ହାଇଦ୍ରାବାଦ୍: ଆଇପିଏଲ୍ ୨୦୨୪ର ଅଷ୍ଟମ ମ୍ୟାଚ୍‌ରେ ବୁଧବାର ମୁମ୍ବାଇକୁ ୩୧ ରନ୍‌ରେ ପରାସ୍ତ କଲା ହାଇଦ୍ରାବାଦ୍‌ । ମୁମ୍ବାଇ ୨୭୮ରନ୍‌ର ବିଶାଲ ଲକ୍ଷ୍ୟକୁ ପିଛା କରି ସମସ୍ତ ଓଭରରେ ୫ ୱିକେଟ ହରାଇ ୨୪୬ ରନ୍‌ କରି ପରାସ୍ତ ହୋଇଛି । ଦ୍ବିତୀୟ ପାଳିରେ ମୁମ୍ବାଇ ମଧ୍ୟ ଦମ୍‌ଦାର ବ୍ୟାଟିଂ କରିଥିଲା କିନ୍ତୁ ମ୍ୟାଚକୁ ଜିତିବାରେ ସକ୍ଷମ ହୋଇନଥିଲା । ମୁମ୍ବାଇ ପକ୍ଷରୁ ତିଲକ ବର୍ମା ୬୪ ରନ୍‌, ଇଶାନ କିସନ ୩୪ ରନ୍‌ କରିଥିବା ବେଳେ ନମନ ଧିର ୩୦ ରନ୍‌ ଓ କ୍ୟାପଟେନ ହାର୍ଦ୍ଧିକ ପାଣ୍ଡ୍ୟା ୨୪ ରନ୍‌ କରିଥିଲେ। ଟିମ୍ ଡେଭିଡ୍ ୨୨ ବଲ‌ରେ ୪୨ ରନ୍‌ କରି ଶେଷ ପଯ୍ୟନ୍ତ ଲଢିଥିଲେ କିନ୍ତୁ ମୁମ୍ବାଇକୁ ବିଜୟ ଦେଇ ପାରିନଥିଲେ । ଅନ୍ୟପଟେ ହାଇଦ୍ରାବାଦ୍‌ ପକ୍ଷରୁ ମାୟ‌ାଙ୍କ ମାର୍କାଣ୍ଡେ, ଉମରନ୍ ମଲିକ୍ ଓ ପ୍ୟାଟ୍ କମିନ୍ସ ୧-୧ ୱିକେଟ ନେଇଥିବା ବେଳେ ଜୟଦେବ ଉନାଦକତ୍ ୨ଟି ୱିକେଟ ନେଇ ହାଇଦ୍ରାବାଦ୍‌କୁ ଚଳିତ ସିଜିନ୍‌ର ପ୍ରଥମ ବିଜୟ ଦେଇଛନ୍ତି ।

Advertisment

ପ୍ରଥମ ପାଳିରେ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସନରାଇଜର୍ସ ହାଇଦ୍ରାବାଦ୍ ଅଧିନାୟକ ପ୍ୟାଟ୍ କୁମିନ୍ସଙ୍କ ନେତୃତ୍ବରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇ ଆଇପିଏଲ ଇତିହାସରେ ରେକର୍ଡ ରନ୍ କରିଥିଲେ। ଧାର୍ଯ୍ୟ ୨୦ ଓଭରରେ ସନରାଇଜର୍ସ ହାଇଦ୍ରାବାଦ୍ ୩ ୱିକେଟ ହରାଇ ୨୭୭ ରନ୍ କରିଥିଲେ। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବିଜୟ ଲକ୍ଷ୍ୟ ୨୭୮ ରନ୍ କରିବାରେ ସକ୍ଷମ ହୋଇଥିଲା।

ହେନରିଚ୍ କ୍ଲେସନଙ୍କ ଅପରାଜିତ ଧୂଆଁଧାର ବ୍ୟାଟିଂ ଦ୍ବାରା ସନରାଇଜର୍ସ ହାଇଦ୍ରାବାଦ୍ ଏକ ବିଶାଳ ସ୍କୋର କରି ପାରିଛି। ହେନରିଚ୍ ୩୪ ବଲ୍‌ରେ ୮୦ ରନ୍ କରିଥିବାବେଳେ ଟ୍ରାଭିସ୍ ହେଡ୍ ୨୪ ବଲ୍‌ରେ ୬୨ ରନ୍ ଏବଂ ଅଭିଷେକ ଶର୍ମା ୨୩ ବଲ୍‌ରେ ୬୩ ରନ୍ କରିଥିଲେ। ସେହିପରି ମୟଙ୍କ ଅଗ୍ରୱାଲ ୧୧ ରନ୍ କରିଥିବାବେଳେ ଆଡେନ୍ ମାକ୍ରମ ୨୮ ବଲ୍‌ରେ ୪୨ ରନ୍ କରିଥିଲେ।

ପୂର୍ବରୁ ୨୦୧୩ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୫ ୱିକେଟରେ ୨୬୩ ରନ୍‌ର ବିଶାଳ ସ୍କୋର ପୁଣେ ୱାରିୟର୍ସ ବିରୋଧରେ କରିଥିଲା। ଏବେ ସନରାଇଜର୍ସ ହାଇଦ୍ରାବାଦ୍ ଏହି ରେକର୍ଡ ଭାଙ୍ଗଛି।