ଆଇପିଏଲ୍‌ ୨୦୧୯ ‌ଖେଳାଳି ନିଲାମ ଡିସେମ୍ବର ୧୮‌ରୁ

ନୂଆଦିଲ୍ଲୀ: ଆଗାମୀ ୨୦୧୯ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଖେଳାଳି ନିଲାମ ଲାଗି ମଙ୍ଗଳବାର ତାରିଖ ଓ ସ୍ଥାନ ଘୋଷିତ ହୋଇଛି। ଏହି ଦ୍ବାଦଶ ସଂସ୍କରଣର ଖେଳାଳି ନିଲାମ ଚଳିତ ବର୍ଷ ଡିସେମ୍ବର ୧୭ ଓ ୧୮ ତାରିଖ ଦୁଇ ଦିନ ଧରି ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ହେବ। ଏହି ସଂସ୍କରଣ ସମ୍ଭବତଃ ଆସନ୍ତାବର୍ଷ ମାର୍ଚ ଶେଷ ସପ୍ତାହରୁ ମେ’ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ହେଲେ ୨୦୧୯ ଆଇପିଏଲ୍‌ ସମୟରେ ଭାରତରେ ସାଧାରଣ ‌ନିର୍ବାଚନ ହେବାର ରହିଛି। ଫଳରେ ଏହି ସଂସ୍କରଣ ଦକ୍ଷିଣ ଆଫ୍ରିକା କିମ୍ବା ୟୁଏଇରେ କରିବା ଲାଗି ବିସିସିଆଇ ଚିନ୍ତା କରୁଛି। ଆଇପିଏଲ୍‌ ସରିବାର କିଛି ଦିନ ପରେ ବିଶ୍ବକପ୍‌ ଆରମ୍ଭ ହେବ। କିନ୍ତୁ ମେ’ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଆଇପିଏଲ୍‌ ହେଲେ ବିଶ୍ବକପ୍‌ ପାଇଁ ସେମାନଙ୍କ ଖେଳାଳିଙ୍କୁ ସମୟ କମ୍‌ ମିଳିବ ବୋଲି ଇଂଲଣ୍ଡ ଓ ଅଷ୍ଟ୍ରେଲିଆ କହିଛନ୍ତି। ତେଣୁ ସେମାନଙ୍କ ଖେଳାଳିମାନେ ଅତି ବେଶିରେ ମେ’ ପହିଲା ପର୍ଯ୍ୟନ୍ତ ଆଇପିଏଲ୍‌ ଖେଳିପାରିବେ ବୋଲି ଇଂଲଣ୍ଡ ଓ ୱେଲ୍‌ସ କ୍ରିକେଟ୍‌ ବୋର୍ଡ ଏବଂ କ୍ରିକେଟ୍‌ ଅଷ୍ଟ୍ରେଲିଆ ଆାଇପିଏଲ୍‌ ଆୟୋଜକ ଭାରତୀୟ କ୍ରିକେଟ୍‌ ବୋର୍ଡକୁ ଜଣାଇଦେଇଛି। ଏହାପରେ ଉଭୟ ଦେଶର ଖେଳାଳି ନିଜ ନିଜ ଦେଶକୁ ଫେରି ବିଶ୍ବକପ୍‌ ପ୍ରସ୍ତୁତି କରିବେ ବୋଲି ଦୁଇ ବୋର୍ଡ ସ୍ପଷ୍ଟ କରିଦେଇଛନ୍ତି।

ସମ୍ବନ୍ଧିତ ଖବର