙ୍ଗ୍ସ, ରାଜସ୍ଥାନ ରୟାଲ୍ସ ମଧ୍ୟ ମୁମ୍ବାଇରେ ଖେଳିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଶନିବାର ଦିଲ୍ଲୀ ଖେଳାଳି ଅକ୍ଷର ପଟେଲ ଏବଂ ଆର୍‌ସିବି ତାରକା ଦେବଦତ୍ତ ପଡିକଲ କୋଭିଡ୍‌ ପଜିଟିଭ୍ ଆସିବା ପରେ ଆଇପିଏଲ୍‌ ଚିନ୍ତା ବଢ଼ିଥିଲା। ମୁମ୍ବାଇରେ ମଧ୍ୟ ଧାର୍ଯ୍ୟ ମ୍ୟାଚ୍‌ଗୁଡିକ ଖେଳାଯିବ ବୋଲି ଆତ୍ମବିଶ୍ବାସର ସହ କହିଛନ୍ତି ମୁମ୍ବାଇ କ୍ରିକେଟ୍‌ ସଂଘ (ଏମ୍‌ସିଏ) ସମ୍ପାଦକ ସଞ୍ଜୟ ନାଏକ। ମୁମ୍ବାଇ ଚରଣ ମ୍ୟାଚ୍‌ଗୁଡିକ ଶେଷ ହେବା ପର୍ଯ୍ୟନ୍ତ ଜୈବ ବଳୟକୁ ଦୃଢ଼ ରଖାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।

ଖେଳାଳିଙ୍କୁ ଟିକା ପାଇଁ ଯୋଜନା
କୋଭିଡ୍ ସଂକ୍ରମଣ ବଢ଼ୁଥିବା ପରିପ୍ରେକ୍ଷୀରେ ଆଇପିଏଲ୍‌ ‌ଖେଳାଳିମାନଙ୍କୁ ଟିକା ପ୍ରଦାନ ଲାଗି ବିସିସିଆଇ ଯୋଜନା କରୁଛି। ଏ ନେଇ ବୋର୍ଡ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସହ ସମ୍ପର୍କ କରିଛି‌ ବୋଲି ରାଜୀବ ଶୁକ୍ଳା ପ୍ରକାଶ କରିଛନ୍ତି। ପରିସ୍ଥିତିର ମୁକାବିଲା କରିବା କିମ୍ବା ତାଳ ଦେବା ଲାଗି ଟିକାକରଣ ହିଁ ଏକମାତ୍ର ମାଧ୍ୟମ। କେହି ବି ଜାଣିନାହାନ୍ତି କେରୋନା ଭୂତାଣୁ କେବେ ମୂଳପୋଛ ହେବ, ଟିକାକରଣ ହେଲେ ଖେଳାଳିମାନେ ସହଜରେ ଖେଳିପାରିବେ। କ୍ରୀଡ଼ା ମନ୍ତ୍ରାଳୟକୁ ଏ ନେଇ ଚିଠି ଲେଖିଛୁ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର